ଯୋଡା, ୨୭ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ପୁତୁରା ସୁନିଲ ପାତ୍ରକୁ ହତ୍ୟା ଅଭିଯୋଗରେ ଦାଦା ଖଗେଶ୍ୱର ପାତ୍ରକୁ ପୁଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ଖଗେଶ୍ୱର ଏବଂ ସୁନିଲ ଉଭୟ କମାରଯୋଡାରେ ଏକ ଘର ଭଡା ନେଇ ରହୁଥିଲେ ଓ ଟ୍ରକରେ ଖଗେଶ୍ୱର ଡ୍ରାଇଭର ଓ ସୁନିଲ ହେଲଫର ଭାବେ କାର୍ୟ୍ୟ କରୁଥିଲେ । ଘଟଣାରୁ ପ୍ରକାଶ ଯେ, ଦାଦା ପୁତୁରା ମିଶି ଗତ ୧୧.୦୩.୨୦୨୦ରେ ଯୋଡାସ୍ଥିତ କମାରଯୋଡା ଠାରେ ଏକ ଭୋଜିରେ ଯୋଗଦେଇଥିଲେ । ଉଭୟ ମଦ୍ୟ ପାନ କରିବା ପରେ ତାଙ୍କ ଭିତରେ କୌଣସି ଘଟଣାକୁ ନେଇ ପ୍ରଥମେ ଯୁକ୍ତି ତର୍କ ଓ ପରେ ମାର ପିଟ ହୋଇଥିଲା । ଏଥିରେ ସୁନିଲ ପାତ୍ରଙ୍କ ମୁଣ୍ଡ କୌଣସି ସ୍ଥାନରେ ବାଡେଇ ହୋଇ ସେଥିରୁ ରକ୍ତ ବାହାରିଥିଲା । ପରେ ସୁନିଲ ଘରକୁ ଫେରି ଆସି ଘରେ ଶୋଇପଡିଥିଲେ । ୧୨ ତାରିଖ ସକାଳୁ ତାଙ୍କୁ ଉଠାଇବାରୁ ସେ ଆଉ ଉଠିନଥିଲେ । ପରେ ସୁନିଲଙ୍କ ବାପା ହୃଦାନନ୍ଦ ପାତ୍ର ଏବଂ ପଡୋଶୀ ଦୁର୍ୟୋଧନ ପାତ୍ର ସୁନିଲକୁ ନେଇ ଯୋଡାସ୍ଥିତ ଟାଟା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଡାକ୍ତର ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳକୁ ନେଇଯିବାକୁ ପରାମର୍ଶ ଦେଇଥିଲେ । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ୨ ଘଣ୍ଟା ଚିକିତ୍ସା ପରେ ମୃତ୍ୟୁ ଘଟିଥିଲା । ତେବେ ଖଗେଶ୍ୱର ଗାଁକୁ ଆସି ସୁନିଲ ସାଇକେଲରୁ ପଡିଯାଇଥିବା କଥା କହିଥିଲେ । ପରେ ଗାଁ ଲୋକ ପଚରାଉଚରା କରିବାରୁ ଏହାର ସତ୍ୟାସତ୍ୟ ପଦାକୁ ଆସିଥିଲା । ଫଳରେ ସୁନିଲର ବାପା ହୃଦାନନ୍ଦ ଏ ନେଇ ଯୋଡା ଥାନାରେ ୨୦.୦୩.୨୦୨୦ରେ ଏକ ଏତଲା ଦାୟର କରିଥିଲେ । ପୁଲିସ ଖଗେଶ୍ୱରକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ଖଗେଶ୍ୱରର ଘର ନୟାକୋଟ ଥାନା ଅନ୍ତର୍ଗତ ଜଲଡିହା ଗ୍ରାମର ବୋଲି ଜଣାପଡିଛି । ତାଙ୍କ ନାମରେ ହତ୍ୟା ମାମଲା ଋଜୁ କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି ।