ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ଗ୍ରାମର ଯୁବନେତା ଇଂ.ଲକି ମାଷ୍ଟର ସ୍ୱାଇଁ ରାଜ୍ୟ ପ୍ରଦେଶ କଂଗ୍ରେସର ପ୍ରଚାର ଓ ପ୍ରକାଶନ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଜାତୀୟ କଂଗ୍ରେସ ସଭାପତି ମଲ୍ଲୀକାର୍ଜ୍ଜୁନ ଖଡ୍ଗେ ଓଡିଶ ପ୍ରଦେଶ କଂଗ୍ରେସର ପ୍ରଚାର ଓ ପ୍ରକାଶନ ବିଭାଗକୁ ଅନୁମୋଦନ କରି ଏହାର ଆବାହକ ଭାବେ ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ସମେତ ସାରା ରାଜ୍ୟରୁ ୩୧ ଜଣ ସଭ୍ୟଙ୍କୁ ମନୋନୀତ କରିଛନ୍ତି । ସେଥିମଧ୍ୟରେ ଭଦ୍ରକ ଜିଲାର ଯୁବନେତା ଇଂ.ଲକି ମାଷ୍ଟର ସ୍ୱାଇଁଙ୍କୁ ସଭ୍ୟ ଭାବେ ମନୋନୀତ କରାଯାଇଛି । ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରଦ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଜିଲା ସଭାପତି ଅଶୋକ ଦାସ, ପୂର୍ବତନ ଜିଲା ସଭାପତି ସୁବ୍ରତ ଦାସ, ପୂର୍ବତନ ସାଂସଦ ଅନନ୍ତ ସେଠୀ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ ଆଦି ନେତୃତ୍ୱ ମାନେ ଜିଲାର ବିଭିନ୍ନ ସମସ୍ୟା ବିଷୟରେ ରାଜ୍ୟ ସ୍ତରରେ ଦାବୀ ଉଠାଇବା ସହିତ ଏବଂ ଜିଲାରେ ତୃଣମୂଳ ସ୍ତରରୁ କଂଗ୍ରେସକୁ ଅଧିକ ସଂଗଠିତ କରିବା ନେଇ ଶ୍ରୀ ସ୍ୱାଇଁଙ୍କୁ ଏହି ଗୁରୁ ଦାୟୀତ୍ୱ ଅର୍ପଣ କରିଛନ୍ତି । ଶ୍ରୀ ସ୍ୱାଇଁ ଜଣେ ବିଶିଷ୍ଟ କ୍ରୀଡା ସଂଗଠକ ଭାବରେ ସାରା ରାଜ୍ୟରେ ସୁପରିଚିତ । ତାଙ୍କ ସଭାପତିତ୍ୱରେ ଟିଲୋ ଠାରେ ଆନ୍ତର୍ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟଆୟୋଜିତ ହୋଇଆସୁଛି ।
ଏଥିରେ ଦେଶ ବାହାରର ନାମିଦାମୀ ଖେଳାଳୀ ସମେତ ଆଇ.ପି.ଏଲ, ୟୁ-୧୯ ଇଣ୍ଡିଆ, ରଣଜୀ ଆଦି ଖେଳାଳୀ ମାନେ ଖେଳିଛନ୍ତି । ଇଂ.ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବନ୍ତ ଠାରେ ପ୍ରଥମ କରି ବ୍ଲକ ସ୍ତରୀୟ ମହୋତ୍ସବ, ମିନି ମାରାଥନ, ରାଜ୍ୟ ସ୍ତରୀୟ ରଗ୍ବୀ ପ୍ରତିଯୋଗିତା, ବିଭିନ୍ନ ସମୟରେ ରକ୍ତଦାନ ଶିବିର, ମେଗା ସ୍ୱାସ୍ଥ୍ୟ ଶିବିର ଆଦି ଆୟୋଜନ ହୋଇଛି । ସେ ଜଣେ ମିଷ୍ଟଭାଷୀ, ଉଚ୍ଚ ଶିକ୍ଷିତ ଯୁବକ ଭାବେ ସମଗ୍ର ଅଂଚଳରେ ପରିଚିତ ଅଟନ୍ତି । ପେଶାରେ ଜଣେ ଯୁବ ଉଦ୍ୟୋଗପତି ଭାବେ ଜିଲାରେ ମଧ୍ୟ ପରିଚିତ । ଆଞ୍ଚଳିକ ବିକାଶ ପାଇଁ ଯଥେଷ୍ଟ ଧ୍ୟାନ ଦେଉଥିବା ଇଂ.ସ୍ୱାଇଁ ଭବିଷ୍ୟତରେ କଂଗ୍ରେସକୁ ଅଧିକ ସୁଦୃଢ କରିବାକୁ ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ, ଭଣ୍ଡାରିପୋଖରୀ ବ୍ଲକ ସଭାପତି ରଜନୀ ଚାନ୍ଦ, ରାଜୀବଗାନ୍ଧୀ ସଂଗଠନ ସଭାପତି ପ୍ରଦ୍ୟୁମ୍ନ ଦାସ, ରବିନାରାୟଣ ମହାନ୍ତି, ଗୋଲକ ବେହେରା, ବିଜୟ ଶଙ୍କର ମହାନ୍ତି, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚାନ୍ଦ ଆଶା ରଖିଛନ୍ତି । ଇଂ.ସ୍ୱାଇଁ ଜଣେ ରାଜନୈତିକ ସମୀକ୍ଷକ ଭାବେ ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱ ମାନଙ୍କ ପାଖରେ ସୁପରିଚିତ । ଆଗାମୀ ଦିନରେ କଂଗ୍ରେସ ପ୍ରତି ଲୋକମାନଙ୍କର ଆସ୍ଥା ବଢୁଥିବା ଏବଂ ଯୁବକ ମାନଙ୍କୁ ଦଳ ପ୍ରଧାନ୍ୟ ଦେଉଥିବାରୁ ବିଭିନ୍ନ ଯୁବଗୋଷ୍ଠୀ ଇଂ.ସ୍ୱାଇଁଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିର୍ବାଚନରେ କଂଗ୍ରେସକୁ ବିଜୟୀ କରିବାକୁ ଆଶା ପ୍ରକଟ କରିଛନ୍ତି ।