Home ଜିଲ୍ଲା ପରିକ୍ରମା ‘ରାଖାଲ ଚନ୍ଦ୍ର ଦାସ ଥିଲେ ପରିପୂର୍ଣ୍ଣ ଜୀବନର ପରିଭାଷା ’

‘ରାଖାଲ ଚନ୍ଦ୍ର ଦାସ ଥିଲେ ପରିପୂର୍ଣ୍ଣ ଜୀବନର ପରିଭାଷା ’

15

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଖାଲ ଚନ୍ଦ୍ର ଦାସ ଥିଲେ ଖ୍ୟାତିସଂପନ୍ନ ଅଧିବକ୍ତା, ବିଶିଷ୍ଟ ସମାଜସେବୀ, ସାହିତ୍ୟ ଓ ସଂସ୍କୃତିର ପୂଜାରୀ ଏବଂ ଶ୍ରୀରାମକୃଷ୍ଣ ଦର୍ଶନର ଉପାସକ । ତାଙ୍କର ସମଗ୍ର ଜୀବନ ଏହି ଚାରୋଟି ମୁଖ୍ୟ ଧାରାରେ ପ୍ରବାହିତ ଥିଲା ଏବଂ ସେହି ଧାରାର ଉତ୍ସ ଥିଲା ଶୃଙ୍ଖଳା ଓ ସମୟାନୁବର୍ତ୍ତିତା । କନିଷ୍ଠ ଓକିଲଙ୍କ ନିମନ୍ତେ ସେ ଥିଲେ ପ୍ରେରଣାର ମୂର୍ତ୍ତି । ତାଙ୍କରି ଦିଗ୍‌ଦର୍ଶନରେ ପ୍ରୋଗ୍ରେସିଭ୍ ଲୟାରର୍ସ ଫୋରମ୍ ନାମକ ଏକ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହି ସଂସ୍ଥା ମାଧ୍ୟମରେ ସମ୍ବିଧାନ ଦିବସ ପାଳିତ ହେବା ସହିତ ଗଣତନ୍ତ୍ରକୁ ସମୃଦ୍ଧ କରିବା ନିମନ୍ତେ ବିଭିନ୍ନ ଆଲୋଚନାଚକ୍ର ଆୟୋଜିତ ହେଉଥିଲା । ସମାଜସେବା କ୍ଷେତ୍ରରେ ରାଖାଲବାବୁ ଥିଲେ ଭଦ୍ରକ ରୋଟାରୀ କ୍ଳବର ପ୍ରତିଷ୍ଠାତା ସଭାପତି ଏବଂ ତାଙ୍କରି ଉଦ୍ୟମରେ ଗଠିତ ଆୱାର୍ଡସ୍ କମିଟି ଆଜି ପ୍ରାୟ ଏକ କୋଟି ଟଙ୍କାର ବିରାଟ ମୂଳ ରାଶିରେ ପରିଣତ ହୋଇପାରିଛି । ପ୍ରତିବର୍ଷ ତାହାରି ସୁଧ ରାଶିରେ ମେଧାବୀ ଛାତ୍ର ଛ୍ରାତ୍ରୀ ଏବଂ ବିଭିନ୍ନ ବୃତିରେ ଉକ୍‌ôର୍ଷତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଉଥିଲା । ଚଳିତ ବର୍ଷ ଏହି ସଂସ୍ଥା ଆଡମ୍ବର ସହିତ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଛି । ରାଖାଲବାବୁଙ୍କ ଉଦ୍ୟମରେ ୧୯୭୨ ମସିହାରେ ଭଦ୍ରକ ସାହିତ୍ୟ ପରିଷଦ ଗଠିତ ହୋଇଥିଲା ଏବଂ ଏହା ଏପର୍ଯ୍ୟନ୍ତ ଭଦ୍ରକର ପ୍ରମୁଖ ସାରସ୍ୱତ ଅନୁଷ୍ଠାନ ଭାବେ ବିବେଚିତ । ସେ ତାଙ୍କ ଉଦ୍ୟାନରେ ପ୍ରତିବର୍ଷ ଉତ୍କଳ ଦିବସ ପାଳନ କରୁଥିଲେ ଏବଂ ସେହି ପରଂପରା ଆଜି ମଧ୍ୟ ବଜାୟ ରହିଛି । ରାଖାଲ ଚନ୍ଦ୍ର ଦାସ ଥିଲେ ଶ୍ରୀ ରାମକୃଷ୍ଣ ପରମହଂସ, ମା ସାରଦା ଦେବୀ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତି ସମର୍ପିତ ।

