ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆବାଲ୍ୟ ଶିବ ଉପାସକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗକୁ ବିଶେଷ ଅବଦାନ ପାଇଁ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ ଏକ ନୈଶ୍ୟ ଭୋଜିର ଆୟୋଜନ କରି ସସମ୍ମାନର ସହିତ ରାଜଭବନକୁ ନିମନ୍ତ୍ରଣ କରି ତାଙ୍କର ଜୀବନବ୍ୟାପୀ ସାରସ୍ୱତ ସାଧନା, ଜୀବନଚର୍ଯ୍ୟା, ଭକ୍ତି, ନୀତି, ନିଷ୍ଠା ଓ ଏକାଗ୍ରତା ଉପରେ ଆଲୋଚନା କରିଥିଲେ । ଚଳିତ ୭ ତାରିଖ ମଙ୍ଗଳବାର ଅପରାହ୍ନ ୪ ଘଟିକା ସମୟରେ ତାଙ୍କ ସହିତ ଓଡ଼ିଶାର ୭ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ସେମାନେ ହେଲେ ପ୍ରଫେସର ଆଦିତ୍ୟ ମହାନ୍ତି, ସ୍ୱାଗତିକା ଆଚାର୍ଯ୍ୟ, ପ୍ରିୟଙ୍କା ସାହାଣୀ, ଶିବପ୍ରସାଦ ଦାସ, ବଦ୍ରୀ ମିଶ୍ର, ଚିନ୍ମୟ ପାତ୍ର ଓ ହରି ନାୟକ । ଦୀର୍ଘ ୩ ଘଣ୍ଟା ଧରି ରାଜଭବନରେ ମହାମହିମ ରାଜ୍ୟପାଳ ଆଲୋଚନା କରିବା ସହିତ ସେମାନଙ୍କର କୃତି ଓ କୃତିତ୍ୱ ଉପରେ ବିଶଦ ଭାବେ ଆଲୋଚନା କରିବା ସହିତ ୨ ହଜାରରୁ ଉର୍ଦ୍ଧ୍ୱ ପୁସ୍ତକର ସ୍ରଷ୍ଟା ବିଶ୍ୱର ବିରଳ ପ୍ରତିଭା ସାରସ୍ୱତ ସାଧକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଜୀବନାଦର୍ଶ ବିଷୟରେ ଶ୍ରବଣ କରି ଆଶ୍ଚର୍ଯ୍ୟ ହୋଇ ଶ୍ରୀ ମହାପାତ୍ରଙ୍କ ବ୍ରହ୍ମଜ୍ଞାନକୁ ଭୁରି ଭୁରି ପ୍ରଶଂସା କରିଥିଲେ ।
ପ୍ରକାଶ ଥାଉକି ଗତ ନଭେମ୍ବର ୧୮ ତାରିଖ ଦିନ ମହାମହିମ ରାଜ୍ୟପାଳ ଶ୍ରୀ ମହାପାତ୍ରଙ୍କୁ ରାଜଭବନରେ ସମ୍ମାନ ପୂର୍ବକ ଏକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏବଂ ୫ ଖଣ୍ଡ ଉପାଦେୟ ପୁସ୍ତକ ଲୋକାର୍ପଣ କରିଥିଲେ । ଗତକାଲି ନୈଶ୍ୟ ଭୋଜିର ଅବ୍ୟବହୃତ ପୂର୍ବରୁ ମହାମହିମ ରାଜ୍ୟପାଳ ପଣ୍ଡିତ ଶ୍ରୀ ମହାପାତ୍ରଙ୍କର ଜୀବନୀ, ସାରସ୍ୱତ ସାଧନା, ଜୀବନାଦର୍ଶନ, ଭକ୍ତି, ପ୍ରେରଣା, ନିଷ୍ଠା ଓ ଶିକ୍ଷା ଆଦି ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଓଡ଼ିଆ ସାହିତ୍ୟକୁ ଏଭଳି ବିରଳ ପ୍ରତିଭା ଶ୍ରୀ ମହାପାତ୍ରଙ୍କ ବିଶେଷ ଅବଦାନ ଥିବା ଜାଣି ମହାମହିମ ରଜ୍ୟାପାଳ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହିତ ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀ ମହାପାତ୍ରଙ୍କ ପିତା ୰ ଭୈରବ ଚନ୍ଦ୍ର ମହାପାତ୍ର ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ମାତା ୰ ଶାନ୍ତିଲତା ମହାପାତ୍ର ଜଣେ ଧର୍ମ ପରାୟଣ ଓ ସମାଜସେବିକା ଜାଣି ମହାମହିମ ରାଜ୍ୟପାଳ ତାଙ୍କ ପିତାମାତାଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା’ ମହାଲକ୍ଷ୍ମୀଙ୍କ ସହିତ ତୁଳନା କରିଥିଲେ । ସାରସ୍ୱତ ଜଗତ ପାଇଁ ପଣ୍ଡିତ ଶ୍ରୀ ମହାପାତ୍ରଙ୍କ ବିଶେଷ ଅବଦାନ ଓ ଆଜୀବନ ସାଧାନାର ସିଦ୍ଧି ପାଇଁ ମହାମହିମ ରାଜ୍ୟପାଳ ରାଜଭବନରେ ସମ୍ମାନିତ କରିଥିବା ଓ ଠିକ୍ ୧୮ ଦିନ ପରେ ନୈଶ୍ୟ ଭୋଜିରେ ଆପ୍ୟାୟିତ ପୂର୍ବକ ଜୀବନାଦର୍ଶନ ଆଲୋଚନା କରିଥିବା ଜାଣି ଓଡ଼ିଶାର ବହୁ ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନ ଏବଂ ବୁଦ୍ଧିଜୀବୀ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।