ବିଧାୟକମାନଙ୍କୁ ଅତ୍ୟାଧୁନିକ ବସରେ ଏକାଠି ବସାଇ ନେବା, ବିଳାଶମୟ ପଂଚତାରକା ହୋଟେଲରେ ସମସ୍ତ ସୁଖ ସ୍ୱଚ୍ଚାନ୍ଦ୍ୟ ଦେଇ କଡା ସୁରକ୍ଷା ବଳୟ ମଧ୍ୟରେ ରଖିବା ଏବେ ଭାରତୀୟ ରାଜନୀତିରେ ଏକ ସଂସ୍କୃତି ହୋଇଗଲାଣି ବୋଲି ନିସନ୍ଦେହରେ କୁହାଯାଇପାରିବ। ଯେତେବେଳେ କୌଣସି ରାଜ୍ୟ ସରକାର ସଂକଟର ସମ୍ମୁଖୀନ ହୁଅନ୍ତି, କ୍ଷମତାସୀନ ଦଳରେ ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ ଦେଖାଦିଏ, ସରକାର ଆସ୍ଥା ଭୋଟର ସମ୍ମୁଖୀନ ହୁଅନ୍ତି କିମ୍ବା ରାଜ୍ୟସଭା ନିର୍ବାଚନବେଳେ କ୍ରସଭୋଟିଂ ରୋକିବା ପାଇଁ ସତେବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ। ଭାରତୀୟ କ୍ଷମତା ରାଜନୀତିରେ ଏବେ ଏହା ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। ଆମେ ଏଭଳି ଅବତାରଣା ଏଠାରେ କରିଛୁ ଏଇଥିପାଇଁ ଯେ, ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ଏବେ ଆଭ୍ୟନ୍ତରୀଣ ବିଦ୍ରୋହର ସମ୍ମୁଖୀନ ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ନେତୃତ୍ୱ ବିରୁଦ୍ଧରେ ଯୁବ ନେତା ସଚିନ ପାଇଲଟଙ୍କ ନେତୃତ୍ୱରେ ୧୯ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିଛନ୍ତି। ସଚିନ ତାଙ୍କ ସମର୍ଥକ ବିଧାୟକଙ୍କମାନଙ୍କୁ ହରିଆନାର ଏକ ହୋଟେଲରେ ରଖିଛନ୍ତି। ତେବେ କେଉଁ ରିସର୍ଟରେ ସଚିବ ତାଙ୍କ ବିଧାୟକ ସମର୍ଥକମାନଙ୍କୁ ରଖିଛନ୍ତି, ତା’ର ଟେର୍ ପୋଲିସ କିମ୍ବା ରାଜ୍ୟସରକାର ପାଇନାହାଁନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଗେହଲଟ ମଧ୍ୟ ତାଙ୍କ ଗୋଷ୍ଠୀର ବିଧାୟକମାନଙ୍କୁ ଜୟପୁରର ଏକ ବିଳାଶପୂର୍ଣ୍ଣ ହୋଟେଲରେ କଡା ସୁରକ୍ଷା ବଳୟ ମଧ୍ୟରେ ରଖିଛନ୍ତି। ତେବେ ବିଧାୟକମାନଙ୍କୁ ଏପରି ସୁରକ୍ଷାବଳୟ ଏବଂ ବିଳାଶମୟ ପରିବେଶ ମଧ୍ୟରେ ରଖାଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସେମାନେ ଯେପରି ଅପରଗୋଷ୍ଠୀ ଦ୍ୱାରା ପ୍ରଲୋଭନର ଶିକାର ନ ହୁଅନ୍ତି ତଥା ପଟ୍ଟ ପରିବର୍ତ୍ତନ କରି ନପାରନ୍ତି। ଅନ୍ୟ ଅର୍ଥରେ ଲୋକ ପ୍ରତିନିଧିମାନଙ୍କୁ ହାଇଜାକ୍ ବା ଅପହରଣ କରି ନେଇ ରଖାଯିବା। ତେବେ ଏଭଳି ଦୃଶ୍ୟ, ଘଟଣା ଭାରତୀୟ ରାଜନୀତିରେ ନୂଆ ନୁହେଁ କିମ୍ବା ଏଥିରେ ବିସ୍ମିତ ହେବାର କିଛି ନାହିଁ। ଆହୁରି ମଧ୍ୟ ଏଭଳି ସଂସ୍କୃତି କେବଳ ଗୋଟିଏ ରାଜନୈତିକ ଦଳ କିମ୍ବା ଗୋଟିଏ ରାଜ୍ୟରେ ସୀମିତ ରହିନାହିଁ। ସ୍ମରଣଯୋଗ୍ୟ ଯେ, ପୂର୍ବରୁ ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର ବିରୁଦ୍ଧରେ ଦଳର ବିଧାୟକମାନଙ୍କ ବିଦ୍ରୋହ ଘୋଷଣା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୀର୍ଘଦିନ ଯାଏ, ଉଭୟ ଗୋଷ୍ଠୀର ବିଧାୟକମାନଙ୍କୁ ରଖାଯାଇଥିଲା। ସେହିପରି ଗତବର୍ଷ କର୍ଣ୍ଣାଟକରେ କ୍ଷମତାସୀନ କଂଗ୍ରେସ ଓ ଜେଡିଏସରୁ କେତେକ ବିଧାୟକ ଅଚାନକ ଇସ୍ତଫା ଦେବା ପରେ ଅନୁଗତ ବିଧାୟକମାନଙ୍କୁ ତୁରନ୍ତ ଏକ ପଂଚତାରକା ହୋଟେଲକୁ ନିଆଯାଇଥିଲା ସେହିପରି ବିଦ୍ରୋହୀ ବିଧାୟକ ମାନଙ୍କୁ ମଧ୍ୟ ମୁମ୍ବାଇର ଏକ ପଂଚତାରକା ହୋଟେଲରେ ଦୀର୍ଘ ଦିନ ଧରି ତଥା ସରକାରର ପତନ ପର୍ଯ୍ୟନ୍ତ ଅବସ୍ଥାନ କରିଥିଲେ। ଅନୁଗତ ଗୋଷ୍ଠୀର ବିଧାୟକମାନଙ୍କୁ ମଧ୍ୟପ୍ରଦେଶର ଏକ ହୋଟେଲରେ ରଖାଯାଇଥିଲା। କିନ୍ତୁ ଏହା ସତ୍ୟ ଯେ, ଗୁଜୁରାଟରେ ଏବେ ଏହା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଗୁଜୁରାଟରେ ଯେତେବେଳେ ରାଜ୍ୟସଭା ପାଇଁ ନିର୍ବାଚନ ହୁଏ, ସେତେବେଳେ ଅନୁରୂପ ନାଟକ ଦେଖିବାକୁ ମିଳେ। ଗୁଜୁରାଟରେ ରାଜ୍ୟସଭା ନିର୍ବାଚନବେଳେ, ଏହା ଏକ ପରମ୍ପରାରେ ପରିଣତ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ କ୍ଷମତା ପାଇଁ ରାଜନୀତିରେ ଏଭଳି ଘଟଣା ଗଣତନ୍ତ୍ର ପ୍ରତି ଉପହାସ ବ୍ୟତୀତ ଅନ୍ୟ କିଛି ନୁହେଁ। କେବଳ ଏତିକି ନୁହେଁ ଗଣତନ୍ତ୍ରର ମାଲିକ କଥା ଭୋଟଦାତାଙ୍କ ପାଇଁ ଏହା ଅପମାନ। ସେହିପରି ଲୋକ ପ୍ରତିନିଧିମାନଙ୍କ ମର୍ଯ୍ୟଦାକୁ ମଧ୍ୟ ଏହା କ୍ଷୁର୍ଣ୍ଣ କରୁଛି। ଆମ ଦେଶରେ ରାଜନୀତିରେ ଆୟାରାମ-ଗୟାରାମ, ଘୋଡାବେପାର, ଇସ୍ତଫା, ଦଳବଦଳ କିଛି ନୁହେଁ। ଭୋଟଦାତା ଦେଶର ସ୍ୱାର୍ଥ ପାଇଁ ଦଳର ଆଦର୍ଶକୁ ଭୋଟ ଦେଇଥାଏ। ସ୍ୱାଧୀନ ପ୍ରାର୍ଥୀଙ୍କ ବ୍ୟତୀତ ଦଳକୁ ଲୋକେ ଭୋଟ ଦେଇଥାନ୍ତି। ମାତ୍ର କ୍ଷମତାମୋହ ଓ ଅର୍ଥ ଲୋଭରେ ସେମାନେ ନିଜର ଆନୁଗତ୍ୟ ପରିବର୍ତ୍ତନ କରିଥାନ୍ତି। ଅନ୍ୟପକ୍ଷରେ ନିଜ ଦଳର ସଦସ୍ୟମାନଙ୍କ ଉପରେ ଦଳ ଆସ୍ଥା ହରାଇ ଥାଏ। ଯାହାର ପରିଣତି ହୋଇଛି ସେମାନଙ୍କୁ ହୋଟେଲ କିମ୍ବା ରିସର୍ଟରେ ତାଲା ପକାଇ ରଖାଯାଇଥାଏ, ନିଜର ବ୍ୟକ୍ତିଗତ ସ୍ୱାର୍ଥ ନିକଟରେ ଜନସାଧାରଣଙ୍କ ସ୍ୱାର୍ଥ ଓ ମତାମତ କ୍ଷମତା ଲୋଭିଙ୍କ ନିକଟରେ ତୁଚ୍ଛ। ଭାରତୀୟ ଗଣତନ୍ତ୍ର ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ। ରିସର୍ଟ ରାଜନୀତି ନିଶ୍ଚିତ ଭାବେ ଦେଶ ଓ ଗଣତନ୍ତ୍ର ପାଇଁ କ୍ଷତିକାରକ। ଏହାକୁ ରୋକିବା ସମସ୍ତ ରାଜନୈତିକି ଦଳର ପରମ କର୍ତବ୍ୟ ହେଉ।
– ସୌଭାଗ୍ୟ ରଂଜନ ମହାନ୍ତି(ରାଜା)