ନୂଆଦିଲ୍ଲୀ,୨୭/୦୯,(ଓଡ଼ିଆ ପୁଅ ପି ନାଏକ): ମହାରାଷ୍ଟ୍ରରେ ବର୍ଷା ତାଣ୍ଡବ ରଚିଛି । ବେହାଲ ଜନଜୀବନ । ଏହି ବର୍ଷା ଜନିତ ବନ୍ୟାରେ ୨୦ ଜଣଙ୍କର ମୃତ୍ୟୁ ଘଟି ସାରିଛି । ଆଗକୁ ମଧ୍ୟ ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ମହାରାଷ୍ଟ୍ରରେ ଏଥରକ ବର୍ଷା ସବୁ ରେକର୍ଡ ଭାଙ୍ଗିଦେଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ବର୍ଷାରେ ୨୦ଜଣଙ୍କର ଜୀବନ ଯାଇଥିବାବେଳେ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପରିସ୍ଥିତିକୁ ନଜରରେ ରଖି ଆଜି ପୁନେରେ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛି ପ୍ରଶାସନ ।
ପ୍ରବଳ ବର୍ଷା ଯୋଗୁଁ ସଡକଠୁ ଘରଦ୍ୱାରା ସବୁଆଡେ ପାଣି ଆଉ ପାଣି । କେଉଁଠି ଘର ଭିତରେ ପାଣି ପଶିଯାଇଛି ତ ଆଉ କେଉଁଠି ଗାଡିଗୁଡିକ ପାଣିରେ ଭାସିଯାଇଛି । ଜମି ରହିଥିବା ପାଣିରେ ଯାନବାହାନ ଭାଙ୍ଗିରୁଜି ଭାସୁଥିବା ଦେଖିବାକୁ ମିଳିଛି । ବର୍ଷା ସାଙ୍ଗକୁ ଏଭଳି ପରିସ୍ଥିତି ଲୋକଙ୍କ ସମସ୍ୟା ବଢାଇଦେଇଛି । ବନ୍ୟା ପ୍ରଭାବିତ ଅଂଚଳରେ ଏନଡିଆରଏଫ ଟିମକୁ ଉଦ୍ଧାର କାର୍ଯ୍ୟ ନିୟୋଜିତ କରାଯାଇଛି । ପାଣିଘେରରେ ଫସିଥିବା ଲୋକଙ୍କୁ ଏହି ଟିମ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣୁଛନ୍ତି । ବର୍ତ୍ତମାନ ସୁଦ୍ଧା ୨୮ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।