ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ କୋଟସିରା ଉପ୍ରା ବିଦ୍ୟାଳୟର ମରାମତି କାର୍ଯ୍ୟକୁ ନେଇ ଗଣ୍ଡଗୋଳରେ ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଆହତ ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଶନିବାର ସକାଳ ପ୍ରାୟ ୮.୩୦ମି. ସମୟରେ କୋଟସିରା ଉପ୍ରା ବିଦ୍ୟାଳୟର ମରାମତି କାର୍ଯ୍ୟ ଆରମ୍ଭ କରିବେ ବୋଲି ଗ୍ରାମର ନିରାକାର ଦାସ ଓରଫ(ବେଣ୍ଟ) ପ୍ରଧାନଶିକ୍ଷୟତ୍ରୀ ମାଧବୀଲତା ସେଠୀଙ୍କୁ ଜଣାଇଥିଲେ । ପ୍ରଧାନଶିକ୍ଷୟତ୍ରୀ ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା ସଭାପତିଙ୍କୁ ଜଣାଇ କାର୍ଯ୍ୟ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ । ନିରାକାର ଏସ.ଏମ.ସି. ସଭାପତି ଦଇତାରୀ ସେନାପତି ଓରଫ ବଳିଆକୁ ଜଣାଇଥିଲେ । ଏସ.ଏମ.ସି. ସଭାପତି ଦଇତାରୀ କାର୍ଯ୍ୟର ସୂଚନାଫଳକ ଲଗାଇବା ଓ କନିଷ୍ଠ ଯନ୍ତ୍ରୀ ସମସ୍ତଙ୍କ ଉପସ୍ଥିତିରେ କାର୍ଯ୍ୟର ଲେ ଆଉଟ ଦେବା ପରେ କାର୍ଯ୍ୟ ଆରମ୍ଭ କରାଯିବାକୁ ସର୍ତ୍ତ ରଖିଥିଲେ । ଏଥିରେ ବାଦବିବାଦ ସୃଷ୍ଟି ହୋଇ ଗଣ୍ଡଗୋଳ ହୋଇଥିଲା ।
ନିରାକାର ପ୍ରଥମେ ଏସ.ଏମ.ସି. ସଭାପତି ଦଇତାରୀଙ୍କୁ ଆକ୍ରମଣ କରିଥିଲା ବୋଲି ଦଇତାରୀ ପ୍ରକାଶ କରିଛନ୍ତି । ଖବର ପାଇ ଦଇତାରୀଙ୍କ ସମର୍ଥକମାନେ ବିଦ୍ୟାଳୟ ନିକଟରେ ପହଞ୍ôଚଯିବାରୁ ନିରାକାର ସ୍କୁଲ କାର୍ଯ୍ୟାଳୟ ଭିତରେ ଆତ୍ମଗୋପନ କରିଥିଲେ ବୋଲି ସ୍ଥାନୀୟ ସୂତ୍ରରୁ ପ୍ରକାଶ । ପୁଲିସ ଘଟଣାସ୍ଥଳରେ ପହଞ୍ôଚ ନିରାକାରଙ୍କୁ ଉଦ୍ଧାର କରିଥିଲା । ଘଟଣାରେ ଏସ.ଏମ.ସି. ସଭାପତି ଦଇତାରୀ ଆହତ ହୋଇ ଭଦ୍ରକରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଏ ସମ୍ପର୍କରେ ପରସ୍ପର ବିରୋଧରେ ଅଭିଯୋଗ ଥାନାରେ ହୋଇଥିବା ଜଣାଯାଇଛି । ମାତ୍ର ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ମାମଲା ଋଜୁ ହୋଇନଥିବା ଜଣାଯାଇଛି । ପୁଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଏହି ସ୍କୁଲକୁ ୨୦୨୨-୨୩ ଆର୍ଥୀକ ବର୍ଷ ପାଇଁ ସମଗ୍ର ଶିକ୍ଷା ପକ୍ଷରୁ ୨.୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ରୂପାନ୍ତରିକରଣ ରଙ୍ଗ ଓ ମରାମତି ପାଇଁ ଏହି ଅର୍ଥ ବିଭାଗୀୟ ଭାବେ ସମ୍ପାଦନ ହେବା କଥା । ମାତ୍ର ବିଭାଗୀୟ ଭାବେ ହେଉଥିବା ପ୍ରତ୍ୟେକ କାର୍ଯ୍ୟ ରାଜନୈତିକ ଠିକାଦାର ବେସରକାରୀ ଭାବେ ସମ୍ପାଦନ କରୁଥିବା ଜଣାଶୁଣା କଥା । ଏହି ଆଧାରରେ କୋଟସିରାର ଗ୍ରାମବାସୀ ନିରାକାର କାର୍ଯ୍ୟ କରିବାକୁ ଉଦ୍ୟମ କରିଥିଲେ । ମାତ୍ର ସୂଚନା ଫଳକ ନଲଗାଇବା ଓ କନିଷ୍ଠ ଯନ୍ତ୍ରୀ ସମସ୍ତଙ୍କ ଉପସ୍ଥିତିରେ ଲେ ଆଉଟ ନଦେବା ଘଟଣାକୁ ଗଣ୍ଡଗୋଳ ହୋଇଛି ।