Home Coronavirus Outbreak ଲଢେଇ ଭିତରେ ବଂଚିବା

ଲଢେଇ ଭିତରେ ବଂଚିବା

202

ଦେଶରେ ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ କାୟା ବିସ୍ତାର କରି ଚାଲିଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ମଧ୍ୟ କମ୍ ନୁହେଁ। ଏବେ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ଅତିକ୍ରମ କରିଥିବା ବେଳେ ସେରୋଲୋଜିକାଲ ସର୍ଭେ ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା ଯେତିକି ଉଦ୍‌ବେଗଜନକ, ସେତିକି ଚିନ୍ତାଜନକ ମଧ୍ୟ। ରିପୋର୍ଟରେ କୁହାଯାଇଛି ଯେ, ଦିଲ୍ଲୀର ୧୧ଟି ଜିଲ୍ଲାରେ ୨୩.୪ ପ୍ରତିଶତ ଲୋକ କରୋନା ଭୂତାଣୁରେ ସଂକ୍ରମିତ। କିନ୍ତୁ ରୋଗପ୍ରତିରୋଧକ ଶକ୍ତି ଯୋଗୁଁ କରୋନା ସଂକ୍ରମଣ ଲକ୍ଷଣ ସେମାନଙ୍କ ଶରୀରରେ ଦୃଶ୍ୟମାନ ହୋଇନାହିଁ। ସେମାନେ ଆକ୍ରାନ୍ତ ହୋଇଥିଲେ ବି ଆପେ ସୁସ୍ଥ ହୋଇଛନ୍ତି। ସର୍ଭେ ରିପୋର୍ଟ ଅନୁଯାୟୀ, ଜାତୀୟ ରାଜଧାନୀର ମୋଟ ଜନସଂଖ୍ୟାର ଏକ ଚତୁର୍ଥାଂଶ କରୋନା ଭୂତାଣୁ ସଂକ୍ରମିତ। କିନ୍ତୁ ଦିଲ୍ଲୀର ସ୍ଥିତି ଏବେ ଯାହା ରହିଛି, ତାହା ଅତ୍ୟନ୍ତ ଖୁସି ଦାୟକ। ଦିଲ୍ଲୀରେ ଆରୋଗ୍ୟ ହାର ଏବେ ୮୬ ପ୍ରତିଶତ ରହିଛି। ଅଥଚ ଦେଶରେ ଆରୋଗ୍ୟ ହାର ୬୩ ପ୍ରତିଶତ ରହିଛି। ଉଲ୍ଳେଖଯୋଗ୍ୟ ଯେ, ମାର୍ଚ୍ଚ ଶେଷ ଭାଗର ଜୁନ୍ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ସଂକ୍ରମଣର କାୟା ଏତେ ଅଧିକ ଥିଲା ଯେ, ଦିନକୁ ସଂକ୍ରମିତଙ୍କ ସଂଖ୍ୟା ୩୫୦୦ ଛୁଇଁଥିଲା। ଗତମାସରେ ଦିଲ୍ଲୀରେ ପଜିଟିଭ ହାର ୩୨ ପ୍ରତିଶତ ରହିଥିବା ବେଳେ ଏବେ ତାହା ୭ ପ୍ରତିଶତକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ଆରୋଗ୍ୟ ହାର ୮୬ ପ୍ରତିଶତକୁ ବୃଦ୍ଧି ପାଇବା ନିଶ୍ଚିତ ଭାବେ ସୁଖଦ ଖବର। ବିଶେଷଜ୍ଞମାନଙ୍କ ମତରେ ଦିଲ୍ଲୀରେ ସଂକ୍ରମଣ ଶିଖର ସମୟ ଅତିକ୍ରମ କରି ସାରିଥିବାରୁ ଆରୋଗ୍ୟ ହାର ବଢିବାରେ ଲାଗିଛି। ଏବେ ଆରୋଗ୍ୟ ହାର ବଢିବା ସହ ସଂକ୍ରମଣ ହାର ମଧ୍ୟ କମିବାରେ ଲାଗିଛି। ଯାହା କି ଆଶ୍ୱସ୍ତି ଆଣିଦେଇଛି ବୋଲି କୁହାଯାଇପାରେ। ତେବେ ସେରୋଲୋଜିକାଲ ସର୍ଭେର ତଥ୍ୟ ଆମ ପାଇଁ ଅତ୍ୟନ୍ତ ଶିକ୍ଷଣୀୟ ବୋଲି କୁହାଯାଇପାରେ। ପ୍ରଥମତଃ ସରକାରୀ ଭାବେ ପ୍ରତିଦିନ ସଂକ୍ରମଣ ନେଇ ଯେଉଁ ତଥ୍ୟ ଦିଆଯାଉଛି, ସେରୋଲୋଜିକାଲ ସର୍ଭେ ରିପୋର୍ଟରେ ସଂକ୍ରମଣ ସରକାରୀ ତଥ୍ୟ ଠାରୁ ବହୁ ଅଧିକ। ରୋଗର ସଂକ୍ରମଣ ଏବଂ ରୋଗର ସଂକ୍ରମଣ ସଂପର୍କୀୟ ଜ୍ଞାନ ଏକ ନକରାତ୍ମକ ତଥ୍ୟ ନୁହେଁ। ବ୍ୟକ୍ତି ରୋଗର ଆକ୍ରାନ୍ତ ହେବା ଓ ବିନା ଚିକିତ୍ସାରେ ସୁସ୍ଥ ହେବା ଜାଣିବା ଅଜ୍ଞାତ ରହିଛି। ଦେଶରେ ମୃତ୍ୟୁ ହାର ୨.