ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତ ମାତୃକା ବେଶର ଅନ୍ତିମ ଦିବସରେ ମା’ ମହାଲକ୍ଷ୍ମୀ ବେଶରେ ପୂଜା ପାଇଛନ୍ତି । ମା’ ଭଦ୍ରକାଳୀଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ କରିବା ପାଇଁ ସକାଳ ଠାରୁ ଭକ୍ତମାନଙ୍କର ପ୍ରବଳ ଗହଳି ଲାଗି ରହିଥିଲା । ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଆଜି ମା’ ନାନା ଅଳଙ୍କାର ସହ ହଳଦିଆ ପାଟବସ୍ତ୍ର ପରିଧାନ କରିଥିଲେ । ଗଜ ଓ ପେଚା ମା’ଙ୍କର ବାହନ ହୋଇଥିବା ବେଳେ ମୁଖମଣ୍ଡଳ ହଳଦୀବର୍ଣ୍ଣ ହୋଇଥିଲା । ବାମ ହସ୍ତଯୁଗଳରେ ଶଙ୍ଖ ଓ ଗଦା ଧାରଣ କରିଥିବା ବେଳେ ଦକ୍ଷିଣ ହସ୍ତ ଯୁଗଳରେ ଚକ୍ର ଓ ପଦ୍ମ ଧାରଣ କରି ଚତୁର୍ଭୁଜା ରୂପରେ ମା’ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ମହାଲକ୍ଷ୍ମୀ ବେଶରେ ମା’ଙ୍କୁ ଦର୍ଶନ କଲେ ଭକ୍ତର ସମସ୍ତ ମାନସିକ ପୂରଣ ହେବା ସହିତ ଭକ୍ତ ଧନ୍ୟ, ଧାନ୍ୟ, ଗୋପ, ଲକ୍ଷ୍ମୀ, ଯଶ, ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ । ଅନ୍ୟପକ୍ଷରେ ମା’ଙ୍କ ପୀଠରେ ୭ ଦିନ ଧରି ଚାଲି ଆସିଥିବା ବିଶ୍ୱଶାନ୍ତି ମହାଯଜ୍ଞର ଆଜି ଅନ୍ତିମ ଦିନରେ ଯଜ୍ଞର ପୂର୍ଣ୍ଣାହୁତି ହୋଇଛି । ଏହି ଅବସରରେ ଯାଜ୍ଞିକ ପୁରୋହିତ ଗୀତା ପାଠ, ବେଦ ପାଠ କରିବା ସହ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । ମଧ୍ୟାହ୍ନରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।