ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ବିରୋଳି ରାଜସ୍ୱ ଗ୍ରାମର ଦାଣ୍ଡକୂଳସାହି ଯୁଗଳ ଯେନାଙ୍କ ଘର ସମ୍ମୁଖରେ ଖନନ ହୋଇଥିବା ଗଭୀର ନଳକୂପକୁ ଅବରାଧ କରାଯାଇଥିବା ଅଭିଯୋଗ ହୋଇଛି । ସାହିର ଏକମାତ୍ର ପରିବାର ପରିହିତରେ ବ୍ୟବହାର ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଖନନ ହୋଇଥିବା ଏହି ଗଭୀର ନଳକୂପ ବ୍ୟକ୍ତିଗତ ଜମିରେ ସ୍ଥାପିତ ହୋଇଛି ବୋଲି ଅଭିଯୋଗ ହୋଇଛି । ମୁଢାପଦା-ଦେହୁଡିଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ପାଶ୍ୱର୍ରେ ଏହି ନଳକୂପ ଗତ ଅଗଷ୍ଟ ମାସରେ ସ୍ଥାପନା କରାଯାଇଛି । ସରକାରଙ୍କ ତହବିଲରୁ ଏହି ନଳକୂପ ପାଇଁ ଲକ୍ଷାଧିକ ଟଙ୍କାର ବିଲ ବ୍ଲକ ମାଧ୍ୟମରେ ପୈଠ ହୋଇଛି । ଅନ୍ୟପକ୍ଷରେ ଯୁଗଳ ଯେନା ଜୋରଜବରଦସ୍ତ ଏହି ଗଭୀର ନଳକୂପକୁ ବାଡବୁଜି ଅବରୋଧ କରିଦେଇଥିବାରୁ ସେଠାକୁ ଅନ୍ୟ ବ୍ୟବହାରକାରୀମାନେ ପାନୀୟ ଜଳ ପାଇଁ ଯିବା ସମ୍ଭବପର ହେଉନାହିଁ । ସଂପୃକ୍ତ ସାହିର କାହ୍ନୁ ମହାଳିକ ୩୦ଜଣ ବିଶିଷ୍ଟ ପରିବାରର ପାଇଁ ନଳକୂପ ବ୍ୟବସ୍ଥା ନଥିବା ବେଳେ ଯୁଗଳ ଯେନାଙ୍କ ମାତ୍ର ୩ ଜଣ ସଦସ୍ୟ ପରିବାର ପାଇଁ ଗଭୀର ନଳକୂପ ସ୍ଥାପନ କରାଯିବା ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ ହୋଇଛି । ଏଭଳି କୁକାର୍ଯ୍ୟ ପାଇଁ ପଞ୍ଚାୟତ ପ୍ରତି ଗ୍ରାମବାସୀମାନେ ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ବେଳେ ବ୍ଲକ ପାନୀୟ ଜଳ କନିଷ୍ଠ ଯନ୍ତ୍ରୀ ଦିବାକର ସାହୁ ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି ମତ ଦେବା ସହ ଏଥିନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମତ ରଖିଛନ୍ତି ।