Home Top News ଶ୍ରୀକ୍ଷେତ୍ରର ସୁରକ୍ଷା ଅତୀତ ଓ ବର୍ତ୍ତମାନ

ଶ୍ରୀକ୍ଷେତ୍ରର ସୁରକ୍ଷା ଅତୀତ ଓ ବର୍ତ୍ତମାନ

97

ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଧାମରେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ତାଙ୍କ ସଂସ୍କୃତିକୁ ରକ୍ଷା କରିବା ପାଇଁ ବହୁ ପ୍ରାଚୀନ କାଳରୁ ପ୍ରଥା ରହି ଆସିଛି। ଏ ପର୍ଯ୍ୟନ୍ତ ବି ଏ ପ୍ରଥା ଚଳିଆସୁଛି। ତଥାପି ଏହାକୁ ଆଧୁନିକ ଶୈଳୀରେ ମାର୍ଜ୍ଜିତ ଉପାୟରେ ଏହାକୁ ସମ୍ମିଳିତ କରିପାରିଲେ, ବର୍ତ୍ତମାନ, ପୁରୀ ମନ୍ଦିର ପ୍ରତି ଯେଉଁ ଆତଙ୍କବାଦୀ କାର୍ଯ୍ୟକଳାପ ହେବ ବୋଲି ଆଶଙ୍କା ରହିଛି, ତାହାକୁ ଅଚିରେ ରୋକାଯାଇ ପାରିବ।

ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ମହାପ୍ରଭୁ ଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା, ସତେଇଶ ଉପଯାତ୍ରା, ଅଷ୍ଟୋତ୍ତରଗତ ପର୍ବପର୍ବାଣୀ ମଧ୍ୟରୁ ସାହିଜାତ, ଅଖେଡ଼ା, କୋଟ, ଗୁରୁଜ ଯାଗା ଆଖେଡ଼ାର ସୃଷ୍ଟି ହୋଇଥିଲା। ଏହାରି ମାଧ୍ୟମରେ ପ୍ରାଚୀନ କାଳରେ ଜଗନ୍ନାଥ ମହାପ୍ରଭୁ ଶ୍ରୀମନ୍ଦିର ଓ ଏପରିକି ସମଗ୍ର ପୁରୀ ସହରକୁ ଅର୍ଥାତ୍‍ କୋଣାର୍କ ପାଖ ଛଇତନା ପାଖରୁ ବାଟ ମଙ୍ଗଳା ଯାଏଁ ଏପରି ପୁରୀ ସହରକୁ ପୁରୀର ସାହି ଯାଗା ଆଖେଡ଼ା କେନ୍ଦ୍ର ଭାବରେ ବିଭକ୍ତ କରାହୋଇ ବହିଃ ଆକ୍ରମଣ ଓ ଅନୁପ୍ରବେଶକାରୀଙ୍କୁ ଠାବ କରାଯାଇପାରୁଥିଲା। ପ୍ରାଚୀନ କାଳରେ ଶ୍ରୀକ୍ଷେତ୍ର ପୁରୀ ଧାମରେ ସୃଷ୍ଟି ହୋଇଥିଲା ସାତସାହି। ପ୍ରତି ସାହିରେ ସାହି ନାୟକଙ୍କ ଅଧୀନରେ ଷୋହଳ ଜଣ ବଳଶାଳୀ ଲୋକ ଉକ୍ତ ଅଞ୍ଚଳରେ ଲୋକମାନଙ୍କର ରକ୍ଷଣାବେକ୍ଷଣ, ବିପଦ ଆପଦ, ଭଲମନ୍ଦ ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟକୁ ପରିଚାଳନା କରୁଥିଲେ। ଏହାକୁ ତତ୍‍କାଳୀନ ଗଜପତି ସନନ୍ଦ ମାଧ୍ୟମରେ ଅନୁମୋଦିତ କରୁଥିଲେ। ସାହି ନାୟକଙ୍କ ନେତୃତ୍ୱରେ ସାହି ମଧ୍ୟସ୍ଥଳରେ ଆଖଡ଼ା ସୃଷ୍ଟି ହୋଇ ସାହିର ହାନିଲାଭ ବିଚାର କରୁଥିଲେ। ସୀମା ସରହଦକୁ ନେଇ ଜନସଂଖ୍ୟାକୁ ଦେଖି ଜାଗା ସୃଷ୍ଟି ହୁଏ। ଏହି ଜାଗାରେ ଆଖପାଖର ଯୁବକମାନେ ସକାଳେ ସନ୍ଧ୍ୟାରେ ଏକତ୍ରିତ ହୋଇ ବିଭିନ୍ନ ସାଧନା କରନ୍ତି। ଏହି ଜାଗା ଘରଟିରେ ଗୋଟିଏ ବିରାଟ ଅଗଣା, ଗୋଟେ ବଡ଼ଘର, ଗୋଟିଏ ଖେଳ ଜାଗା ତାକୁ ଫୁଲକା କୁହାଯାଏ। (ସେଠାରେ ମଲ୍ଲ ବିଦ୍ୟା ଓ ଅନ୍ୟାନ୍ୟ ସମର କୌଶଳ ଶିକ୍ଷା ଦିଆଯାଏ। ଶିକ୍ଷାପ୍ରାପ୍ତି ସମୟରେ ସେଠି ଭୂମିରେ ଖେଳାଳୀ ପଡ଼ିଗଲେ ଶରୀରରେ ଆଘାତ ଲାଗେ ନାହିଁ। ସେହି ଫୁଲକା ଚାରିପଟେ ଉଦ୍ୟାନ, ବଗିଚା, ପୁଷ୍କରିଣୀ ଆଦି ଥାଏ। ଅଗଣାରେ ଘାଷ ବା ବାଲିରେ ଭର୍ତ୍ତି ଥାଏ। ସେଠି ମେଢ଼ ନୃତ୍ୟ, ରାବଣ ନୃତ୍ୟ, ତରବାରୀ ଚାଳନା, ବନାଟି, ମୁଦଗର, ନିଝାମ, ସଂଘବଦ୍ଧ ସମର କୌଶଳ ଶିକ୍ଷା, ମଉଜ ମଜଲିସ ପାଇଁ ବାଦ୍ୟ, ସଙ୍ଗୀତ ଆଦି ପାଇଁ ବିଭିନ୍ନ ଉପକରଣ ଥାଏ। ତା’ସହିତ ଏଠି ମଲ୍ଲକୁସ୍ତି, ମେଳକୁସ୍ତି, କସରତ, ଫରଖେଳ, ବାଙ୍କ, ଛତି, ନିଝାମ, ନାଗା, ପଟା, ବାନାପଟା, ବାଡ଼ି, ଲାଠି, ଡାଲସୁପାରି, ମାଲଖମ୍ବ, ପଥରଭଙ୍ଗା, ତୁଳାବନାଟି, ବାଡ଼ିବନାଟି, ନଟୁ ଚକ୍ର, ବନାଟି, ଦର୍ପଣ ବନାଟି, ଦଉଡ଼ି ଛନ୍ଦ ପର୍ଶୁରାମ, ରାବଣ, ତ୍ରିସରା, ସଠରା, ଦୁର୍ଗା, କାଳୀ, ଗଣେଶ, ଶିବ, ଅର୍ଦ୍ଧନାରୀଶ୍ୱର, ତାନ୍ତ୍ରିକ ବିଦ୍ୟାଯୁକ୍ତ ଡାଲସୁପାରୀ, ମାଲଖମ୍ବ, ଅଭିମନ୍ୟୁ ଚକ୍ରଭେଦ, ଦଉଡ଼ିଛନ୍ଦ ଆଦି ବିଭିନ୍ନ ପ୍ରକାର ଖେଳକୌଶଳ ତାଲିମ ଦିଆ ହେଉଥିଲା। ଏହାଛଡ଼ା ରାମ ଲୀଳା, ଶ୍ରୀଜଗନ୍ନାଥ ଲୀଳା, ଲଙ୍କା ପୋଡ଼ି, ରାବଣବଦ୍ଧ, ମାୟାମୃଗ, ବନବାସ, ସୀତାଚୋରି, ସେତୁବନ୍ଧ ପ୍ରସ୍ତାବ, ନାଗାନାଚ, ପାଇକ ଆଖଡ଼ା, ଗୋଟିଏ ବାହୁରେ ଶଗଡ଼ ଚକକୁ ଧରି ବୁଲାଇବା ଓ ଶତ୍ରୁ ପକ୍ଷକୁ ଆକ୍ରମଣ। ରଘୁନାଥ ବେଶ, ନାଗାର୍ଜ୍ଜୁନ ବେଶ, ନୃସିଂହ ଅବତାର, ରାମାବତାର, ଜଗନ୍ନାଥ ଲୀଳା ମାଧୁରୀ ଆଦି ପ୍ରଦର୍ଶନ କରନ୍ତି।

ସାହି ଯାତରେ ପ୍ରତି ଜାଗା ପକ୍ଷରୁ ଗୋଟିଏ ଗୋଟିଏ ନିଶାଣ ବାହାରେ। ନିଶାଣ ଅର୍ଥ ସେ ଜାଗା ଘରର ସ୍ମାରକ ଥିବା ଚିତ୍ର। ପ୍ରତ୍ୟେକ ଜାଗା ଘରର ମେଳାଧିପତି ଏହି ନିଶାଣକୁ ଧରି ହାତୀ ପିଠିରେ ବସିି ଆଗେ ଆଗେ ଯାନ୍ତି। ନିଶାଣ ବୋଇଲେ ଗୋଟେ ବଲମ ତାହା ପାଟକନା ଓ ସୁନା, ରୂପା ଜରିଦିଆ ପାଟଶାଢ଼ୀରେ ଗୁଡ଼ା ହୋଇଥାଏ। ସେହି ବଲମ ବା କାଷ୍ଟ ଦଣ୍ଡର ଆଗରେ ଜାଗା ଘରର ପତାକା ସହିତ ତାର ସଭା ଉପରେ ହନୁମାନଜୀ ବା ବଜରଙ୍ଗବାଲୀଙ୍କ ଚିତ୍ର ଥାଏ। ସେମିତି ମଜବୁତିଆ ଦମ୍ଭିଲା ଲୋକ ନହେଲେ ସେ ନିଶାଣ ବଲମ ଧରି ଗୋଟିଏ ହାତରେ ହାତୀ ଉପରେ ଯିବା ସହଜ କଥା ନୁହଁ। ତା’ ପଛକୁ ଅସୀଧାରୀ ସୈନ୍ୟ ଦଳ ଏମାନେ ତଲୱାର ବା ଖଣ୍ଡାଖେଳ ପ୍ରଦର୍ଶନ କରନ୍ତି। ଗୋଟିଏ ଖଣ୍ଡା ଖେଳକୁ ପଟା, ଦୁଇଟିକୁ ଦୋଦସ୍ତି ଓ ୪ଟିକୁ ଚଉଦସ୍ତି କହନ୍ତି। ସେହି ଅସୀଧାରୀ ସୈନ୍ୟ ଦଳ ପଛକୁ ନିଝାମ ଦଳ ଧନୁ ଆକୃତିର ଉପକରଣ, ଲୁହା ଶିକୁଳିର ଝମ୍‍ଝମ୍‍ ଶବ୍ଦକୁ ନିଝାମ୍‍ ଝାଡ଼ିବା କୁହାଯାଏ। ବାହୁପିଠି ଛାତିରେ ଉପରକୁ ଫିଙ୍ଗି ତାକୁ ପୁଣି ସମ୍ଭାଳି ନିଅନ୍ତି ଦେହରେ ଏଇ ମଲ୍ଲବୀର ଗଣ। ତା’ପରେ ଆସେ ବାନା ପଟା ଦଳ। ଲାଠି, ଛଡ଼ି, ବାନା ପଟା, ବନାଟି, ବାଙ୍କଛୁରୀ ପ୍ରଭୃତି ଖେଳା ବନାଟିରେ ଫୁଲାଙ୍ଗ ତେଲ ଦେଇ ଯେତେବେଳେ ସେ ବନାଟି ବୁଲେ ସେ ବନାଟି ଭେଦ କରିବା ବଡ଼ କଷ୍ଟକର ବ୍ୟାପାର। ପ୍ରାଚୀନ ତଥା ଦେଶୀ କୌଶଳରେ ଶତ୍ରୁକୁ ପ୍ରତିହତ କରିବା ପାଇଁ ନାନା ଉପାୟ କାଢ଼ି ଉପକରଣ ମାନ ତିଆରି କରି ବ୍ୟବହାର କରୁଥିଲେ। ବିଭିନ୍ନ ପ୍ରକାର ପାରମ୍ପରିକ ନାଚ କେଳା, କେଳୁଣୀ, ଶବର-ଶବରୁଣୀ, ବିଭିନ୍ନ ଦେବାଦେବୀ ଜନ୍ତୁଜୁନ୍ତାଙ୍କ ମୁଖା ପିନ୍ଧି ନାଚ, ଫୁଲ ଓ ସୋଲରେ ତିଆରି ଜରି ଆଦି ଟାହିଆ ପିନ୍ଧି ବଳିଷ୍ଠ ଯୁବକମାନଙ୍କ ସମର ନାଚ ସହିତ ତେଲଙ୍ଗିବାଇଦ, ମହୁରୀ, ଚାଙ୍ଗୁ, ଢ଼ୋଲ, ମର୍ଦ୍ଧଳ, ଚଣ୍ଡନିସାରୁକ, ତାଣ୍ଡବ ଭୈରବ ତାଳରେ ବେଶଧାରୀ ବଳିଷ୍ଠ ପୁରୁଷମାନଙ୍କ ଠାଣି, ମାଣି, ଅଙ୍ଗଭଙ୍ଗୀ, ଚାଲିଚଳଣ, ଦୃଷ୍ଟିପାତ, ସେମାନଙ୍କ ଚାହାଣୀ, ଡାକ, ବୋଲି ଆଦି। ସାହିଯାତର ରୂପରେଖ ପଥପ୍ରାନ୍ତ ସମରାଭ୍ୟାସର କ୍ରମ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରାଚୀନ ସମରକଳାକୌଶଳ, ଶରୀରଚର୍ଯ୍ୟା, ପ୍ରାଚୀନ ସାହିତ୍ୟ, ସଂସ୍କୃତି ପ୍ରଭୃତିର ଅପୂର୍ବ ସମନ୍ୱୟ। ନାଗାନୃତ୍ୟ ଏକ ସ୍ୱତନ୍ତ୍ର ବେଶଭୂଷାରେ ଉଦଣ୍ଡ ଗାମ୍ଭୀର୍ଯ୍ୟପୂର୍ଣ୍ଣ ନୃତ୍ୟ ପରିବେଷଣ କରାଯାଏ। ନାଗା ନୃତ୍ୟର ବାଦ୍ୟ ମଧ୍ୟ ସ୍ୱତନ୍ତ୍ର ବୀର ବାଦ୍ୟ। ଏହାକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନାଗାର୍ଜ୍ଜୁନ ବେଶର ପ୍ରତୀକ ବୋଲି କହୁଥିଲାବେଳେ କେହି କେହି ଉତ୍କଳୀୟ ସେନାବାହିନୀର ସେନାପତି ନାଗା ବୋଲି ମତ ଦିଅନ୍ତି। ବ୍ରହ୍ମଚର୍ଯ୍ୟ ଧାରଣ କରିଥିବା ଯୁଆନ, ପହଲୱାନ ନାଗା ବେଶ ଧାରଣ କରେ। ଶିରପା ବା ଶିର ଶିରସ୍ତ୍ରାଣକୁ ହାଣ୍ଡିଆ କୁହାଯାଏ। ଦୀର୍ଘ ଦଉଡ଼ି, ଗୋବ, ଗୋଡ଼ି, ଆଡ଼ ଦିଆଯାଇ ମୁଣ୍ଡରେ ବନ୍ଧାଯାଏ। ରୂପା ପାଉଁଜି, ବିଦ, ଚାପସରି, ବାଜୁବନ୍ଧ, ମାଳି ପ୍ରଭୃତି ଏଥିରେ ସଜା ହୋଇଥାଏ। ନାଗା ଷୋହଳ ପ୍ରକାର ହାତହତିଆରରେ ଭୂଷିତ ଏବଂ ସମସ୍ତଙ୍କର ଚାଳନା ମଧ୍ୟ ଶିଖିଥାଏ। ତାର ବିଭିନ୍ନ ଅସ୍ତ୍ରଶସ୍ତ୍ର ହେଲା ବାଙ୍କଛୁରୀ, କୁନ୍ତ, ଭାଲା, ଧନୁଶର, ଖଣ୍ଡା, ଢ଼ାଲ, ବାହୁଟି, ହୋଦା, ଚୁଳ, ଜଟାଫୁଲ, କାନ୍ଧରେ କଲି ଓଳମାଳ, ନଳୀ, ଠୁଙ୍କା, ଝୋବା, ଜାନୁରେ ଘଣ୍ଟି, ବାହୁରେ ଓଳମାଳ, ବେକରେ ଘାଘଡ଼ାମାଳି, କୁଡୁଜାତକ, ଶରୀରରେ ରାମରଜ ହରତାଳରେ ଲେପ, ଚଉଁରୀ, ପଟା ନିଶଦାଢ଼ି, ଉତ୍ତରୀୟ, ପରଶୁ, ନଳୀବନ୍ଧୁକ ପ୍ରଭୃତି ଚାଙ୍ଗୁ ବାଜାର ତାଳେ ନାଗାର ଠାଣି, ନାଗା ଚାହାଣି, ନାଗା ପାହୁଲ ପହଣ୍ଡର ସ୍ୱତନ୍ତ୍ରତା ସାଙ୍ଗକୁ ତାର ଚକ୍ଷୁ ବିସ୍ଫାରିତ ଜ୍ୱଳନ୍ତ କୁମ୍ଭାର ଚକ ପରି ଘୂର୍ଣ୍ଣାଇତ ହୁଏ। ଏ ନାଚ ଯେତିକି ଲୋମହର୍ଷକ ସେତିକି ଉଦ୍ଧିପନାମୂଳକ। ଏବେବି ପୁରୀ ଜିଲ୍ଲାର ଅନେକ ଶାସନ ଗ୍ରାମରେ ଦୋଳପୂର୍ଣ୍ଣମୀ ଶୀଳତଷଷ୍ଠୀରେ ପ୍ରଦର୍ଶିତ ହୁଏ।

ପୁରୀର ଜାଗା ଆଖଡ଼ା ଓ ଅନୁଷ୍ଠାନର କାର୍ଯ୍ୟକ୍ରମ ଜାଗା ଚକଡ଼ାରେ ଲିପିବଦ୍ଧ ହୋଇଛି। ଜାଗା ଆଖଡ଼ା ମୁଖ୍ୟତଃ ତିନିଭାଗରେ ବିଭକ୍ତ। ରାଜାଙ୍କ ପରିଷଦ ବର୍ଗ, କ୍ଷେତ୍ର ରକ୍ଷାମୂଳକ, ଜଗନ୍ନାଥଙ୍କ ସେବା ଓ ନୀତିନିୟମ ପରିଚାଳନା ଅନୁଷ୍ଠାନ। ୧୭୪୧ରେ ଦିବ୍ୟ ସିଂହ ଦେବଙ୍କ ସମୟରେ ଏହା ଠିକ୍‍ ଭାବରେ ପରିଚାଳନା ହେଉଛି କି ନାହିଁ ଜାଣିବା ପାଇଁ ଭ୍ରମରବର ବକ୍ସିରାୟ ଓ ଦେଉଳକରଣ ଘନଶ୍ୟାମ ସାମନ୍ତରାୟଙ୍କୁ ଆଦେଶ ଦେଇଥିଲେ। ସେତବେଳର ଯାଗା ଯୁଗରେ ଆଖଡ଼ାରୁ ଶିକ୍ଷା ଲାଭ କରି ଅର୍ଥାତ ସାମରିକ ଶିକ୍ଷା ଲାଭକରି ଉଭୟ ଶ୍ରୀଜୀଉଙ୍କୁ ତାଙ୍କ ମନ୍ଦିରକୁ ଓ ସମଗ୍ର ଜନପଦକୁ ସୁରକ୍ଷା କରିବେ ତାହା ପଦଆକାରରେ ପ୍ରକାଶ ହେଉଥିଲା। ଯଥା “”ଶହେ ଭେଣ୍ଡିଆରେ ଗଡ଼ ବୋଲାଉ, ପଞ୍ଚାଶ ଭେଣ୍ଡିଆ କୋଟକେଥାଇ, ଯାଗାରେ ଅଙ୍ଗୀଲା ବାଡ଼ ନଧାଈ, ନଗର ରକ୍ଷାକୁ ଯେଗା ଯୋଗାଇ”। ଅର୍ଥାତ୍‍ ପଞ୍ଚାଶ ଜବାନ ଗଠିତ କୋଟ ଗୁଡ଼ିକ ସହ ନାଏକମାନଙ୍କ ଦ୍ୱାରା ନିୟନ୍ତ୍ରିତ। ପ୍ରତି ଯାଗା ଆଖଡ଼ାରେ ହନୁମାନଙ୍କର ବିଭିନ୍ନ ରୂପ ଓ ଆୟୁଧଧାରୀ କାଳୀ, ଶ୍ୟାମାକାଳୀ, ଦୁର୍ଗା, ବନଦୁର୍ଗା, ଭୈରବୀ, ମାତଙ୍ଗିନୀ, ବାସେଳୀ, ବାରାହୀ, ଆଦି ବିଭିନ୍ନ ନାମରେ ଶକ୍ତି ଉପାସନା ସହିତ ନୃସିଂହ, ଶିବ ଆଦି ଉପାସିତ ହେବାର ଲକ୍ଷ୍ୟ କରାଯାଏ। ଯାଗାର ସଭ୍ୟମାନଙ୍କ ଦ୍ୱାରା ବିଭିନ୍ନ ଉତ୍ସବ ପାଳିତ ହୁଏ। ଯାଗା, ସାହି ଓ ଆଖଡ଼ା ସ୍ଥଳମାନଙ୍କର ସମ୍ପୂର୍ଣ୍ଣ ତାଲିକା ମନ୍ଦିର ଦେଉଳ କରଣଙ୍କ ପାଖେ ଥିଲା ତେବେ ପୁରୀର ଯାଗା ଆଖଡ଼ା ସମ୍ପର୍କରେ ପଣ୍ଡିତ ସଦାଶିବ ରଥଶର୍ମା, ସତ୍ୟବାଦୀ ତ୍ରିପାଠୀ, ଲୋକନାଥ ପୂଜା ପଣ୍ଡା, ବିଜୟ ମହାଭୋଇ, କୃଷ୍ଣ ମାହାପାତ୍ର, ପାଣୁ ଜେନା, ମକୁନ୍ଦ ପାଢ଼ୀ ପ୍ରମୁଖଙ୍କ ଠାରୁ ବିଶେଷ ସୂଚନା ମିଳେ।

ଶହଶହ ବର୍ଷ ପୂର୍ବରୁ ମହାପ୍ରଭୁ ତାଙ୍କ ମନ୍ଦିର ଓ ସମଗ୍ର ଜନପଦକୁ ସୁରଧା ଦେବା ପାଇଁ ସାହିଯାତ ଯାଗା ଆଖଡ଼ାରେ ଯେଉଁ ବ୍ୟବସ୍ଥା ଥିଲା ତାହା ଏବେବି ଅଛି। ତଥାପି ଜନକଲ୍ୟାଣକାରୀ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଭାଗବତ ଟୁଙ୍ଗୀର ପୁନୁରୁଦ୍ଧାର ପରି ଏ ଜାଗା, ଆଖଡ଼ା ସ୍ଥାନଗୁଡ଼ିକର ମାର୍ଜ୍ଜିତ ଉପାୟରେ ପୁନରୁଦ୍ଧାର କଲେ ବହୁ ସମସ୍ୟାର ସମାଧାନ ହୋଇପାରିବ। ବର୍ତ୍ତମାନ ପୁରୀ ମନ୍ଦିର, ସହର, ମହାପ୍ରଭୁଙ୍କ ଉପରେ ଯେଉଁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଚିନ୍ତା କରାଯାଇଛି, ମନେ ରଖିବାକୁ ହେବ ଯେ, ପୁରୀର ବାସିନ୍ଦା ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ଶ୍ରୀମନ୍ଦିର, ଜଗନ୍ନାଥ ମହାପ୍ରଭୁ ହେଲେ ତାଙ୍କ ଅନ୍ନଦାତା ତାଙ୍କ ଉପରେ କୌଣସି ପ୍ରକାର ଆଞ୍ଚ ଆଣିଲେ, ସେମାନେ ତାଙ୍କ ଜୀବନ ଦେବାକୁ ପ୍ରସ୍ତୁତ। ବହୁକାଳ ପୂର୍ବରୁ ଏହି ପୁରୀର ମୂଳବାସିନ୍ଦା ଅର୍ଥାତ୍‍ ସେବାୟତ ଗୋଷ୍ଠୀ ମୋଗଲ, ଆଫଗାନ, ମରହଟ୍ଟା ଇଂରେଜମାନଙ୍କ ସମୟରେ ଏହିମାନେ ପୁରୁଷୋତ୍ତମ କ୍ଷେତ୍ରକୁ ସୁରକ୍ଷା ଦେଇ ମହାପ୍ରଭୁଙ୍କୁ ରକ୍ଷା କରୁଥିଲେ। ଏହି ସେବାୟତ ଗୋଷ୍ଠୀର ବଂଶାନୁକ୍ରମେ ଏମାନେ ଯେକୌଣସି ଲୋକକୁ ଦେଖି ତାର ଭାଷା, ବାସସ୍ଥାନ ଓ ତାର ହାବଭାବରୁ ସବୁ ବିଷୟ ଠଉରାଇ ନିଅନ୍ତି। ମନ୍ଦ ଉଦ୍ଦେଶ୍ୟ ରଖି ଥିବା ଲୋକଙ୍କୁ ଚିହ୍ନିବାରେ ତାଙ୍କୁ ବିଳମ୍ବ ହୁଏ ନାହିଁ। ପୁଲିସ ଓ ପ୍ରଶାସନ ଯେତେ ସୁରକ୍ଷା ବ୍ୟବସ୍ଥା କଲେ ମଧ୍ୟ ପୁରୀର ମୂଳବାସିନ୍ଦା ବିଶେଷକରି ସେବାୟତ ଗୋଷ୍ଠୀର ଯୁବ ଗୋଷ୍ଠୀଙ୍କୁ ଏଥିରେ ସାମିଲ କରିବା ଉଚିତ ମନେହୁଏ। ପୁରୀ ସହରର ପ୍ରବେଶ କରିବା ସ୍ଥାନମାନଙ୍କରେ ମନ୍ଦିର ପ୍ରବେଶ ସ୍ଥାନରେ ଏବଂ ପୁରୀର ପ୍ରମୁଖ ସ୍ଥାନଗୁଡ଼ିକରେ ଏମାନଙ୍କ ଉପସ୍ଥିତ ନିହାତି ଆବଶ୍ୟକ। ଏ ପ୍ରସଙ୍ଗକୁ ବିଚାରକୁ ନେଇ ପ୍ରଶାସନ ଏ ଦିଗରେ ପୁରୀର ବୁଦ୍ଧିଜୀବୀ, ଚିନ୍ତାଶୀଳ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ବିଚାରବିମର୍ଷ କରିବା ଜରୁରୀ ବୋଲି ଅନେକ ବୟୋଜ୍ୟେଷ୍ଠ ମତପ୍ରକାଶ କରିଛନ୍ତି।

ଦେବପ୍ରସାଦ ମିଶ୍ର
ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.