ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଲିଡ୍ ବ୍ୟାଙ୍କ ଆନୁକୁଲ୍ୟରେ ଜିଲ୍ଲା ଶାଖା ପରିଚାଳକ ନାଗେଶ୍ୱର ରାଓଙ୍କ ତତ୍ତ୍ୱାବଧାନରେ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ନାବାର୍ଡର ଡିଡିଏମ୍ ପ୍ରମୋଦ କୁମାର ବେହେରା, ରିଜର୍ଭ ବ୍ୟାଙ୍କ ଏଲ୍ଡିଓ ସନ୍ତୋଷ କୁମାର ପଟ୍ଟନାୟକ ଏବଂ ଜିଲ୍ଲାର ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକ ଓ ସେମାନଙ୍କ ପ୍ରତିନିଧି ଯୋଗ ଦେଇଥିଲେ । ଏହି ବୈଠକରେ ଜିଲ୍ଲାର କୃଷି, ପଶୁ ପାଳନ, ଏମ୍ଏସ୍ଏମ୍ଇ ଭଳି ବିଭିନ୍ନ ବିଭାଗ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସମୂହଙ୍କ ଆର୍ଥିକ ସୁଧାର ନିମନ୍ତେ ବିଭିନ୍ନ ପଦକ୍ଷେପମାନଙ୍କ ବିଷୟରେ ଆଲୋଚନା କରାଯାଇଥିଲା । ଜିଲ୍ଲାର ପ୍ରମୁଖ ଅଞ୍ଚଳ ଯେଉଁ ସ୍ଥାନରେ ବ୍ୟାଙ୍କ ନାହିଁ ସେହି ସବୁ ସ୍ଥାନରେ ଜନସାଧାରଣଙ୍କ ହିତ ପାଇଁ ବ୍ୟାଙ୍କ ଖୋଲିବା, ବିଭିନ୍ନ ଯୋଜନାରେ ଋଣ ପ୍ରଦାନ କରିବା ଓ ଋଣ ଆଦାୟ କରିବା, ବକେୟା ପଡିଥିବା ଋଣ ଦରଖାସ୍ତଗୁଡିକ ଯାଞ୍ଚ କରି ସେଗୁଡିକର ମଞ୍ଜୁର କରାଯିବା ଓ ଋଣ ପ୍ରଦାନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ମହିଳା ସଶକ୍ତିକରଣ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ସହ ଅଧିକରୁ ଅଧିକ ସାମିଲ କରାଇ ସେମାନଙ୍କ ସହିତ ଆର୍ôଥକ ନେଣଦେଣ ପାଇଁ ପ୍ରୋତ୍ସାହିତ କରିବାକୁ ମତ ପ୍ରକାଶ ପାଇଥିଲା । ବୈଠକରେ ବିଗତ ଦିନର କାର୍ଯ୍ୟାବଳୀର ସମୀକ୍ଷା କରାଯିବା ସହ ଆଗାମୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନେ ଯୋଗ ଦେଇଥିଲେ ।