ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଅନ୍ତିମ ଦିବସରେ ମା’ ଭଦ୍ରକାଳୀ ଆଜି ମହାଲକ୍ଷ୍ମୀ ବେଶରେ ସଜ୍ଜିତ ହୋଇଥିଲେ । ମହାଲକ୍ଷ୍ମୀ ବେଶରେ ମା’ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିଥିବା ବେଳେ ତା’ଙ୍କର ମୁଖ ମଣ୍ଡଳ ମଧ୍ୟ ହଳଦିଆ ଥିଲା । ପଦ୍ମାସନରେ ମା’ ବିରାଜମାନ କରିଥିବା ବେଳେ ହସ୍ତୀ ଓ ପେଚା ମା’ଙ୍କର ବାହନ ଥିଲା । ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତା ହୋଇ ଚତୁର୍ଦ୍ଧାମୂର୍ତ୍ତୀରେ ପ୍ରକଟ ହୋଇଥିଲେ ମା’ ଭଦ୍ରକାଳୀ । ମା’ଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ କଲେ ଧନ, ଜନ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ସପ୍ତମାତୃକା ବେଶର ଅନ୍ତିମ ଦିନରେ ମା’ ମହାଲକ୍ଷ୍ମୀ ବେଶରେ ପୂଜା ପାଇବା ପରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତୀ ପର୍ବ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଶେଷ ଦିବସରେ ପ୍ରାୟ ୧୫/୧୮ ହଜାର ଭକ୍ତ ମା’ଙ୍କ ପ୍ରସାଦ ସେବନ କରିଥାଆନ୍ତି । ମାତ୍ର ଚଳିତ ବର୍ଷ କୋବିଡ଼ ନିୟମାନୁଯାୟୀ ପର୍ବ ପାଳନ ହେଉଥିବାରୁ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ଭକ୍ତଶୂନ୍ୟ ଭାବେ ସମସ୍ତ ରୀତିନୀତି ଅନୁଯାୟୀ ସପ୍ତମାତୃକା ବେଶ ସମ୍ପନ୍ନ ହୋଇଛି ।