ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କ୍ଷଣଭଂଗୁର ସଂସାରରେ ସ୍ୱକୀୟ କାର୍ଯ୍ୟବଳରେ ଯେଉଁମାନେ ମୃତ୍ୟୁକୁ ଜୟ କରିଛନ୍ତି ଓ ସର୍ବମାନସରେ ମା’ର ସମ୍ବୋଧନ ପାଇଛନ୍ତି, ସେ ହେଉଛନ୍ତି ମା’ ରମାଦେବୀ । ଜୀବନର ଅମ୍ଳାନ କୃତି ଓ କୀର୍ତ୍ତି ବଳରେ ସେ ଓଡ଼ିଶାବାସୀଙ୍କ ହୃଦୟରେ ନିଜର ଅତି ଆପଣାର ଲୋକ ହୋଇପାରିଛନ୍ତି । ତ୍ୟାଗ, ଦୃଢ କର୍ତ୍ତବ୍ୟନିଷ୍ଠା ବଳରେ ସେ ସେବା ମାଧ୍ୟମରେ ଦଳିତ, ନିଷ୍ପେସିତ ଲୋକମାନଙ୍କ ପାଇଁ ଓ ବିଶେଷକରି ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ ସଦାସର୍ବଦା ସମର୍ପିତ ଥିଲେ ବୋଲି ଆଜି ଭଦ୍ରକର ଗାନ୍ଧି ଓଡ଼ିଶା ବାଳାଶ୍ରମରେ ଭଦ୍ରକ ଜିଲା ସର୍ବୋଦୟ ମଣ୍ଡଳ ପକ୍ଷରୁ ଆୟୋଜିତ ତାଙ୍କର ୧୨୪ତମ ଜୟନ୍ତୀ ଓ ସ୍ମୃତିସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଆଜି ପୂର୍ବାହ୍ନ ୧୦ ଘଟିକାରେ ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭା ଓ ଆଲୋଚନା ଚକ୍ର ଅନ୍ତେବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧି ବାଳାଶ୍ରମର ସଂପାଦକ ଅଶୋକ ଦାସ ପ୍ରଥମେ ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମା’ ରମାଦେବୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ସହ କୁନି କୁନି ପିଲାମାନଙ୍କ ଦ୍ୱାରା ସର୍ବଧର୍ମ ପ୍ରାର୍ଥନା ଗାନ କରାଯାଇଥିଲା । ତ୍ୟାଗଭୂମିର ସଭାପତି ଅଜୟ କୁମାର ନାୟକ, ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ଉପସଭାପତି ନାରାୟଣ ଚନ୍ଦ୍ର ପାଢୀ, ସହ ସଂପାଦକ ବାବୁଲାଲ ଦାସ, ମହିଳା ସମାଜସେବୀ ଶାନ୍ତିଲତା ବାରିକ, ସଂଯୁକ୍ତା ଯାଦବ, ହୃଷିକେଶ ମହାନ୍ତି, ବିପ୍ଳବ ହୋତା, ଭବାନୀ ନାୟକ ପ୍ରମୁଖ ମା’ ରମାଦେବୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗଦାନ ଓ ନେତୃତ୍ୱ ସଂପର୍କରେ ବକ୍ତବ୍ୟ ରଖିବା ସହ ଲବଣ ସତ୍ୟାଗ୍ରହ ଓ ଭୂଦାନ ଆନ୍ଦୋଳନରେ ବିନୋବା ଭାବେଙ୍କ ଦ୍ୱାରା ସମଗ୍ର ଦେଶରେ ଜଣେ ନିଷ୍ଠାପର କର୍ମୀ ଭାବେ ଚିନ୍ ସୀମାରେ ସୈନ୍ୟମାନଙ୍କ ମନୋବଳ ବୃଦ୍ଧି, ଦସ୍ୟୁମାନଙ୍କର ହୃଦୟ ପରିବର୍ତ୍ତନ, ବାଂଲାଦେଶର ଶାନ୍ତି ସୈନିକ ଭାବେ ସଦଭାବନା ପ୍ରତିଷ୍ଠା, ନିଶା ନିବାରଣ ନିମନ୍ତେ ସଚେତନତା ସୃଷ୍ଟି କରିବା ଭଳି ତାଙ୍କର ଯେଉଁ ମହନୀୟ ଗୁଣ ଥିଲା, ତାହା ସଦାସର୍ବଦା ଦେଶବାସୀଙ୍କୁ ଦେଶପ୍ରେମର ପ୍ରେରଣ ପ୍ରଦାନ କରିବ ବୋଲି ସଭାପତି ଶ୍ରୀ ପାଣିଗ୍ରାହୀ ଓ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶେଷରେ ସର୍ବଦା ମଣ୍ଡଳ ପକ୍ଷରୁ ସଂପାଦକ ଗୟାଧର ପଣ୍ଡା ନିଜ ବକ୍ତବ୍ୟ ସହ ଧନ୍ୟବାଦ ଅର୍ପଣ କରିଥିଲେ ।
Home ଜିଲ୍ଲା ପରିକ୍ରମା ମା’ ରମାଦେବୀଙ୍କ ୧୨୪ତମ ଜୟନ୍ତୀ ଓ ସ୍ମୃତିଚାରଣ ସଭା, ସଂକଳ୍ପବଦ୍ଧ ଦେଶପ୍ରେମୀ ମା’ ରମାଦେବୀ ସଦା...