Home ଜିଲ୍ଲା ପରିକ୍ରମା ସଚେତନତା, ସତର୍କତା ଓ ପୂର୍ବ ପ୍ରସ୍ତୁତି ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ, ସୁନାମି ସତର୍କତା ମକଡ଼୍ରିଲ୍ ପାଇଁ...

ସଚେତନତା, ସତର୍କତା ଓ ପୂର୍ବ ପ୍ରସ୍ତୁତି ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ, ସୁନାମି ସତର୍କତା ମକଡ଼୍ରିଲ୍ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

107

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା, ବାତ୍ୟା ଭଳି ସୁନାମି ମଧ୍ୟ ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ଏଥିରେ ମଧ୍ୟ ବହୁ ଧନ ଜୀବନ ହାନି ହେବାର ଆଶଙ୍କା ରହିଛି । ସମୁଦ୍ର ଗର୍ଭରେ ଭୂମିକମ୍ପ ସୃଷ୍ଟି ହେଲେ ସମୁଦ୍ର ମଝିରେ ସୁନାମି ଜନ୍ମ ନେଇ କୂଳଆଡ଼କୁ ଏତେ ଉଚ୍ଚତାରେ ଢ଼େଉ ସବୁମାଡ଼ି ଆସେ ଯେ ପୂର୍ବ ପ୍ରସ୍ତୁତି ବିନା ତା’ର ମୁକାବିଲା ପାଇଁ ତର ମିଳିନଥାଏ । ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଧନ ଜୀବନ ରକ୍ଷା ନିମନ୍ତେ ଓଡ଼ିଶା ସରକାରଙ୍କ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ବ୍ଲକ୍‌ସ୍ତରୀୟ ସୁନାମି ସତର୍କତା ମକ୍‌ଡ଼୍ରିଲ ପାଇଁ ସଂସ୍କୃତି ଭବନରେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋରମା ଜାଲି ପାୱାର ପଏଣ୍ଟ ଜରିଆରେ ପ୍ରଶିକ୍ଷଣ ଧର୍ମୀ ଉପସ୍ଥାପନା ରଖିବା ସହିତ ବ୍ଲକ୍ ସ୍ତରୀୟ ମକ୍‌ଡ଼୍ରିଲ୍ ଆୟୋଜନ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ସୁନାମି କ’ଣ ? ଅଥଳ ସମୁଦ୍ର ଗର୍ଭରେ ଭୂମିକମ୍ପ କାହିଁକି ସୃଷ୍ଟି ହୁଏ ଓ ଭୂମିକମ୍ପ ଯୋଗୁଁ ଉତ୍‌ଥାଳ ସାମୁଦ୍ରିକ ଢେଉ କିପରି ଭୟଙ୍କର ସୁନାମି ରୂପ ନେଇ ଉପକୂଳ ଅଞ୍ଚଳରେ ଜନବସତିର ପ୍ରଭୁତ କ୍ଷତିସାଧନ କରିଥାଏ ସେ ସମ୍ବନ୍ଧରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଅଦ୍ୟାବଧି ଓଡ଼ିଶାରେ ସୁନାମିର ପ୍ରକୋପ ଦେଖାଯାଇ ନଥିଲେ ବି ୨୦୦୪ ରେ ତାମିଲନାଡ଼ୁରେ ସୁନାମି ଯୋଗୁଁ ଧନ ଜୀବନ ନଷ୍ଟ ହେଲାଭଳି ଭବିଷ୍ୟତରେ ଓଡ଼ିଶା ଉପକୂଳରେ ଯେ ଦେଖା ନ ଦେବ ତା’ର ନିଶ୍ଚିତତା ନାହିଁ ବୋଲି ପ୍ରକାଶ କରିଥିଲେ ।

ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍‌ର ଅଧିକ ଓ ଚାନ୍ଦବାଲି ବ୍ଲକ୍‌ର କିଛି ଅଂଶ ସମୁଦ୍ରକୁ ଲାଗି ଥିବାରୁ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ସୁନାମି ସତର୍କତା ମକ୍‌ଡ଼୍ରିଲ ବାସୁଦେବପୁର ବ୍ଲକ୍‌ର ୩ଟି ଗାଁରେ ଆୟୋଜନ କରାଯିବା ନେଇ ଚିହ୍ନଟ କରାଯାଇଛି । ଆଗାମୀ ଅକ୍ଟୋବର ୪ ତାରିଖ ଦିନ ପଢ଼ୁଆ, ମୋହନପୁର, ମୂଳଡ଼ିହା ଗ୍ରାମରେ ହେବାକୁ ଥିବା ଏହି ବ୍ଲକ୍ ସ୍ତରୀୟ ମକଡ଼୍ରିଲ ପାଇଁ ସେପ୍ଟେମ୍ବର ୩୦ରେ ବାସୁଦେବପୁର ବ୍ଲକ୍‌ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ପ୍ରଦାନ କରାଯାଇଛି । ସୁନାମି ସତର୍କତା ନେଇ ପ୍ରଦତ୍ତ ସୂଚନାକ୍ରମେ ସୁନାମି ମାଡ଼ିଆସିବାର ବିପରୀତ ଦିଗରେ ଯେତେ ଦୂରକୁ ଓ ଯେତେ ଉଚ୍ଚ ଜାଗାକୁ ଯେତେ ଶୀଘ୍ର ଯିବା ଆବଶ୍ୟକ । ସେଥିପାଇଁ ପୂର୍ବରୁ ନିରାପଦ ଆଶ୍ରୟ ସ୍ଥଳୀ ସହିତ ନିରାପଦ ଓ ସବୁଠୁ କମ୍ ରାସ୍ତାକୁ ଚିହ୍ନଟ କରାଯାଇ ଜନ ସଚେତନତା ଉଦ୍ଦେଶ୍ୟରେ ଫଳକ ଲାଗାଯିବା ଆବଶ୍ୟକ । ସୂଚନା ଯୋଗ୍ୟ କି ସୁନାମି ଢ଼େଉ ଦେଢ଼ କି.ମି.ରୁ ୨ କି.ମି. ପର୍ଯ୍ୟନ୍ତ ମାଡ଼ୁଥିବାର ଦେଖାଯାଇଥିବାରୁ ୩ କି.ମି. ଦୂରତାକୁ ଲୋକଙ୍କୁ ସ୍ଥାନାନ୍ତର କରାଗଲେ ସୁନାମି ବିପର୍ଯ୍ୟୟରୁ ପ୍ରାଣୀ, ଜନ ଜୀବନ ରକ୍ଷା କରିହେବ । ସୁନାମି ବିପର୍ଯ୍ୟୟ ପରିଚାଳନା ନେଇ ସଂପୃକ୍ତ ସରକାରୀ ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି, ଅଗ୍ନିଶମ, ପୋଲିସ୍‌, ଗଣମାଧ୍ୟମ ପ୍ରଭୃତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଆଲର୍ଟ ସିଷ୍ଟମ୍ ଉପରେ ଆଲୋକପାତ କରାଯାଇଥିଲା । ୪ ତାରିଖରେ ହେବାକୁ ଥିବା ମକ୍‌ଡ଼୍ରିଲ୍ ପାଇଁ ରାଜ୍ୟସ୍ତରରୁ ଜିଲ୍ଲାକୁ, ବ୍ଲକ୍‌କୁ ଏବଂ ବ୍ଲକ୍‌ରୁ କମ୍ୟୁନିଟିକୁ ଆସିବାକୁ ଥିବା ସୁନାମି ସୃଷ୍ଟି ଜନିତ ଆଗୁଆ ସୂଚନା ସମ୍ବଳିତ ବାର୍ତ୍ତା ଅନୁସାରେ ପ୍ରସ୍ତୁତି ପ୍ରକ୍ରିୟା ପ୍ରଦର୍ଶନ କରାଯିବ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ଜିଲ୍ଲା ସଂଯୋଜକ ଅମ୍ଳାନ ଅନୁପମ ସେନାପତି ଏହି ବୈଠକ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ୍ ଜିଲ୍ଲା ମତ୍ସ୍ୟଧିକାରୀ ପ୍ରକାଶ ନାୟକ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.