ଯୋଡା, ୧୭ା୬ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ସରକାରଙ୍କ ଅପରିଣାମଦର୍ଶିତା କାରଣରୁ ଯୋଡା ଖଣି କ୍ଷେତ୍ରରେ ଅନେକ ଖଣି ଏବଂ କାରଖାନା ବନ୍ଦ ହେବାକୁ ବସିଲାଣି। ଚଢା ଦରରେ ନିଲାମ ଧରି ଖଣି ହାତେଇଥିବା ଖଣି ମାଲିକମାନେ ଏବେ ଅଧିକାଂଶ ଖଣି ସରକାରଙ୍କୁ ଫେରାଇଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି। ଏହା ସହିତ ଲୁହା ପଥର ଏବଂ ଲୁହା ପିଲେଟ (ଲୁହା ଗୁଲି) ରପ୍ତାନୀ ଉପରେ କେନ୍ଦ୍ର ସରକାର ଯଥାକ୍ରମେ ୫୦ ପ୍ରତିଶତ ଓ ୪୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଯୋଡା ଖଣି କ୍ଷେତ୍ରରୁ ଲୁହାପଥର ରପ୍ତାନୀ ଏକ ପ୍ରକାର ଠପ୍ ହୋଇପଡିଛି। କେବଳ ନିଜସ୍ୱ କାରଖାନାମାନଙ୍କୁ ଲୁହାପଥର ଏବଂ ଲୁହା ପିଲେଟ ପରିବହନ କରାଯାଉଥିବା ବେଳେ ଯୋଡା ଅଞ୍ଚଳରେ ପରିବହନ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ହୋଇପଡିଛି। ଟାଟା କମ୍ପାନୀଙ୍କ କାଟାମାଟି ଖଣି ଏବଂ ଖଣ୍ଡବନ୍ଧ ଖଣିରୁ ଲୁହାପଥର ତାଙ୍କର ଭୂଷଣସ୍ଥିତ ନିଜସ୍ୱ କାରଖାନକୁ ପରିବହନ ହେଉଥିବା ବେଳେ ତାହା ପର୍ଯ୍ୟାପ୍ତ ପରିମାଣରେ ଟ୍ରକ ମାଲିକମାନଙ୍କୁ କାମ ଯୋଗାଇପାରୁନାହିଁ। ଯୋଡା ଖଣି ଅଞ୍ଚଳରେ ଯୋଡା ଟ୍ରକ ମାଲିକ ସଂଘ (ଜାଟୋଆ) ଓ ଆଞ୍ଚଳିକ ଟ୍ରକ ମାଲିକ ସଂଘ (ଆଟୋଆ) ଭଳି ୨ଟି ସଂଘ କାର୍ଯ୍ୟ କରୁଥିବା ବେଳେ ସେଥିରେ ୪ହଜାରରୁ ଉର୍ଦ୍ଧ ଟ୍ରକ ଅନୁବନ୍ଧିତ ରହିଛନ୍ତି। ଏହି ଖଣି ଦୁଇଟିରୁ ଦୈନିକ ମାତ୍ର ୫୦ରୁ ୧୦୦ ଟ୍ରକ ଲୁହାପଥର ବୋଝେଇ ପାଉଥିବା ବେଳେ ଟ୍ରକ ମାଲିକମାନେ ଦିନ ଦିନ ଧରି ସେମାନଙ୍କ ଟ୍ରକ ଗୁଡିକୁ ଠିଆ କରି ରଖିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଯୋଡା ଖଣି କ୍ଷେତ୍ରରେ କାର୍ଯ୍ୟରତ ବୃହତ ଖଣି ଗୁଡିକରୁ ଲୁହାପଥର ପ୍ରାୟ ସରିଆସିଥିବା ବେଳେ ସେଥିରେ ନିମ୍ନମାନର ଲୁହାପଥର ବାହାରୁଥିବାରୁ ବଜାରରେ ତାହାର ଚାହିଦା ନଥିବା ଜଣାପଡିଛି। ସେଗୁଡିକ ମଧ୍ୟରେ ଇନ୍ଦ୍ରାଣୀ ପଟ୍ଟନାୟକ ଲୌହ ଖଣି, ଜେଏସ୍ଡବ୍ଲୁଙ୍କ ଜଜାଙ୍ଗ ଲୌହ ଖଣି, କାଶଭି ଇଣ୍ଟରନ୍ୟାସନାଲଙ୍କ ଜରିବାହାଲ ଲୌହ ଖଣି, ଲଙ୍ଗାଲୋଟା ଲୌହ ଖଣି, ସିରାଜ୍ଜୁଦ୍ଦିନ ଲୌହ ଖଣି ଗୁଡିକ ଅନ୍ତର୍ଭୁକ୍ତ। ଏହି ଖଣି ଗୁଡିକରୁ ଉଚ୍ଚମାନର ଲୁହାପଥର ବାହାରୁନଥିବା ବେଳେ ଖଣି କମ୍ପାନୀ ଗୁଡିକ ୨ ବର୍ଷର ସମୟ ଅବଧି ପରେ ଏହାକୁ ସରକାରଙ୍କୁ ଫେରାଇଦେବା ପାଇଁ ସ୍ଥିର କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଅନ୍ୟପକ୍ଷରେ ସ୍ଲରୀ ପାଇପ ଓ ରେଳପଥରେ ଲୁହାପଥର ଗୁଣ୍ଡ କେତେକ ଖଣି କମ୍ପାନୀ ପରିବହନକୁ ପ୍ରାଧାନ୍ୟ ଦେଉଥିବା ବେଳେ ଟ୍ରକ ଗୁଡିକର ଚାହିଦା ଦିନକୁ ଦିନ ଖଣି ଅଞ୍ଚଳରେ କମିବାରେ ଲାଗିଛି। ସେହିପରି ସୋୟାବାଲିସ୍ଥିତ ଜିନ୍ଦଲ ପିଲେଟ କାରଖାନାରୁ ଲୁହା ପିଲେଟ ଝାରସୁଗୁଡାସ୍ଥିତ ତାଙ୍କର ନିଜସ୍ୱ କାରଖାନାକୁ ପ୍ରେରଣ କରାଯାଉଥିବା ବେଳେ ସଡକ ପଥରେ ପରିବହନ ମୂଲ୍ୟ ବୃଦ୍ଧି ଫଳରେ କମ୍ପାନୀ ରେଳ ଯୋଗେ ପରିବହନ କରିବାକୁ ପ୍ରାଧାନ୍ୟ ଦେଉଥିବା ଜଣାପଡିଛି। ଅନ୍ୟ ଦୁଇଟି ପିଲେଟ କାରଖାନା ମଧ୍ୟରୁ ଜଗନ୍ନାଥ ଷ୍ଟିଲର ନିଜସ୍ୱ ଲୁହା କାରଖାନା ନଥିବାରୁ ତାଙ୍କର ପିଲେଟ କାରଖାନାଟି ବନ୍ଦ ହୋଇପଡିଛି ଓ ଆର୍ୟା ପିଲେଟ କାରଖାନାର ସ୍ଥିତି ମଧ୍ୟ ଭଲ ନଥିବା ଜଣାପଡିଛି। ଖଣି ଅଞ୍ଚଳରେ ପରିବହନ ଅଧିକାଂଶ ଲୋକଙ୍କ ଜୀବିକା ନିର୍ବାହର ମୁଖ୍ୟ ମାଧ୍ୟମ ହୋଇଥିବା ବେଳେ ଏହି ମାନ୍ଦା ଅବସ୍ଥା ଯୋଗୁଁ ଋଣ କରି ଟ୍ରକ ଆଣିଥିବା ଅନେକ ଯୁବ ଗାଡି ମାଲିକ ଟ୍ରକ କିସ୍ତି ଦେଇନପାରି ଏବେ ଦେବାଳିଆ ହେବାକୁ ବସିଲେଣି। ଫଳରେ ଅନେକ ଟ୍ରକ ମାଲିକ ନିଜର ଟ୍ରକ ଗୁଡିକୁ କାବାଡିଆଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଯୋଡା ସହରରେ ଏକ ଅଚଳା ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇବାରେ ଲାଗିଛି।