Home ଜିଲ୍ଲା ପରିକ୍ରମା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ, ମନ ମୋହିଲେ ଅନୁରାଧା ପୋଡ଼ୱାଲ, ଅନୁପ...

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ, ମନ ମୋହିଲେ ଅନୁରାଧା ପୋଡ଼ୱାଲ, ଅନୁପ ଜଲୋଟା, ସୁବାସ ଦାସ

12

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପବିତ୍ର ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀର ଗୌରବମୟ ଅଧ୍ୟାୟରେ ଯୋଡ଼ି ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ ପାଳନ ଅବସରରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭଦ୍ରକ ଜିଲ୍ଲା ପୁରପଲ୍ଲୀ ଚଳଚଞ୍ଚଳ ହୋଇ ଉଠିଛି । ଜିଲ୍ଲାର ସମସ୍ତ ବ୍ଲକ, ପଞ୍ଚାୟତ ସଦର ମହକୁମାରେ ଏହି ଉତ୍ସବ ପାଳନ ଉପଲକ୍ଷେ ବିଶାଳ ଜନସମାବେଶ ନେଇ ଭଜନ, କୀର୍ତ୍ତନ, ପ୍ରବଚନ, ନୃତ୍ୟ, ନାଟକ ଆଦି କାର୍ଯ୍ୟକ୍ରମ ଦିବସ ସନ୍ଧ୍ୟା ତମାମ୍ ଲାଗି ରହିଛି । ହଜାର୍ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ସାମୂହିକ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଉଛି । ଓଡ଼ିଶା୍ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଭଦ୍ରକ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଭଦ୍ରକ ଶହିଦ ଭବନ ମଞ୍ଚରେ ଭୁବନେଶ୍ୱରର ବିଦ୍ୟାକନକ ସୃଜନାନୁଷ୍ଠାନ ଦ୍ୱାରା ନାଟକ ‘ମାଉସୀ ମା’ ପରିବେଷଣ କରାଯାଇଥିଲା । ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ନାଟ୍ୟକାର କବିତିଳକ ଆର୍ତ୍ତତ୍ରାଣ ଶତପଥୀଙ୍କ ଦ୍ୱାରା ରଚିତ ଓ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ନାଟକ ଜଗନ୍ନାଥ ସଂସ୍କୃତି ଆଧାରିତ ବେଶ ମର୍ମସ୍ପର୍ଶୀ ଥିଲା । ଭଦ୍ରକ ପୌରପାଳିକା ଦ୍ୱାରା ଭଦ୍ରକ କଲେଜ ପଡ଼ିଆରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାମୀଦାମୀ ବଲିଉଡ଼୍ ଭଜନ ସାମ୍ରାଜ୍ଞୀ ଅନୁରାଧା ପୋଡ଼ୱାଲ ଓଡ଼ିଆ ଓ ହିନ୍ଦୀରେ ଭଜନ ପରିବେଷଣ କରି ଜନ ମନକୁ ଜଗନ୍ନାଥମୟ କରିଥିଲେ । ଶୋଭନା ମିଶ୍ରଙ୍କ ଉଦ୍‌ଘୋଷଣା ସହିତ ବିଷ୍ଣୁମୋହନ କବି ଏବଂ ତାଙ୍କ ଦଳଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ଥିଲା । ପୈରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସଂଜିବ୍ କୁମାର ମଲ୍ଲିକ୍‌, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌.ପି. ବରୁଣ ଗୁଣ୍ଟପାଲି ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।

ସେହିପରି ଭଦ୍ରକ ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମ ହରିବୋଲ କ୍ଷେତ୍ର ବେନ୍ତାଳ ଗ୍ରାମପଞ୍ଚାୟତର କେଶପୁର ଠାରେ ଆୟୋଜିତ ହୋଇଥିଲା । ଖ୍ୟାତନାମା ବଲିଉଡ଼୍ ଭଜନ ସମ୍ରାଟ ଅନୁପଜଲୋଟା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭଜନ ପରିବେଷଣ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ତାରକା ଉଦ୍‌ଘୋଷିକା ଗୁନ୍‌ଗୁନ୍‌ଙ୍କ ଆକର୍ଷଣୀୟ ଉଦ୍‌ଘୋଷଣା ସହ କଣ୍ଠଶିଳ୍ପୀ ସତ୍ୟଜିତ୍ ପ୍ରଧାନ ଓ ଦିପ୍ତିରେଖାଙ୍କ ସଂଗୀତ ପରିବେଷଣ ଭରପୁର ଦର୍ଶକଙ୍କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଭଦ୍ରକ ବି.ଡ଼ି.ଓ. ସୀତାକାନ୍ତ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥିଭାବେ ଭଦ୍ରକ ବିଧାୟକ, ଭଦ୍ରକ ଜିଲ୍ଲାପାଳ, ଭଦ୍ରକବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ତିହିଡ଼ି ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମରେ ବରିଷ୍ଠ ଓଡ଼ିଆ କଣ୍ଠଶିଳ୍ପୀ ସୁବାସ ଦାସ ଭଜନ ପରିବେଷଣ କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକ୍ ସଦର ମହକୁମାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ଭଜନ, ସଙ୍ଗୀତ ନୃତ୍ୟ ପରିବେଷଣ କରାଯାଇଥିଲା । ଭଦ୍ରକ ମ୍ୟୁନିସି ପାଲଟିର ସମସ୍ତ ୱାର୍ଡ଼ରେ ଏଲ୍‌.ଇ.ଡ଼ି. ଦ୍ୱାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପଣ ଉତ୍ସବର ସିଧାସଳଖ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ବ୍ଲକ୍ ଓ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମରେ ମଧ୍ୟ୍ ଏଲ.ଇ.ଡ଼ି. ଯୋଗେ ସିଧାସଳଖ ପ୍ରଦର୍ଶନ ବ୍ୟବସ୍ଥା କରାଯାଇଥିଲା । ଆୟୋଜିତ କେତେକ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ପ୍ରବଚନ, ଶୋଭାଯାତ୍ରା ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବାସୁଦେବପୁର ବ୍ଲକ୍‌ରେ ଏଡ଼ତାଳ ହାଇସ୍କୁଲରେ, ଚାନ୍ଦବାଲି ବ୍ଲକ୍‌ର କାଳୀ ପଡ଼ିଆ ଚାନ୍ଦବାଲିରେ, ଧାମନଗର ବ୍ଲକ୍‌ର ସାଇ ମନ୍ଦିର ପଡ଼ିଆରେ, ଭଣ୍ଡାରିପୋଖରୀ ବ୍ଲକ୍‌ର ଶନିମନ୍ଦିର ନିକଟରେ, ବନ୍ତ ବ୍ଲକ୍‌ର ବ୍ଲକ ପରିସରରେ, ତିହିଡ଼ି ବ୍ଲକ୍‌ରେ କାଳୀ ପଡ଼ିଆ ତିହିଡ଼ିରେ କାର୍ଯ୍ୟକ୍ରମ ଦିବସ ସନ୍ଧ୍ୟାତମାମ୍ ଆୟୋଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.