
ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ନିକଟସ୍ଥ ସାଳନ୍ଦୀ ନଦୀ ତଟବର୍ତ୍ତୀ ମହାନ୍ତିପଡ଼ା ପଞ୍ଚାୟତ ରେ ବାଲି ଉଠାଇବାକୁ ନେଇ ବିବାଦ ଘନୀଭୂତ ହେବାରେ ଲାଗିଛି । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ଭଣ୍ଡାରିପୋଖରୀର ପୂର୍ବତନ ବିଧ଼ାୟକ ପ୍ରଫୁଲ୍ଲ ଜେନାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଓ ନିର୍ବାଚିତ ଜନପ୍ରତିନଧି ପଞ୍ଚାୟତ ଅଫିସ ସମ୍ମୁଖ ଧାରଣାସ୍ଥଳରେ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଆଜି ଉତ୍କଳ ଦିବସ ଥିବାରୁ ବରପୁତ୍ର ମାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଏହି ଗଣ ଧାରଣା ଓ ପ୍ରତିବାଦ ସଭାକୁ ସ୍ଥଗିତ ରଖାଯାଇଛି । ଆସନ୍ତା ସୋମବାର ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ପୁର୍ନବାର ଅବଗତ କରାଇ ଗଣ ଆନ୍ଦୋଳନ ତଥା ରାସ୍ତାରୋକ କରାଯିବ ବୋଲି ବିକ୍ଷୋଭକାରୀ ମାନେ କହିଛନ୍ତି । ସାଳନ୍ଦୀ ନଦୀର ମହାନ୍ତିପଡ଼ା ଘାଟରେ ବାଲି ନ ଥିବାବେଳେ ନିଲାମଧାରୀମାନେ ବ୍ଲକ ପ୍ରଶାସନକୁ ହାତକରି ଚଞ୍ଚକତା ପୂର୍ବକ ଦିନରେ ଶହଶହ ସଂଖ୍ୟାରେ ଭାରୀଯାନ ପୂରାଇ ଜେସିବି ମେସିନ ସାହାଯ୍ୟରେ ବାଲି ମାଟି ଉଠାଇ ନେଉଛନ୍ତି । ଫଳରେ ଏଠାରେ ନଦୀର ଗତିପଥ ବଦଳି ଗଲାଣି । ନଦୀଗର୍ଭକୁ ୮ରୁ ୧୦ ଫୁଟ ଖୋଳାଯାଇଥିବାରୁ ପାଶ୍ୱର୍ସ୍ଥ କେତୋଗୋଟି ଘର ନଦୀ ଗର୍ଭରେ ଲୀନ ହେବା ନିଶ୍ଚିତ ହୋଇଛି । ରାଜସ୍ୱ ବୃଦ୍ଧି ଆଳରେ ୨୦୧୯-୨୦ ମସିହା ନିମନ୍ତେ ତହସିଲ ପକ୍ଷରୁ ବାଲିଘାଟ ନିଲାମ କରାଯାଇଛି । ତେବେ ଜନସାଧାରଣ ତଥା ନଦୀକୂଳିଆ ଗ୍ରାମ ଗୁଡ଼ିକ ନଦୀଗର୍ଭରେ ଲୀନ ହେବାକୁ ରକ୍ଷା କରିବାକୁ ଯାଇ ବନ୍ତ ବ୍ଲକ ମହାନ୍ତିପଡ଼ା ପଞ୍ଚାୟତରେ ଗତ ତା ୨୮-୮-୨୦୨୦ରିଖ ବୈଠକରେ ପଞ୍ଚାୟତ ତରଫରୁ ଏକ ସଙ୍କଳ୍ପନାମା ପାରିତ କରାଯାଇ ପଞ୍ଚାୟତର ବାଲିଘାଟ ନିଲାମକୁ ରଦ୍ଦ କରିବା ନିମନ୍ତେ ତହସିଲଦାରଙ୍କୁ ଜଣାଇ ଦିଆଯାଇଥିଲା । ମାତ୍ର ତହସିଲଦାର ଏହାକୁ ହେୟ ଜ୍ଞାନ କରି ପୂର୍ବବତ ଘାଟ ନିଲାମକୁ କାୟମ ରଖିଛନ୍ତି ।
ଅପରପକ୍ଷେ ନିଲାମଧାରୀଙ୍କ ଚୁକ୍ତି ମୁତାବକ ମହାନ୍ତିପଡ଼ା ପଞ୍ଚାୟତର ଖାତା ନଂ ୮୧୭, ପ୍ଳଟ ନଂ ୨୨୨୭ ଓ ୨୨୨୮ରୁ ବାର୍ଷିକ ୨ ହଜାର କ୍ୟୁବିକ ବାଲି ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ବି ନିଲାମଧାରୀ ଜେସିବି ଓ ଟ୍ରାକ୍ଟର ଦ୍ୱାରା ଦୈନିକ ୧ ହଜାର କ୍ୟୁବିକ ବାଲି ଉଠାଇ ନେଉଛନ୍ତି ।ଏଠାରେ ବଡ଼ବଡ଼ ଗର୍ତ୍ତମାନ ସୃଷ୍ଟି ହେବା ଫଳରେ ଧନଜୀବନ ହାନି ହେବା ସହିତ ନଦୀର ଗତିପଥ ପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହେଲାଣି । ଏମିତିରେ ଉକ୍ତ ପଞ୍ଚାୟତର କିଛି ବ୍ୟକ୍ତିଙ୍କ ଜାଗା ନଦୀ ଗର୍ଭରେ ଲୀନ ହୋଇ ସାରିଛି । ତେବେ ସମଗ୍ର ପଞ୍ଚାୟତ ଏବେ ନଦୀ ଗର୍ଭରେ ଲୀନ ହେବାକୁ ଚାହିଁ ବସିଛି । ବାରମ୍ବାର ଦାବୀ ସତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ଆଜି ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗଣଧାରଣା ଓ ବିକ୍ଷୋଭରେ ଶହଶହ ସଂଖ୍ୟାର ଗ୍ରାମବାସୀ, ନିର୍ବାଚିତ ଜନପ୍ରତିନିଧି ଓ ମହିଳା ସଂଘର ସଭ୍ୟାମାନେ ସାମିଲ ହୋଇଥିଲେ । ଆଜିର ଏହି ଗଣଧାରଣାରେ ପୂର୍ବତନ ବିଧାୟକଙ୍କ ସମେତ ୱାର୍ଡ଼ସଭ୍ୟ/ସଭ୍ୟା ଜଗନ୍ନାଥ ବେହେରା, ଲଳିତା ନାୟକ, ବନଜ୍ୟୋସ୍ନା ଦାସ, ସବିତା ନାୟକ, ସୁଲତା ବାରିକ, ସଞ୍ଜୁଲତା ସାହୁ, ଭରତ ସାହୁ, ବନିତା ସାହୁ, ପ୍ରଦିପ ମହାରଣା, ସୁକାନ୍ତି ସାହୁ, ବିଜେଡ଼ି ପଞ୍ଚାୟତ ସଭାପତି ନନ୍ଦକିଶୋର ନାୟକ, ଅବସରପ୍ରାପ୍ତ ସେନା କର୍ମଚାରୀ ବଳାରାମ ଦାସ, ସୁରେଶ ସାହୁ, କାର୍ତ୍ତିକ ନାୟକ, ହରେକୃଷ୍ଣ ବାରିକ, ଭୀମ ଦେହୁରୀ ଙ୍କ ସମେତ ମା’ଥାନପତି ସ୍ୱୟଂସହାୟିକା ଗୋଷ୍ଠୀର ଶତାଧିକ ମହିଳା ଏଥିରେ ସାମିଲ ଥିଲେ ।