ବାଲେଶ୍ୱର, ୨୧ା୮(ଓଡ଼ିଆ ପୁଅ/ଅଭୟ ଦାସ): ପୂର୍ବରୁ ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଭାବେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇଥିବା ଛାତ୍ରନେତା ରଂଜନ କୁମାର ଦାସଙ୍କୁ ଏବେ ବାଲେଶ୍ୱର ଜିଲ୍ଲା ଯୁବ କଂଗ୍ରେସର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କା ଓଡ଼ିଶାର ୩୦ ଗୋଟି ଜିଲ୍ଲା ପାଇଁ ସଭାପତି ନିଯୁକ୍ତ କରିଥିବା ବେଳେ ବାଲେଶ୍ୱର ପାଇଁ ରଜନ କୁମାର ଦାସଙ୍କୁ ଏହି ଦାୟିତ୍ୱ ଅର୍ପଣ କରିଛନ୍ତି। ରଂଜନ ଦାସଙ୍କ ନୂଆ ଦାୟିତ୍ୱ ଗ୍ରହଣକୁ ନେଇ ବାଲେଶ୍ୱର ଜିଲ୍ଲାର ଯୁବ କଂଗ୍ରେସ କର୍ମୀମାନେ ବେଶ୍ ଉତ୍ସାହିତ ଥିବା ଜଣାପଡ଼ିଛି। ନୂଆ ସଭାପତିଙ୍କୁ ସେମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। ତେବେ ତାଙ୍କୁ ଏହି ଦାୟିତ୍ୱ ମିଳିଥିବା ଯୋଗୁଁ ସେ ଯୁବ କଂଗ୍ରେସ ରାଜ୍ୟ ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ସମେତ ପିସିସି ସଭାପତିି ନିରଂଜନ ପଟ୍ଟନାୟକ ଓ ବାଲେଶ୍ୱରର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କ ସାଂଗଠନିକ ଦକ୍ଷତା ଉପରେ ପଦସ୍ଥ ନେତାଙ୍କ ଆସ୍ଥା ପ୍ରକଟ ତାଙ୍କୁ କାର୍ଯ୍ୟ କରିବାକୁ ଅଧିକ ଉତ୍ସାହିତ କରିଛି ବୋଲି ଶ୍ରୀ ଦାସ କହିଛନ୍ତି। ଆଗାମୀ ଦିନରେ ଯୁବଶକ୍ତିକୁ ଏକତ୍ରିତ କରି ସଂଗଠନକୁ ଆଗକୁ ନେବା ସହିତ ବେକାର ଯୁବକ ଯୁବତୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବ୍ୟବସ୍ଥାକୁ ଉପଯୋଗ କରିବାକୁ ଲକ୍ଷ୍ୟ ରଖିଥିବା ସେ ପ୍ରକାଶ କରିଛନ୍ତି। ଏମିତିକି ଯୁବ ଗୋଷ୍ଠୀଙ୍କ ସ୍ୱାର୍ଥରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ସେ ଆନ୍ଦୋଳନ କରିବାକୁ ପଛାଇବେ ନାହିଁ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।