ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବନ୍ଦାଳୋ-ମଢିଆଳି ପଞ୍ଚାୟତ ମହେଶପୁର, ବାବଲପୁର ରାସ୍ତାର ଶିଳାନ୍ୟାସ ଆଜି ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହେବାକୁ ଥିବା ଝୁଟୁଣା ପ୍ରଧାନମନ୍ତ୍ରୀ ସଡକ ରାସ୍ତା ଠାରୁ ବନ୍ଦାଳୋ-ମଢିଆଳି ପ୍ରଧାନମନ୍ତ୍ରୀ ସଡକ ପର୍ଯ୍ୟନ୍ତ ଭାୟା ମହେଶପୁର ଓ ବାବଲପୁର ୪.୮ କିଲୋମିଟର ରାସ୍ତା ନିର୍ମାଣର ଶିଳାନ୍ୟାସ ବାବଲପୁର ପଡିଆରେ ଅନୁଷ୍ଠିତ ହୋଇଥିଲା । ୨୦୨୨-୨୩ ଆର୍ଥୀକ ବର୍ଷର ‘ଟ୍ରିପ’ (ଗ୍ରାମ୍ୟ ରାସ୍ତା ଉନ୍ନତିକରଣ ଯୋଜନା ଅର୍ଥ ହସ୍ତାନ୍ତରିକରଣ)ରେ ଏହି ରାସ୍ତା ନିର୍ମାଣ ପାଇଁ ୬.୩୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦିପ୍ତୀସୂର୍ଯ୍ୟ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଜିଲ୍ଲା ପରିଷଦ ସଦସ୍ୟ ବଦ୍ରୀନାରାୟଣ ରାଉତ, ସରପଞ୍ଚ ବିଶ୍ୱନାଥ ସାହୁ, ବାସନ୍ତି ଯେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଜନସାଧାରଣଙ୍କ ଯାତାୟତ ଆବଶ୍ୟକତା ପୂରଣ ପାଇଁ ଏହି ରାସ୍ତା ସହାୟକ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ । ୩.୭୫ ମିଟର ଚଉଡାରେ ଏହି ରାସ୍ତାର ଉପରିଭାଗ ସମ୍ପୁର୍ଣ୍ଣ କଂକ୍ରିଟକରଣ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ମୃତ୍ୟୁଞ୍ଜୟ ମହାପାତ୍ର ଉତ୍ସବରେ ସୂଚନା ଦେଇଥିଲେ । ଚଳିତ ମାସ ଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଆଗାମୀ ୯ ମାସ ମଧ୍ୟରେ ସମାପ୍ତ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ଧନେଶ୍ୱର ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ମାଝୀ, ସମିତି ସଭ୍ୟ ରଶ୍ମିରଞ୍ଜନ ରାଉତ, ସନ୍ତୋଷ ନାୟକ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ ।