Odiapua.com

ଲକ୍ ଡାଉନ୍ ଅବଧି ବୃଦ୍ଧି ସପକ୍ଷରେ ଅଧିକାଂଶ ଜନତା

ଭୁବନେଶ୍ୱର: କରୋନା ଭାଇରସ୍ ବିପଦକୁ ଦେଖି ଜାରୀ ହୋଇଥିବା ୨୧ ଦିନିଆ ଲକ୍ ଡାଉନ୍ ଆଜି ସମାପ୍ତ ହେଉଛି। ତେବେ ଏହାର ଅବଧି ପୁଣି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆଜି ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିବେ। ଲକ୍ ଡାଉନ୍ ଅବଧି ବୃଦ୍ଧି ଉପରେ ଏହି ସମୟରେ ପ୍ରଧାନମନ୍ତ୍ରୀ ଘୋଷଣା କରିପାରନ୍ତି। କରୋନା ଭାଇରସ୍ ଆତଙ୍କ କାରଣରୁ ମାର୍ଚ୍ଚ ୨୫ ତାରିଖରୁ ସାରା ଦେଶରେ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା ହୋଇଥିଲା। ଏହା ଏପ୍ରିଲ ୧୪ ତାରିଖ ଅର୍ଥାତ୍ ଆଜି ସମାପ୍ତ ହେବାର ଥିଲା। ତେବେ ଏ’ ଭିତରେ ଓଡ଼ିଶା ସମେତ ୭ଟି ରାଜ୍ୟରେ ରାଜ୍ୟ ସରକାର ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଲକ୍ ଡାଉନ୍ ଅବଧି ବୃଦ୍ଧି କରିି ସାରିଛନ୍ତି।

ଏହି ସମୟରେ ଏକ ସର୍ଭେରେ କୁହାଯାଇଛି ଯେ ଜନସାଧାରଣ ମଧ୍ୟ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକ୍ ଡାଉନ୍ ବୃଦ୍ଧି କରିବା ସପକ୍ଷରେ ଅଛନ୍ତି। ଆର୍ଥିକ ନୀତି ସହିତ ସମ୍ଵଦ୍ଧିତ ଅନୁସନ୍ଧାନକାରୀ ସଂସ୍ଥା ନ୍ୟାସନାଲ କାଉନସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ୍ଚ (NCAER) ଏହାର ରିପୋର୍ଟରେ କହିଛି ଯେ ଅନେକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ଦେଶର ଅଧିକାଂଶ ଲୋକ ଲକ୍ ଡାଉନ୍ ଆଉ ଦୁଇ ସପ୍ତାହ ବୃଦ୍ଧି କରିବା ସପକ୍ଷରେ ଅଛନ୍ତି। ଏପ୍ରିଲ ୩ ରୁ ୬ ପର୍ଯ୍ୟନ୍ତ ଦିଲ୍ଲୀରେ ଏହି ସର୍ଭେ କରାଯାଇଥିଲା। କରୋନା ଭାଇରସ୍ ଟେଲିଫୋନ୍ ସର୍ବେକ୍ଷଣ (ଡିସିବିଟିଏସ୍) ମାଧ୍ୟମରେ ଏ’ ନେଇ ସମୁଦାୟ ୧୭୫୦ ଲୋକଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ଏଥିରେ ପ୍ରାୟ ୨୯.୩ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନଙ୍କ ପରିବାର ଖାଦ୍ୟ, ରନ୍ଧନ ସାମଗ୍ରୀ ଏବଂ ଇନ୍ଧନ ଅଭାବର ସମ୍ମୁଖୀନ ହେଉଛନ୍ତି। ଲକ୍ ଡାଉନ୍ କାରଣରୁ ଗ୍ରାମାଞ୍ଚଳର ଲୋକମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସର୍ବେକ୍ଷଣରେ କୁହାଯାଇଛି ଯେ ଗ୍ରାମାଞ୍ଚଳର ୩୨.୬ ପ୍ରତିଶତ ପରିବାର ଏବଂ ସହରାଞ୍ଚଳର ୨୫.୩ ପ୍ରତିଶତ ପରିବାର ଲକ୍ ଡାଉନ୍ କାରଣରୁ ଅତ୍ୟାବଶ୍ୟକ ସାମଗ୍ରୀର ପାଇବାରେ ଅଭାବ ଅନୁଭବ କରୁଛନ୍ତି।

ଅସୁବିଧାର ସମ୍ମୁଖୀନ ହେବା ସତ୍ତ୍ୱେ ଲକ୍ ଡାଉନ୍ ଅବଧି ବୃଦ୍ଧି ଚାହୁଁଛନ୍ତି ଲୋକେ –
ତେବେ, ସର୍ଭେରେ କୁହାଯାଇଛି ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ସଂଖ୍ୟାଧିକ ଲୋକ ଲକ୍ ଡାଉନ୍ ଅବଧି ବୃଦ୍ଧି କରିବା ସପକ୍ଷରେ ଅଛନ୍ତି। ୮୬.୭ ପ୍ରତିଶତ ଲୋକ ଏପ୍ରିଲ୍ ୧୪ ପରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକ୍ ଡାଉନ୍ ବୃଦ୍ଧି କରିବା ସପକ୍ଷରେ ନିଜର ମତ ପ୍ରକାଶ କରିଛନ୍ତି। ତନ୍ମଧ୍ୟରୁ ୬୨.୫ ପ୍ରତିଶତ ଲୋକ ଲକ୍ ଡାଉନ୍ ଅବଧି ବୃଦ୍ଧିକୁ ଦୃଢ଼ ଭାବରେ ସମର୍ଥନ କରୁଥିବା ବେଳେ ୨୪.୨ ପ୍ରତିଶତ ଲୋକ ଏହାକୁ ମୋଟାମୋଟି ଭାବରେ ସମର୍ଥନ କରୁଛନ୍ତି। NCAER (ଏନସିଏଇଆର) ଅନୁଯାୟୀ, ସର୍ଭେରୁ ଜଣାପଡିଛି ଯେ ଅଧିକାଂଶ ଲୋକ କରୋନାର ଭୟାବହତା ଏବଂ ଏଥିପାଇଁ ସାମାଜିକ ଦୂରତାର ଆବଶ୍ୟକତାକୁ ଭଲ ଭାବରେ ହୃଦୟଙ୍ଗମ କରିଛନ୍ତି। /-ଦେବଦତ୍ତ ରଥ

ପ୍ରକୃତିର ସଂଷ୍ପର୍ଷରେ.. ଗଛ ଉପରେ ଲକ୍ ଡାଉନ୍