ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମେରିକାନ୍ ଫେଡେରେସନ୍ ଅଫ୍ ଲେବରର ନିଷ୍ପତ୍ତି ଅନୁଯାୟୀ ୧୮୬୬ ମସିହା ମଇ ପହିଲା ଦିନ ଆମେରିକାର ଚିକାଗୋ ସହରରେ ଆମେରିକାର ଶ୍ରମିକ ଶ୍ରେଣୀ ବିଶ୍ୱ ପୁଞ୍ଜିପତି ଶ୍ରେଣୀ ବିରୁଦ୍ଧରେ ଲଢେଇ କରି ଶ୍ରମ ସମୟ ଦୈନିକ ୮ ଘଣ୍ଟା ହାସଲ କରିଥିଲେ। ଯେଉଁ ସଂଗ୍ରାମରେ ଆନ୍ତର୍ଜାତିକ ଶ୍ରମିକ ନେତା ସାମୁଏଲ ଫିଲଡେନ, ଆଡଲଫ ଫିଶ୍ଚର, ଅଗଷ୍ଟ ସ୍ପାଇଜ୍, ଆଲବର୍ଟ ପାରସନଙ୍କୁ ଫାଶି ଦିଆଯାଇଥିଲା। ହଜାର ହଜାର ଶ୍ରମିକଙ୍କୁ ଗୁଳି କରି ପୁଞ୍ଜିପତି ଶ୍ରେଣୀର ପୁଲିସ୍ ହତ୍ୟା କରିଥିଲା। ସେହି ରକ୍ତକ୍ଷୟୀ ସଂଘର୍ଷ ଭିତରୁ ଶ୍ରମିକ ପାଇଥିବା ୮ ଘଣ୍ଟା କାମ କରିବାର ଅଧିକାର ପୃଥିବୀର ବିଭିନ୍ନ ଦେଶରେ କାର୍ଯ୍ୟକାରୀ ହୋଇଆସୁଅଛି। କିନ୍ତୁ ଶ୍ରମିକ ବିରୋଧୀ ଶ୍ରମକୋଡ ଜରିଆରେ ମୋଦି ସରକାର ଦୈନିକ ୮ ଘଣ୍ଟା କାମ କରିବାର ଅଧିକାରକୁ ଛଡାଇ ନେବାପାଇଁ ଯୋଜନା କରିଛନ୍ତି। ଏହା ବିରୁଦ୍ଧରେ ଆମ ଦେଶ ତମାମ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ଅବସରରେ ସଭାମାନ କରାଯିବ। ଏହି ଅବସରରେ ଭଦ୍ରକ ଜିଲା ବ୍ୟାପୀ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ କରାଯିବାକୁ ମିଳିତ ଶ୍ରମିକ ସମନ୍ୱୟ ସମିତି ପକ୍ଷରୁ ଭଦ୍ରକ ଜୀବନ ବୀମା ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସିଆଇଟିୟୁ ଜିଲା ସଭାପତି ଦିବ୍ୟସିଂହ ନାୟକ ସଭାପତିତ୍ୱ କରିଥିବାବେଳେ ବରିଷ୍ଠ ଶ୍ରମିକ ନେତା ଅଭିନ୍ନ ଚନ୍ଦ୍ର ରାୟ, କାଳନ୍ଦୀ ପାତ୍ର, ବାମଦେବ ମିଶ୍ର, ନବକିଶୋର ବେହେରା, ଚନ୍ଦ୍ରମୋହନ ହେମ୍ବ୍ରମ୍, ସିପିଆଇ(ଏମ୍) ଯୁବ ନେତା ବିକାଶ ନାଥ, ବିନୋଦ ସାହୁ, କାହ୍ନୁଚରଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ଶ୍ରମିକ ବିରୋଧୀ ଶ୍ରମକୋଡ୍ ରଦ୍ଦ କରିବା ଦାବିରେ ଜିଲାବ୍ୟାପୀ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ କରିବାକୁ...