Home ଜିଲ୍ଲା ପରିକ୍ରମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଭବନ ଓ ବାର୍ଷିକ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଭବନ ଓ ବାର୍ଷିକ

63

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାଇପାସ ଛପୁଲିଆ ସ୍ଥିତ ନୂତନ ଗୃହ ପ୍ରାଙ୍ଗଣରେ ବିଦ୍ୟାଳୟର ୪୦ତମ ବାର୍ଷିକ ଉତ୍ସବ ଓ ନୂତନ ଭବନର ଶୁଭ ଉଦ୍‌ଘାଟନ ଉତ୍ସବ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ତଥା ଚେୟାରମ୍ୟାନ କ୍ରିଷ୍ଣାଦାଗା ଚେରିଟେବୁଲ ଟ୍ରଷ୍ଟ ନରେନ୍ଦ୍ର ଦାଗାଙ୍କ ଆର୍ଥିକ ସହାୟତରେ ଅନୁଷ୍ଠିତ ନବନିର୍ମିତ ବିଦ୍ୟାଳୟକୁ ତାଙ୍କର କରକମଳରେ ଶୁଭଉଦ୍‌ଘାଟନ ହୋଇଯାଇଛି । ବିଦ୍ୟାଳୟର ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ହୃଷିକେଶ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଶ୍ରୀ ଦାଗା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ସଂଗଠନ ମନ୍ତ୍ରୀ ବିଦ୍ୟାଭାରତୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ ମୁଖ୍ୟବକ୍ତାଭାବେ ଯୋଗଦେଇ ଶିଶୁ ମନ୍ଦିରର ଶିକ୍ଷା ପଦ୍ଧତି ଉପରେ ଆଲୋକପତ କରିଥିଲେ । ସମ୍ମାନିତ ଅତିଥି ଭାବେ ସଂଗଠନ ମନ୍ତ୍ରୀ, ଶିକ୍ଷାବିକାଶ ସମିତି, ଓଡିଶା ତାରକ ଦାସ ସରକାର ଯୋଗଦେଇଥିବା ବେଳେ, ବିଦ୍ୟାଳୟ ସଂପାଦକ ତଥା ଆଇନ୍‌ଜୀବୀ ସନ୍ତୋଷ କୁମାର ଦାସ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭାଗବତ ମହାଳିକ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଅତିଥି ପରିଚୟ, ବରିଷ୍ଠ ଆଚାର୍ଯ୍ୟା ଜୟଶ୍ରୀ ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ସମାଜସେବୀ ହେମନ୍ତ ପାଢ଼ୀ, ବିଶିଷ୍ଟ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା । ସେହିପରି ବିଦ୍ୟାଳୟର ମୁଖପତ୍ର ଅତିଥି ମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା । ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉକି, ପ୍ରାରମ୍ଭରେ ମୁଖ୍ୟଅତିଥି ତଥା ବିଶିଷ୍ଟ ଶିଳ୍ପୀପତି ନରେନ୍ଦ୍ର ଦାଗାଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁଜୀଗୁରୁମା ମାନେ ବନାଢ଼୍ୟ ଶୋଭାଯାତ୍ରାରେ ଡାହାଣୀଗଣିଆ ଛକଠାରୁ ନୂତନ ଗୃହ ଛପୁଲିଆ ପାଖକୁ ପାଛୋଟି ଆଣିଥିଲେ । ପରେ ମୁଖ୍ୟଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରିବା ସହ ନୂତନ ଗୃହର ଉଦ୍‌ଘାଟନ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.