Home ଜିଲ୍ଲା ପରିକ୍ରମା ଲଗାଣ ବର୍ଷାରେ ଖରିଫ ଧାନ ଚାଷରେ ରୋଗ ପୋକ

ଲଗାଣ ବର୍ଷାରେ ଖରିଫ ଧାନ ଚାଷରେ ରୋଗ ପୋକ

112

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଖରିଫ ଧାନ ଚାଷରେ ରୋଗ ପୋକକୁ ନେଇ ଚାଷୀ ଏବେ ଚିନ୍ତା ପ୍ରକଟ କରିଛନ୍ତି । ଗତ ପ୍ରାୟ ଏକ ସପ୍ତାହ ଧରି କ୍ରମାଗତ ଲଗାଣ ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁ ଧାନ ବିଲରେ ବିଭିନ୍ନ ରୋଗପୋକ ଦେଖାଦେଇଛି । ବେଉଷଣ ପରେ ବଢୁଥିବା ଧାନ ଗଛକୁ ଏବେ ପାଣି ସହିତ ପ୍ରବଳ ଖରାର ଆବଶ୍ୟକତା ପଡୁଥିବା ବେଳେ ନିୟମିତ ବର୍ଷା ଯୋଗୁଁ ଚାଷ ଜମିରେ ଏବେ ଜଳ ସଙ୍କଟ ନଥିବା ବେଳେ ନରମ ପାଣିପାଗ ଧାନ ଗଛକୁ ରୋଗ ପୋକ କବଳିତ କରିଛି । ଧାନ ଗଛର କଅଁଳିଆ ପତ୍ର ଏବଂ କାଣ୍ଡରେ ଏବେ କାଣ୍ଡ ବିନ୍ଧା ପୋକ,ଗୁଣ୍ଡି ପୋକ ଏବଂ ପତ୍ର ଝାଉଁଳା ରୋଗ ଦେଖାଦେଇଛି । ଯାହାକି ଚାଷୀଙ୍କ ଚିନ୍ତା ବଢ଼େଇ ଦେଇଛି । କାରଣ ତୁହାକୁ ତୁହା ବର୍ଷା ଲାଗି ରହିଥିବା ଯୋଗୁ ଧାନ ଗଛରେ ବିଷ ସିଞ୍ଚନ କଲେ ମଧ୍ୟ ତାହା ବର୍ଷା ପାଣିରେ ଧୋଇ ଯାଉଛି । ଫଳରେ ଶହ ଶହ ଟଙ୍କା ଖର୍ଚ୍ଚ କରି ବିଲରେ ବିଷ ଦେଲେ ମଧ୍ୟ ତାହା କାମ ଦେଉନି । ଏହିଭଳି ପାଗ ଆଉ କିଛିଦିନ ଲାଗି ରହିଲେ ପରସ୍ଥିତିି ଅସମ୍ଭାଳ ହେବ ବୋଲି ଚାଷୀ ମାନେ କହିଛନ୍ତି । ଜିଲ୍ଲାର ଏହି ବ୍ଲକରେ ୧୭ହଜାର ୬୨ହେକ୍ଟର ଜମିରେ ଧାନ ଚାଷ କରାଯାଇଛି । ଏପରିକି ଜିଲ୍ଲାର ସବୁ ବ୍ଲକରେ ଭଲ ଚାଷ ହୋଇଥିବା କୃଷି ବିଭାଗ କହିଛି । ପାଣିପାଗ ଅନୁକୂଳ ରହିଲେ ଚଳିତ ବର୍ଷ ଜିଲ୍ଲାରେ ଶହେ ପ୍ରତିଶତ ଧାନ ଅମଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବ୍ଲକ କୃଷି ଅଧିକାରୀ ଅନିରୁଦ୍ଧ ବେହେରା କହିଛନ୍ତି । ତେବେ ଲଗାଣ ବର୍ଷା ଯୋଗୁଁ ଏବେ ବ୍ଲକର ଅଧିକାଂଶ ସ୍ଥାନରେ ଖରିଫ ଧାନ ଚାଷ ରୋଗ ପୋକ ଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି । ଯେଉଁଠି ବି କାଣ୍ଡ ବିନ୍ଧା,ନଳୀ ପୋକ ଓ ମାଟିଆ ଗୁଣ୍ଡି ପୋକ ଦେଖା ଦେଇଛି ପାଗ ବଦଳିବା ପରେ ତାହା ଠିକ୍ ହୋଇଯିବ ବୋଲି କୃଷି ବିଭାଗ କହିଥିବା ବେଳେ ଏବେ ଧାନ କ୍ଷେତରେ କୃଷି ଅଧିକାରୀ,ସହକାରୀ କୃଷି ଅଧିକାରୀ ଓ ଗ୍ରାମ କୃଷି କର୍ମଚାରୀ ମାନେ କ୍ଷେତ୍ରୀୟ ତଦନ୍ତ କରି ଚାଷୀ ମାନଙ୍କୁ ବିଷ ପ୍ରୟୋଗ କରିବା ସହ ରିହାତି ପାଇବା ପାଇଁ ସଚେତନ କରାଉଛନ୍ତି । ଆଗକୁ ଏହି ଧରଣର ପାଣିପାଗ ଲାଗି ରହିଲେ ବ୍ଲକରେ ଖରିଫ ଧାନ ଚାଷ ଭୀଷଣ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀକୁଳ ଆଶଙ୍କା ବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.