Home ଜିଲ୍ଲା ପରିକ୍ରମା ସମସ୍ୟା ଘେରରେ ଭଦ୍ରକ ସହରର ପ୍ରସିଦ୍ଧ ପଞ୍ଚମୁଖୀ ହନୁମାନ ମନ୍ଦିର, ସୁରକ୍ଷା ନେଇ କର୍ତ୍ତୃପକ୍ଷ ଉଠାଇଲେ...

ସମସ୍ୟା ଘେରରେ ଭଦ୍ରକ ସହରର ପ୍ରସିଦ୍ଧ ପଞ୍ଚମୁଖୀ ହନୁମାନ ମନ୍ଦିର, ସୁରକ୍ଷା ନେଇ କର୍ତ୍ତୃପକ୍ଷ ଉଠାଇଲେ ପ୍ରଶ୍ନ, କାର୍ଯ୍ୟାନୁଷ୍ଠାନ ନହେଲେ ଜନ ଆନ୍ଦୋଳନ ଚେତାବନୀ

115

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ ସାଳନ୍ଦୀ ନଦୀ କୂଳ ସାହାପୁର ଠାରେ ଦୀର୍ଘ ବର୍ଷରୁ ପୂଜା ପାଇ ଆସୁଥିବା ପ୍ରସିଦ୍ଧ ପଞ୍ଚମୁଖୀ ହନୁମାନ ମନ୍ଦିରର ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେତେବେଳେ ବର୍ତ୍ତମାନର ଲୋକପ୍ରିୟ ରାଜ୍ୟ ସରକାର ବିଭିନ୍ନ ଧର୍ମୀୟ ଅନୁଷ୍ଠାନର ଉନ୍ନତି କଳ୍ପେ କୋଟି କୋଟି ଟଙ୍କା ମଂଜୁର କରୁଛନ୍ତି, ସେତେବେଳେ ଏହି ମନ୍ଦିରର ଚତୁଃପାଶ୍ୱର୍ରେ ଥିବା ସରକାରୀ ଜମିରେ ବହୁ ଅଣଓଡିଆ ଲୋକଙ୍କୁ ଜାଗା ମିଶନ ଯୋଜନାରେ ସ୍ଥାୟୀ ପକ୍କାଘର ପ୍ରଦାନ କରିବା କେତେଦୂର ସମୀଚିନ, ସେଥିନେଇ ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏପରିକି ଯେତେବେଳେ ରାଜ୍ୟ ସରକାର ବିଭିନ୍ନ ପୌରପାଳିକାରେ ଥିବା ଡଷ୍ଟବିନ୍ ଗୁଡିକ ଉଠାଇ ଅଳିଆ ଗାଡି ମାଧ୍ୟମରେ ସଫେଇ କାର୍ଯ୍ୟ ଆରମ୍ଭ କରିଛନ୍ତି, ସେତେବେଳେ ଭଦ୍ରକ ଭଳି ଏକ ସମ୍ବେଦନଶୀଳ ପୌରାଞ୍ଚଳରେ ଏହି ମନ୍ଦିର ପାଶ୍ୱର୍ରେ ଥିବା ଡଷ୍ଟବିନ୍ ନଉଠାଇ ସେଥିରେ ବିଭିନ୍ନ ଆମିଷ ଜାତୀୟ ପଚାସଢା ମାଛ-ମାଂସ କଣ୍ଟା ସେଥିରେ ପକାଯାଇ ମନ୍ଦିର ଭଳି ଏକ ଆଧ୍ୟାତ୍ମିକ ପରିବେଶକୁ ଦୂଷିତ କରିବା ପୌର କର୍ତ୍ତୃପକ୍ଷଙ୍କର ହୀନ ମନୋଭାବର ପରିଚୟ ଦେଇଛି । ଏ ସଂପର୍କରେ ଦୀର୍ଘବର୍ଷରୁ ମନ୍ଦିର ଟ୍ରଷ୍ଟର ଜଣେ ଆଗଧାଡିର ସଦସ୍ୟ ହରିହର ନନ୍ଦି ପୌର କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ସନ୍ତୋଷ ଜନକ ଉତ୍ତର ନପାଇବା ବହୁ ଭକ୍ତଙ୍କ ଭାବାବେଗରେ କୁଠାରଘାତ କରିଛି । ଯାହା ଜଣାଯାଏ ଏହି ମନ୍ଦିର ସାହାପୁର ନିବାସୀ ଜନୈକ ସେବକ ଅମିୟ କୁମାର ଦାସଙ୍କ ନିଜ ଜମି ଉପରେ ହୋଇଥିବା ବେଳେ ଏହା ଏକ ଟ୍ରଷ୍ଟ ମାଧ୍ୟମରେ ଚାଲୁଅଛି । ପ୍ରତ୍ୟହ ବହୁ ଭକ୍ତଙ୍କର ଏଠାରେ ସମାଗମ ହେଉଥିବା ବେଳେ ବିଭିନ୍ନ ସମୟରେ ବିବାହ ବ୍ରତ ଭଳି ପୂଣ୍ୟକର୍ମ ମଧ୍ୟ ହୋଇଥାଏ ।

