ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତିକୁ ନେଇ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଗତକାଲି ସନ୍ଧ୍ୟାରେ ଓସୱାନ୍ ଭିସି ହଲ୍ରେ ସମୀକ୍ଷା କରିଛନ୍ତି । ଅନୁଷ୍ଠିତ ସମୀକ୍ଷା ବୈଠକରେ ୭ଟି ବ୍ଲକ୍ର ତହସିଲଦାର, ବିଡିଓମାନଙ୍କ ସମେତ ଅନ୍ୟାନ୍ୟ ବିଭାଗର ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ । ବିଶେଷକରି ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବାସଗୃହ ଯୋଜନା, ଦାରିଦ୍ର୍ୟ ଦୂରୀକରଣ ଯୋଜନା, ହାଇସ୍କୁଲ ଗୁଡିକର ରୂପାନ୍ତୀକରଣ, ଡିଜିଟାଲ କ୍ରପ୍ ସର୍ଭେ ଓ ଚାଷୀ ପଂଜିକରଣକୁ ନେଇ ଜିଲାପାଳ ଅଧିକ ଗୁରୁତ୍ୱ ଦେଇଥିଲେ । ଏହିସବୁ ଯୋଜନାର କାର୍ଯ୍ୟ ଗୁଡିକ ସଠିକ୍ ଭାବେ ରୂପାୟନ କରିବା ସହ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ତାଗିଦ କରିଥିଲେ । ଏହାବ୍ୟତୀତ ଆମା ହସ୍ପିଟାଲ, ଆଧାର କେନ୍ଦ୍ର ଗୁଡିକର କାର୍ଯ୍ୟକାରିତାକୁ ମଧ୍ୟ ଅନୁଧ୍ୟାନ କରିଥିଲେ । ଗତକାଲି ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଦୁଇ ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି ଓ ରାମଦାସ ଟୁଡୁ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲା ନିର୍ବାହୀ ଅଧିକାରୀ ପ୍ରତାପ ପ୍ରୀତିମୟ , ଉପଜିଲାପାଳ ମନୋଜ ପାତ୍ର, ଅତିରିକ୍ତ ଉପଜିଲାପାଳ ଲକ୍ଷ୍ମୀପ୍ରସାଦ ସାହୁ, ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା,ମୁଖ୍ୟ ଜିଲା କୃଷି ଅଧିକାରୀ ମଳୟ କୁମାର ଦ୍ୱାରି, ଜିଲା କୃଷି ଅଧିକାରୀ ଶ୍ରୀଧର ଦାସ, ଏଆରସିଏସ୍ ପ୍ରାଚିତା ଜେନା ପ୍ରମୁଖ ଯୋଗଦେଇଥିଲେ ।