୫ ପ୍ରତିଶତରେ ସୀମିତ ଥିବାବେଳେ ରୋଗପ୍ରତି ଲୋକଙ୍କର ଭୟ ମଧ୍ୟ ଶୀର୍ଷରେ ରହିଛି। କରୋନା ଆକ୍ରାନ୍ତଙ୍କ ପ୍ରତି ଲୋକଙ୍କର ହତାଦାର ଏହାର ପ୍ରମାଣ। କରୋନା ଆକ୍ରାନ୍ତଙ୍କ ମର ଶରୀରକୁ ସଂପର୍କୀୟ ନଛୁଇଁ ବା ଦାହ ନ ହୋଇ ପଡ଼ି ରହିବା ହେଉଛି ଏହାର ଜ୍ୱଳନ୍ତ ଉଦାହରଣ। କରୋନାକୁ ଘୃଣାକର କିନ୍ତୁ ରୋଗୀକୁ ନୁହେଁ, ଏ ଉପରେ ସରକାର ଓ ସ୍ୱେଚ୍ଛାସେବୀ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଅନ୍ୟପକ୍ଷରେ ଦେଶରେ ମଧ୍ୟ କରୋନା ସଂକ୍ରମଣ ଏବେ ଚିନ୍ତାଜନକ ସ୍ଥିତିରେ ରହିଛି। ଦିନକୁ ଦିନ ସଂକ୍ରମିତ ଓ ମୃତକ ସଂଖ୍ୟା ବଢିବାରେ ଲାଗିଛି। ଗତ କିଛି ଦିନ ହେଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩୫ ହଜାର ଉପରେ ରହିଥିବା ବେଳେ ମୃତକ ସଂଖ୍ୟା ୫୦୦ ଉପରେ ରହିଛି। ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ଅତିକ୍ରମ କରିବାକୁ ଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ୨୬ ହଜାର ଅତିକ୍ରମ କରିଛି, ଯାହାକି ସରକାରୀ ରିପୋର୍ଟରେ କୁହାଯାଇଛି। ମାତ୍ର ଦିଲ୍ଲୀର ସିରୋ ସର୍ଭେ ୨୩%, ସଂକ୍ରମଣ ହାର କୁ ଯଦି ଦେଶ ପରିପ୍ରେକ୍ଷୀରେ ଆକଳନ କରାଯାଏ, ତେବେ ଦେଶର ମୋଟ ୧୩୫ କୋଟି ଲୋକଙ୍କ ମଧ୍ୟରୁ ହୁଏତ ୩୦ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇପାରନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ବି ହୋଇସାରିଥିବେ। ଦେଶରେ ଏବେ ୧୨ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି, ଯାହାକି ମୋଟ ଜନସଂଖ୍ୟାର ୧୧ ପ୍ରତିଶତ। ସେରୋଲୋଜିକାଲ ସର୍ଭେ ରିପୋର୍ଟକୁ ବିଚାରକୁ ନେଲେ, ହୁଏତ ଦେଶର ୧୧ ପ୍ରତିଶତ ହିସାବରେ ୧୩କୋଟି ଲୋକ ସଂକ୍ରମିତ ହୋଇଥାଇ ପାରନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଆପେ ଆପେ ବିନା ଚିକିତ୍ସାରେ ସୁସ୍ଥ ହୋଇପାରନ୍ତି। କାରଣ ଅଧିକାଂଶ ସଂକ୍ରମଣ ଲକ୍ଷଣ ବିହୀନ ଥିବା ଏଭଳି ସମ୍ଭାବନା ସ୍ୱାଭାବିକ। ଏହା ସତ୍ୟଯେ, ନମୂନା ପରୀକ୍ଷା ଯେତେ ଅଧିକ ହେଉଛି, ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଜୁନ, ଜୁଲାଇ, ଅଗଷ୍ଟ ମଧ୍ୟରେ ଦେଶରେ ସଂକ୍ରମଣ ଶିଖର ଛୁଇଁବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା, ଏବେ ତାହା ସତ୍ୟ ହେବାରେ ଲାଗିଛି। କରୋନା କେବେ ହଟିବ ତାହା କେହି ଆକଳନ କରିପାରି ନାହାଁନ୍ତି ବା ଭବିଷ୍ୟବାଣୀ କରିପାରିନାହାଁନ୍ତି। ଆମକୁ କରୋନା ସହ ଲଢେଇ ମଧ୍ୟରେ ବଂଚିବାକୁ ହେବ। ଏହା ହିଁ ଆମର ସଂକଳ୍ପ ହେଉ।

– ସୌଭାଗ୍ୟ ରଂଜନ ମହାନ୍ତି (ରାଜା)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.