ତେବେ ଏହି ମନ୍ଦିରର ପାଚେରୀର ଚତୁର୍ପାଶ୍ୱର୍ରେ ବହୁ ଅଣଓଡ଼ିଆ ଲୋକେ ଘର କରି ରହିବା ସହିତ ମନ୍ଦିରର ପାଚେରୀକୁ ଲଗାଇ ଖୋଲା ପାଇଖାନା ତିଆରି କରି ମନ୍ଦିରର ବାତାବରଣ ଓ ପରିବେଶକୁ ଦୂଷିତ କରିବା ସହ ଏହାର ଦୁଇପାଶ୍ୱର୍କୁ ଛୋଟ ବଡ ମାଲବାହୀ ଗାଡି ପାର୍କିଂରେ ପରିଣତ କରିସାରିଲେଣି । ମନ୍ଦିରର ମୁଖ୍ୟ ଫାଟକ ସମ୍ମୁଖରେ ପୌରପାଳିକା ପକ୍ଷରୁ ଏକ ଡଷ୍ଟବିନ୍ ରଖା ଯାଇଛି, ଯେଉଥିରେ ବିଭିନ୍ନ ଅଳିଆ ସହିତ ବଳକା ମାଛ ମାଂସ ଖାଦ୍ୟ, ମାଂସ କଣ୍ଟା ଆଦି ପକା ଯାଉଛି । ଯାହା ପଚି ଦୁର୍ଗନ୍ଧ କରି ପରିବେଶକୁ ଦୂଷିତ କରୁଛି । ଏ ସମ୍ପର୍କରେ ୨୦୦୭ ମସିହାଠାରୁ ଭଦ୍ରକ ପୌରପାଳିକା, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ରାଜ୍ୟ ପଲ୍ୟୁସନ ବିଭାଗ, ଏପରିକି ଡି.ଜି. ପୁଲିସ ପର୍ଯ୍ୟନ୍ତ ଅଭିଯୋଗ କରାଯାଇଥିଲେ ମଧ୍ୟ ଏହାର ସମାଧାନ ହେଉ ନାହିଁ କି ଉକ୍ତ ଡଷ୍ଟବିନ୍‌କୁ ସେଠାରୁ ଉଠା ଯାଉନାହିଁ । ଯାହା ପାଇଁ ଅଜି ମନ୍ଦିର ଧିରେଧିରେ ଅସୁରକ୍ଷିତ ହେବାକୁ ଯାଉଛି ବୋଲି ଏହାର ମୁଖ୍ୟ ଅମିୟ କୁମାର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ସହିତ କ୍ଷୋଭ ପ୍ରକଟ କରିଛନ୍ତି । ତାଙ୍କ ଅଭିଯୋଗ ମୂଳେ ଯେତେବେଳେ ସହରର ବାଇପାସ୍‌ସ୍ଥିତ ଏକ ହୋଟେଲ ସମ୍ମୁଖରେ ଥିବା ଡଷ୍ଟବିନ୍‌କୁ ଉଠାଯାଇପାରୁଛି, ସେତେବେଳେ ହିନ୍ଦୁଙ୍କର ଆରାଧ୍ୟ ଦେବତା ପଞ୍ଚମୁଖୀ ହନୁମାନଙ୍କ ମନ୍ଦିର ସାମ୍ନାରେ ଥିବା ଡଷ୍ଟବିନ୍‌କୁ ଉଠାନଯିବା ପୌର କର୍ତ୍ତୃପକ୍ଷଙ୍କ ଆକ୍ରୋଶ ମୂଳକ ମନୋଭାବକୁ ପ୍ରମାଣିତ କରୁଛି । ଏଣୁ ସେବକ ଶ୍ରୀ ଦାସ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ମନ୍ଦିରର ସୁରକ୍ଷା ପାଇଁ ପ୍ରଶାସନକୁ ନିବେଦନ କରିଥିବାବେଳେ ବହୁ ବୁଦ୍ଧିଜୀବୀ ଓ ଭକ୍ତ ଏହାର ସୁବନ୍ଦୋବସ୍ତ କରାନଗଲେ ଆଗାମୀ ଦିନରେ ଯେଉଁ ଜନ ଆନ୍ଦୋଳନ କରାଯିବ, ସେଥିପାଇଁ ପୌର କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.