ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମାଇନରଟି ଲୟାରର୍ସ ଫୋରମ ତରଫରୁ ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା (ନିଟ୍)ରେ ସଫଳତା ହାସଲ କରିଥିବା ମୁର୍ସିଦ ଖା ଙ୍କୁ ଭବ୍ୟସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ଏହି ଉପଲକ୍ଷେ କୁଆଁସ କଟାବଣିଆ ଛକ ଠାରେ ଫୋରମ ର ସଂପାଦକ ତଥା ଆଇନ୍ଜୀବୀ ହାଜିସେକ ଅବଦୁଲ ଇସ୍ତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଫୋରମର ସଭାପତି ହାଜି ଆବୁ ସୁଫିଆନ, ଉପସଭାପତି ତାହେର ମହମ୍ମଦ, ସହସଂପାଦକ ମୋଜାହିଦ୍ ଅକ୍ତର ଖା, କୋଷାଧ୍ୟକ୍ଷ ସେକ ନୁର ମୋଜସମ୍ ଏବଂ ଉପଦେଷ୍ଟା ହାଜି ଜୁଲ ଫୁକାର ଓ ଜମିଲ ଅହମ୍ମଦଙ୍କ ସମେତ ଫୋରମର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ନିଟ୍ ପରୀକ୍ଷାରେ କୃତୀତ୍ୱ ଅର୍ଜ୍ଜନ କରିଥିବା ଭଦ୍ରକ ପୁରୁଣାବଜାର ଅଂଚଳର ରିକ୍ସା ଚାଳକ ଙ୍କ ପୁଅ ମୁର୍ସିଦ ଖା ଙ୍କୁ ଏକ ନୀତିବାଣୀ ମୁମେଣ୍ଟ ସହ ସମ୍ବର୍ଦ୍ଧିତ କରାଯାଇଛି । ପ୍ରକାଶ ଥାଉକି, ଏକ ଗରିବ ପରିବାରରେ ମୁର୍ସିଦ ଜନ୍ମ, ସ୍କୁଲ ପଢ଼ା ଠାରୁ ଆରମ୍ଭ କରି କଲେଜ ପଢ଼ିବା ସମୟରେ ତାଙ୍କର ଡାକ୍ତର ହେବାର ଯେଉଁ ସ୍ୱପ୍ନ ଥିଲା ତାହା ଆଜି ସଫଳ ହେବାକୁ ଯାଉଛି । ଭବିଷ୍ୟତରେ ସେ ଜଣେ ଭଲ ଡାକ୍ତର ହେବା ସହ ଗରିବ ନିଷ୍ପେସିତ ଲୋକଙ୍କୁ ସେବା ଯୋଗାଇବାରେ ମୁଖ୍ୟ ଭୂମିକା ନେବାକୁ ସେ କହିଥିଲେ ।