ସେହି ପ୍ରେରଣାରେ ସେ ସାରଦା ବିହାର ଟ୍ରଷ୍ଟ ଗଠନ କରିଥିଲେ ଏବଂ ତାହାରି ମାଧ୍ୟମରେ ପ୍ରତି ବର୍ଷ ଜାନୁୟାରୀ ୧ ତାରିଖରେ କଳ୍ପତରୁ ଦିବସ ପାଳିତ ହେଉଛି । ତାଙ୍କ ଉଦ୍ୟମରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା ଅୟୋଜନ କରାଯାଉଥିଲା । ଏକାଧାରରେ ସେ ଥିଲେ ସ୍ୱୟଂ ଏକ ଅନୁଷ୍ଠାନ ଏବଂ ଭଦ୍ରକ ସାରସ୍ୱତ ଓ ସାଂସ୍କୃତିକ ଜଗତର କୁଳାଧିପତି । ସ୍ୱର୍ଗତ ରାଖାଲ ଚନ୍ଦ୍ର ଦାସଙ୍କ ପଂଚମ ପୁଣ୍ୟତିଥିରେ ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ପ୍ରଫେସର ଯତୀନ ନାୟକ ଏବଂ ମୁଖ୍ୟବକ୍ତା ଅଧ୍ୟାପକ ନିରଂଜନ ପାଢ଼ୀ ଉପରୋକ୍ତ ମତ ରଖି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଡଃ ସୋମା ଚାନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରି ରାଖାଲଚନ୍ଦ୍ର ଦାସଙ୍କ ସେବା ଓ ତ୍ୟାଗ ସମର୍ପିତ ଜୀବନର ବିସ୍ତୃତ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ ଏବଂ ବାର୍ ଆସୋସିଏସନର ସହ ସଂପାଦକ ଆଡଭୋକେଟ ମନୋରଂଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ବାର୍ ଆସୋସିଏସନର ସଭାପତି ନିରାକାର ଜେନାଙ୍କୁ ପ୍ରଥମ ରାଖାଲ ଚନ୍ଦ୍ର ସ୍ମୃତି ସମ୍ମାନ ପ୍ରଦାନ ଏବଂ ରୋଟାରୀ କ୍ଳବ ତରଫରୁ କୃତି ଛାତ୍ର/ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶୁଭ୍ର ପ୍ରକାଶ ଦାସ ଏବଂ ସତ୍ୟପ୍ରକାଶ ଦାସ ଅତିଥିମାନଙ୍କୁ ଉପଢ଼ୌକନ ଓ ଉପହାର ଦେଇ ସମ୍ମାନିତ କରିଥିଲେ । ସମାରୋହରେ ଡଃ ମଦନ ପଣ୍ଡା, ଡାକ୍ତର ହରେକୃଷ୍ଣ ନାୟକ, ଇଂ ବସନ୍ତ ପାଣିଗ୍ରାହୀ, ସୀତାକାନ୍ତ ଦାସ, ଅମ୍ବିକା ବଲ୍ଲଭ ସ୍ୱାଇଁ , ଅଭିଜିତ ନାୟକ, ପବିତ୍ର ପାଣିଗ୍ରାହୀ, ହୃଦାନନ୍ଦ ପାଣିଗ୍ରାହୀ, ଅଜୟ ନାୟକ, ଗଦାଧର ବଳ, ମନୀନ୍ଦ୍ର ମହାନ୍ତି, ଅଶୋକ ଜେନା, କୀର୍ତ୍ତନ ଦାସ, ଭରତ ଦାସ, ଉଦୟ ଦାସ, ଆଦିତ୍ୟ ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.