ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ଚାଲିଛି ସାରର କଳାବଜାରି । ବେଉଷଣ ସମୟରେ ଚାଷୀଙ୍କ ପାଇଁ ଆସିଥିବା ସାରକୁ ସେମାନଙ୍କୁ ଯୋଗାନଯାଇ କଳାବଜାରି କରାଯାଉଛି । ଏଥିରେ ଖୋଦ ସମବାୟ ସମିତି ଅଧିକାରୀଙ୍କ ସିଧାସଳଖ ହାତ ରହୁଛି । ଏପରି ଦୁର୍ନିତୀଖୋର ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଉଛି ଜିଲ୍ଲା ପ୍ରଶାସନ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତରେ ଥିବା ଶ୍ରୀ ଜଗନ୍ନାଥ ସେବା ସମବାୟ ସମିତି । ଏପରି ଅଭିଯୋଗ ଆଣି ସଂପୃକ୍ତ ସମିତିର ସଂପାଦକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଭଦ୍ରକ ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଗଠନରର ବରିଷ୍ଠ ସଦସ୍ୟ ସତ୍ୟରଂଜନ ନାୟକ, ବିପିନ ବିହାରୀ ବାରିକ, ଲକ୍ଷ୍ମୀଧର ରାଉତ, ଭାନୁପ୍ରକାଶ ଦାସ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ ଚଳିତ ମାସ ୯ ତାରିଖ ସମିତିର ସଂପାଦକ ପ୍ରକାଶ ଚନ୍ଦ୍ର ରାଉତ୍ ଏକ ମିନିଟ୍ରକ ଯୋଗେ ଗୋଦାମରେ ଥିବା ୟୁରିଆ ସାର ସ୍ଥାନାନ୍ତର କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ କିଛି ଚାଷୀ ଏହାକୁ ବିରୋଧ କରିବାରୁ ଲୋଡ ହୋଇଥିବା ସାରକୁ ଅନଲୋଡ କରି ଗୋଦାମ ଗୃହରେ ରଖାଯାଇଥିଲା । ସଂପାଦକ ଏହି ସମୟରେ ଏରିଆ ମ୍ୟାନେଜରଙ୍କ ସହ ଯୋଗଯୋଗ କରିବାକୁ ୧୦ ତାରିଖ ଚାଷୀଙ୍କୁ ସାର ଦେବାକୁ ନିଷ୍ପତ୍ତି ହୋଇଥିଲା । ସେହି ଅନୁଯାୟୀ ୧୦ ତାରିଖ ବହୁ ଚାଷୀ ନିଜର ଆଧାର କାର୍ଡ଼ ଧରି ସେଠାରେ ପହଞ୍ଚିଥିଲେ ମଧ୍ୟ ସଂପାଦକ ନିଜେ ସେଠାକୁ ନଆସି ପିଅନ ପଠାଇ ଏହି ସାର ଦୋବଲ ସମିତିର ବୋଲି କହି ସାର ଦେଇ ନଥିଲେ । ଏଥି ସହ ତାରିଖ ନଥିବା ଏକ ଚାଲାଣ ଦେଖାଇଥିଲେ । ତେଣୁ କେତେକ ଚାଷୀ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏବିଷୟରେ ଜଣାଇବାରୁ, ଚଳିତ ବର୍ଷ ଦୋବଲ ସମିତି ନିୟମାନୁଯାୟୀ ଲାଇସେନନ୍ସ କରିନଥିବା ଜଣାପଡ଼ିଥିଲା । ତେଣୁ ସାରର ନିଅଣ୍ଟିଆ ପରିସ୍ଥିତି ସମୟରେ ସକରାରଙ୍କ ଦ୍ୱାରା ସ୍ୱିକୃତିପ୍ରାପ୍ତ ସାର ବଣ୍ଟନକାରୀ ସଂସ୍ଥା ଓଏସସିଏମଏଫ, ଏଆରସିଏସ, ଶ୍ରୀ ଜଗନ୍ନାଥ ସେବା ସମବାୟ ସମିତିଙ୍କ ମିଳିତ ସହଯୋଗରେ ସାରର ବ୍ୟାପକ କଳାବଜାରି କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଏହି ଅଭିଯୋଗର ତଦନ୍ତ କରି ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।
Home ଜିଲ୍ଲା ପରିକ୍ରମା ଶ୍ରୀ ଜଗନ୍ନାଥ ସେବା ସମିତି ଦ୍ୱାରା ସାରର ମହାଦୁର୍ନିତୀ, କଳାବଜାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ମାରକପତ୍ର