କେନ୍ଦ୍ରାପଡ଼ା ୧/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ରାଷ୍ଟ୍ରୀୟ ମଜଦୁର କଂଗ୍ରେସର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ୧୨ଦଫା ଦାବି ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ମଙ୍ଗଳବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଥମେ ପରଲୋକ ହୋଇଥିବା ଭାରତରତ୍ନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, କୋଭିଡରେ ସମସ୍ତ କୋଭିଡ ଯୋଦ୍ଧା ଓ ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ଶ୍ରମିକ-କୃଷକମାନଙ୍କ ହିତପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ହଜାର ହଜାର ଶ୍ରମିକ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସଭାପତି ମୁକ୍ତାର ଖାଁଙ୍କ ନେତୃତ୍ୱରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଶ୍ୱ କରୋନା ମାହାମାରୀର ସୁଯୋଗ ନେଇ କେନ୍ଦ୍ରୀୟ ଓ ରାଜ୍ୟ ସରକାର ଅତ୍ୟନ୍ତ ସ୍ୱେଚ୍ଛାଚାରୀ ଢଙ୍ଗରେ ଗୋଟିଏ ପରେ ଗୋଟିଏ ଶ୍ରମିକ ବିରୋଧି ନୀତି ଗ୍ରହଣ କରିଚାଲିଥିବାରୁ ଦିନକୁ ଦିନ ଗରିବ ଶ୍ରମିକ ଓ କୃଷକଙ୍କର ଜୀବନ ଜୀବିକା ବିପର୍ଯ୍ୟସ୍ତ ହେବାରେ ଲାଗିଛି। କୋଭିଡ କାରଣରୁ ବିଭିନ୍ନ ରାଜ୍ୟରୁ ଭିଟାମାଟିକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ଜୀବିକା ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ଫଳପ୍ରଦ ଯୋଜନା ପ୍ରସ୍ତୁତ କରି ନ ପାରିବା କାରଣରୁ ଅଭାବ ଅନଟନରେ ସନ୍ତୁଳିତ ହେଉଥିବା ଶ୍ରମିକମାନେ ପୁଣି ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହୋଇଛନ୍ତି। ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ କାମଧନ୍ଦା ହରାଇ ଦୟନୀୟସ୍ଥିତିରେ ଥିବାବେଳେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ନିମନ୍ତେ ସରକାରଙ୍କ ଘୋଷିତ ସାହାଯ୍ୟ କେନ୍ଦ୍ରାପଡା ଜିଲ୍ଲାରେ ସରକାରୀ ନଥି ତଳେ ଚାପି ହୋଇଯାଇଛି। ଏହି ସ୍ଥିତିରେ ପରିବର୍ତ୍ତନ ଆଣି ନିର୍ମାଣ ଶ୍ରମିକମାନଙ୍କୁ ସେମାନଙ୍କ ଅଧିକାର ଯଥାଶୀଘ୍ର ପ୍ରଦାନ ନିମନ୍ତେ କେନ୍ଦ୍ରାପଡା ଜିଲ୍ଲାର ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ୧୨ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଦାବି ଗୁଡିକ ହେଉଛି ଜିଲ୍ଲାଶ୍ରମ କାର୍ଯ୍ୟାଳୟରେ ଖାଲି ପଡିଥିବା ଡିଏଲ୍ଓ, ଏ-ଏଲ-ଓ ସମେତ ସମସ୍ତ ପଦବୀ ତୁରନ୍ତ ପୂରଣ କରାଯାଉ, କୋଭିଡ-୧୯ ପାଇଁ ସରକାରଙ୍କ ଦ୍ୱାରା ଘୋଷିତ ୧୫୦୦ ଟଙ୍କାର ସହାୟତା ପାଇନଥିବା ସମସ୍ତ ଶ୍ରମିକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବା, ୨୦୧୬ ମସିହାରୁ ଏପର୍ଯ୍ୟନ୍ତ ସାଇକେଲ ଓ ଯନ୍ତ୍ରପାତି ସହାୟତା ରାଶି ପାଇବାକୁ ଅପେକ୍ଷାରେ ଥିବା ଜିଲ୍ଲାର ପ୍ରାୟ୧୨ହଜାର ନିର୍ମାଣ ଶ୍ରମିକଙ୍କୁ ଯଥାଶୀଘ୍ର ଏହା ଯୋଗାଇ ଦିଆଯିବା, ୨୦୧୭ ମସିହାରୁ ପ୍ରଶିକ୍ଷଣ ପାଇଥିବା ନିର୍ମାଣ ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟ ଜିଲ୍ଲାର ପ୍ରାୟ ୧୦ହଜାର ଶ୍ରମିକଙ୍କୁ ୩ହଜାର ଟଙ୍କାର ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯିବା, ୨୦୧୮-୧୯ ଶିକ୍ଷାବର୍ଷରୁ ବାକିପଡିଥିବା ଶିକ୍ଷାବୃତ୍ତିକୁ ଯଥା ଶୀଘ୍ର ପ୍ରଦାନ କରିବା ସହ ଅଲନାଲଇନ ଶିକ୍ଷା ନିମନ୍ତେ ନିର୍ମାଣ ଶ୍ରମିକଙ୍କ ଅଧ୍ୟୟନରତ ପିଲାମାନଙ୍କୁ ଆଣ୍ଡ୍ରୋଏଡ୍ ମୋବାଇଲ ଯୋଗାଇ ଦିଆଯିବା, ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ୧୫ଦିନ ପାଇଁ ରିଲିଫ ଯୋଗାଇ ଦେବା ଓ ଥଇଥାନ କରିବା, ଶ୍ରମିକ କଲ୍ୟାଣ ବୋର୍ଡର ନିଷ୍ପତ୍ତିକୁ ସମ୍ମାନ ଦେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କୁ ଅଗ୍ରାଧିକାର ଦିଆଯିବା, ପେଟ୍ରୋଲ ଡିଜେଲର ମୂଲ୍ୟ ବୃଦ୍ଧିକୁ ରୋକାଯାଇ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା, ବ୍ୟାଙ୍କ, ବୀମା, ରେଲୱେ ସମେତ ସମସ୍ତ ସରକାରୀ ସମ୍ପତ୍ତିର ସୁରକ୍ଷା, ୧୯୪୮ ଶ୍ରମ ଆଇନର ସଂଶୋଧନକୁ ବାତିଲ କରି ୮ଘଣ୍ଟା କାମ କରିବାର ଅଧିକାରକୁ ସୁରକ୍ଷିତ କରିବା, ଏମ୍-ଜି-ଏନ-ଆର-ଇ-ଜି-ଏସ- ଅଧିୀନରେ୨୦୦ ଦିନର କାମ ଯୋଗାଇଦେବା ସହ ସର୍ବନିମ୍ନ ମଜୁରୀ ୫୦୦ ଟଙ୍କା କରିବା, ସରକାରଙ୍କ ଜନବିରୋଧି ନୀତି ବିରୋଧରେ ସ୍ୱର ଉଠାଉଥିବା ନାଗରିକମାନଙ୍କ ଅନ୍ୟାୟ ଗିରଫଦାରି ବନ୍ଦ କରିବା ପ୍ରଭୃତି। ଏହି କାର୍ଯ୍ୟକ୍ରମରେ ଆଇଏନଟିୟୁସିର ରାଜ୍ୟ ଉପସଭାପତି କୃଷ୍ଣ ଚନ୍ଦ୍ର ରାଉତ, ରାଜ୍ୟ ଆଇଏନଟିୟୁସିର ସଦସ୍ୟ ପ୍ରଦୀପ କୁମାର ମହାନ୍ତି, ମହେନ୍ଦ୍ର କୁମାର ପରିଡା, ବସନ୍ତ କୁମାର ସେଠୀ, ପ୍ରମୋଦ କୁମାର ମହାପାତ୍ର, ସର୍ବେଶ୍ୱର ସେଠୀ, ଅଶୋକ ଲେଙ୍କା, ପ୍ରତ୍ୟୁଷ ପରିଡା, ନୃସିହ ପରିଜା, ଯସମିନ ବେଗମ, ଅମିନା ଖାତୁନ, ସେକ୍ ଅଜମୁତୁଲ୍ଲା, ନିର୍ମଳ ମଲ୍ଲିକ, ଫରିଦା ବାନୁ, ମନୋଜ କୁମାର ମଲ୍ଲିକ, ପିତାମ୍ବର ବେହେରା, ସୁନାକର ସାହୁ, ମୀର ସୋଫିୟାନଙ୍କ ସମେତ ଶତାଧିକ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଦସ୍ୟମାନେ ଯୋଗଦେଇଥିଲେ।