ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କହରାପୋଖରୀ ଦମକଳ କେନ୍ଦ୍ର ନିକଟରୁ ଜଣେ ବାଇକ ଆରୋହୀଙ୍କ ପକେଟରୁ ଲୁଟେରାମାନେ ମଙ୍ଗଳବାର ମୋବାଇଲ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ରହଣିଆ ଗ୍ରାମର କରୁଣାକର ତରାଇ ବାଇକ ଯୋଗେ ଭଦ୍ରକ ଯାଉଥିବା ବେଳେ ଦିନ ୧.୧୦ ସମୟରେ ପଛରୁ ଫଲୋକରି ଆସୁଥିବା ୨ଜଣ ନମ୍ବର ବିହୀନ ବାଇକ ଆରୋହୀ ସଂପୃକ୍ତ ସ୍ଥାନରେ କରୁଣାକରଙ୍କ ସାର୍ଟର ସମ୍ମୁଖ ପକେଟରେ ଥିବା ମୋବାଇଲକୁ ଛଡାଇନେଇ ଦ୍ରୁତ ଗତିରେ ଭଦ୍ରକ ଆଡକୁ ପଳାଇଥିଲେ । କରୁଣାକର ଭଣ୍ଡାରିପୋଖରୀ ଥାନାକୁ ଯାଇ ଲୁଟ ସମ୍ପର୍କରେ ଜଣାଇଥିଲେ । ଥାନା ସବଇନିସପେକ୍ଟର ବୈଦ୍ୟନାଥ ସୋରେନ ମୋବାଇଲର କାଗଜପତ୍ର ଦେବାକୁ କହିବା ସହ ଏ ସମ୍ପର୍କରେ ସତ୍ୟପାଠ ଦେବାକୁ କହିଥିଲେ । ଅନ୍ୟନୋପାୟ ହୋଇ କରୁଣାକର ସତ୍ୟପାଠ ପ୍ରସ୍ତୁତ କରି ଝିଅ ନାମରେ ଥିବା ରେଡମି ମୋବାଇଲ କାଗଜପତ୍ର ଆଣି ଅଭିଯୋଗ ଦାଖଲ କରିଥିଲେ । ଥାନାର ଜଣେ ମହିଳା ପୁଲିସ କର୍ମଚାରୀ ଅଭିଯୋଗ ବଦଳାଇବାକୁ ସାର କହିଯାଇଛନ୍ତି ବୋଲି ଜଣାଇବା ସହ ରହଣିଆ-ଭଣ୍ଡାରିପୋଖରୀ ରାସ୍ତାରେ ମୋବାଇଲ ହଜିଯାଇଛି ବୋଲି ଲେଖି ଅଭିଯୋଗ କରିବାକୁ ସାର କହିଛନ୍ତି ବୋଲି କହିଥିଲେ । ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଥାନାରେ ଏ ସମ୍ପର୍କରେ ମାମଲା ଋଜୁ ହୋଇ ନଥିବା ଜଣାଯାଇଛି । ସତ୍ୟପାଠ ଅନାବଶ୍ୟକ ଓ ଏଭଳି କହିଥିବା କର୍ମଚାରୀଙ୍କ ବିରୋଧରେ ତଦନ୍ତ ହେବ ବୋଲି ଏସ.ଡି.ପି.ଓ. ତ୍ରିଲୋଚନ ସେଠୀ ମତରଖିଛନ୍ତି ।