ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରିସ୍ତରୀୟ ନିର୍ବାଚନକୁ ଆଖିଆଗରେରଖି ଏହି ଜିଲାର ଧାମନଗର ବ୍ଲକର ବିଭିନ୍ନଦଳର ନେତା ଓ କର୍ମୀମାନେ ଚଳଚଞ୍ଚଳ ହୋଇପଡ଼ିଛନ୍ତି । ଏପରିକି ବିଭିନ୍ନ ଦଳର ନେତା ଓ ମନ୍ତ୍ରୀଙ୍କୁ ଧରି ଶିଳାନ୍ୟାସ ଉଦ୍ଘାଟନ ମଧ୍ୟ କରୁଛନ୍ତି । ତେବେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ଧାମନଗରରେ ହୋଇଥିବାବେଳେ ବିରୋଧି ହୁଅନ୍ତୁ କିମ୍ବା କେହି ଦୁର୍ବୁତ୍ତ ଫଳକକୁ ଭାଙ୍ଗିବା ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ପ୍ରକାଶ ଥାଉକି ଗତକାଳି ଧାମନଗର ବ୍ଳକର ଖଡ଼ିପଦା ଠାରେ ଖଡ଼ିପଦା- ଆନନ୍ଦପୁର ରାସ୍ତାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଉନ୍ନତୀ ଓ ପ୍ରସସ୍ତିକରଣ ନିମନ୍ତେ ୩କୋଟି ଟଙ୍କା ବ୍ୟୟରେ ରାସ୍ତାର ଶିଳାନ୍ୟାସ ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା କରାଯାଇଥିଲା । ହେଲେ ବିଳମ୍ବିତ ରାତ୍ରୀରେ କେହି ଦୁର୍ବୁତ୍ତ ଏହି ଶିଳାନ୍ୟାସ ନାମଫଳକକୁ ଭାଙ୍ଗିଦେଇଛନ୍ତି ।
୨ଦିନ ତଳେ ଉକ୍ତ ରାସ୍ତାର ମଧ୍ୟ ଶିଳାନ୍ୟାସ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ଶେଷ ମୁହୁର୍ତ୍ତରେ ମନ୍ତ୍ରୀଙ୍କ ଗସ୍ତ ବାତିଲ ହୋଇଥିଲା । ଏହି ସମୟରେ ସେତେବେଳେ ତିଆରି ହୋଇଥିବା ଇଟା ଯୋଡ଼ାଇକୁ ମଧ୍ୟ କେହି ଦୁର୍ବୁତ୍ତ ଭାଙ୍ଗିଦେଇଥିଲେ । ପରବର୍ତ୍ତି ସମୟରେ ଗତକାଲି ମନ୍ତ୍ରୀଙ୍କ ପ୍ରୋଗ୍ରାମ ସ୍ଥିର ହୋଇଥିବାବେଳେ ପୁଣି ସେଠାରେ ଫଳକ ତିଆରି ହୋଇ ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା । ପରେ ସେହି ଫଳକକୁ କେହି ଦୁର୍ବୁତ୍ତ ଭାଙ୍ଗିଦେବା ଏହା ନିନ୍ଦନୀୟ ଘଟଣା । ରାଜ୍ୟସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ସହ ରାସ୍ତାଘାଟ ନିର୍ମାଣ ଓ ଉନ୍ନତୀକରଣ ଯେପରି ଭାବରେ ଦୃତଗତୀରେ କରାଯାଉଛି ଏହାକୁ ବିରୋଧିଦଳ ସହ୍ୟକରିନପାରି ଔଷଧ ରାଗରେ ତାଟିଆ କାମୁଡ଼ୁଛି ବୋଲି ବିଜେଡ଼ି ବ୍ଲକସଭାପତି ଉମେଶଚନ୍ଦ୍ର ମହାନ୍ତି, ଯୁବସଭାପତି ଭାରତବିଜୟ ଦଳାଇ, ପୂର୍ବତନ ପଂଚାୟତସମିତି ଉପାଧ୍ୟକ୍ଷା ଉର୍ମିଳା ବିଶ୍ୱାଳ, ପୂର୍ବତନ ସମିତିସଭ୍ୟ ପ୍ରତାପ ସାମଲ, ପୂର୍ବତନ ସରପଂଚ ଅତିସ କୁମାର ନନ୍ଦ, ଶରତ ମାଝୀ, ବିଷ୍ଣୁମୋହନ ମିଶ୍ର, କୂଳମଣୀ ବେହେରା, ରବିନ୍ଦ୍ର ସାହୁ, ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।