ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପଠାରେ ଅପରାହ୍ଣ ୪ ଘଟିକା ସମୟରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ, ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ମହାନ୍ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପୁଣ୍ୟାତ୍ମା ନବକୃଷ୍ଣ ଚୌଧୁରୀଙ୍କ ୧୨୩ ତମ ଜନ୍ମ ଦିବସ ଅବସରରେ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ବରିଷ୍ଠ ଆଇନଜୀବୀ ନିରାକାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ୧୯୫୬ ମସିହାର ଓଡ଼ିଶା ଅବକାରୀ ଆଇନ, ୧୯୫୪ ମସିହାର ଭାଷା ସୁରକ୍ଷା ଆଇନ, ଓଡ଼ିଶାର ପ୍ରଜାସତ୍ତ୍ୱ ଆଇନ, ଜମିଦାରୀ ଉଚ୍ଛେଦ ଆଇନ ଆଦି ପ୍ରଣୟନ କରି ଓଡ଼ିଶାବାସୀଙ୍କୁ ଉଲ୍ଲେଖନୀୟ ସଫଳତା ଦେଇଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ବିଶେଷ କରି ୧୯୫୬ ମସିହାର ଅବକାରୀ ଆଇନକୁ ଓଡ଼ିଶା ସରକାରମାନେ ଅଦ୍ୟାବଧି କାର୍ଯ୍ୟକାରୀ ନକରି ଓଡ଼ିଶାବାସୀଙ୍କୁ ପ୍ରତାରିତ କରିବା ସହ ଏବେର ସରକାର ନିଜେ ମଦ ବ୍ୟବସାୟ ପ୍ରଚଳନ କରିବା ଫଳରେ ତମାମ୍ ଯୁବ ସମାଜ ପଥଭ୍ରଷ୍ଟ ହୋଇଛନ୍ତି ବୋଲି ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ । ରାଜସ୍ୱ ଆଦାୟ ନାମରେ ମଦର ପ୍ରସାର ସରକାରଙ୍କର ଏକ ଭ୍ରଷ୍ଟନୀତି ବୋଲି ବକ୍ତାମାନେ ମଧ୍ୟ ମତବ୍ୟକ୍ତ କରିଥିଲେ । ଶେଷରେ ଓଡ଼ିଶା ସରକାର ୧୯୫୬ ମସିହାର ଅବକାରୀ ନୀତିକୁ କାର୍ଯ୍ୟକାରୀ କରି ଓଡ଼ିଶାକୁ ନିଶାମୁକ୍ତ କରିବା ସଂଗେ ସଂଗେ ୧୯୫୪ ମସିହାରେ ପାରିତ ଭାଷା ସୁରକ୍ଷା ଆଇନକୁ ସମ୍ମାନ ପ୍ରଦାନ କରି ଓଡ଼ିଆ ଭାଷାକୁ ସରକାରୀ ବେସରକାରୀ ଦପ୍ତର ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ କଡ଼ାକଡ଼ି ଭାବରେ ଲାଗୁ କରିବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା ।
ଏହି ସଭାରେ ସଂଗଠନର ଜିଲ୍ଲା ସମ୍ପାଦକ ଆଡ୍ଭୋକେଟ ଗିରିଧାରୀ ନାଥ ସାଂଗଠନିକ ବିବରଣୀ ପ୍ରଦାନ କରିଥିବା ବେଳେ ସଂଗଠନ ପକ୍ଷରୁ ନିମନ୍ତ୍ରିତ ଅତିଥି ବିଶିଷ୍ଟ ସମାଜସେବୀ ଏସ୍.ଏମ୍. ଫାରୁକ୍, ତ୍ୟାଗଭୂମି ସଂଗଠନର ସଭାପତି ଅଜୟ ନାୟକ ଏବଂ ସଂଗଠନର କାର୍ଯ୍ୟକାରୀ ସଭାପତି ଆଡ୍ଭୋକେଟ ଅଗଣି ଚରଣ ଜେନା ମଞ୍ଚାସିନ ହୋଇ ନିଶାମୁକ୍ତ ଅଭିଯାନ ବ୍ୟାପକ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସମାଜସେବୀ ଡାକ୍ତର ହରେକୃଷ୍ଣ ନାୟକ, ଗାନ୍ଧୀ ବିଚାର ମଞ୍ଚର ସଭାପତି ଶାନ୍ତନୁ କୁମାର ରାଉତ, ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚର ସମ୍ପାଦକ ବାବୁଲାଲ ଦାସ, ସମାଜସେବୀ ଅନ୍ନପୂର୍ଣ୍ଣା ସାହୁ, ସୁଧାକର ରାଉତ, କୃଷକ ନେତା ଚନ୍ଦ୍ରଶେଖର ନାୟକ, ଶ୍ରମିକ ନେତା ରାଧା ଦାସ, ଅବସରପ୍ରାପ୍ତ ଅବକାରୀ ଅଧିକାରୀ ଶ୍ରୀହର୍ଷ ସ୍ୱାଇଁ, ଡାକ୍ତର ପ୍ରଦୀପ ନାୟକ, ଜ୍ୟୋତିପ୍ରକାଶ ମହାନ୍ତି ପ୍ରମୁଖ ସେମାନଙ୍କର ନିଜସ୍ୱ ମତ ପ୍ରଦାନ କରିଥିଲେ । ଭଦ୍ରକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ନିଶା ଅଭିଯାନ ସଂକ୍ରାନ୍ତରେ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ଭଦ୍ରକର ବରିଷ୍ଠ ନାଗରିକ ତଥା ଭଦ୍ରକ ମହାବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ଡ. ଏମ୍.ଏ. ନବୀଙ୍କ ଦେହାନ୍ତ ଖବର ପ୍ରାପ୍ତ ହୋଇ ସଂଗଠନ ପକ୍ଷରୁ ଏକ ମିନିଟ୍ ନିରବତା ଅବଲମ୍ବନ କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ।







