Home ଜିଲ୍ଲା ପରିକ୍ରମା ମରଣଯନ୍ତା ସାଜିଛି ନିର୍ମାଣାଧୀନ ସାତଭଉଣୀ-ଚୁନିଦା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ, କାର୍ଯ୍ୟ ଆରମ୍ଭ ନହେଲେ ରାସ୍ତାରୋକ ଚେତାବନୀ,...

ମରଣଯନ୍ତା ସାଜିଛି ନିର୍ମାଣାଧୀନ ସାତଭଉଣୀ-ଚୁନିଦା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ, କାର୍ଯ୍ୟ ଆରମ୍ଭ ନହେଲେ ରାସ୍ତାରୋକ ଚେତାବନୀ, ଠିକାଦାରଙ୍କୁ ସମନ

45

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଛି ବହୁ ରାସ୍ତା । ମାତ୍ର ଭଦ୍ରକ ବ୍ଲକ୍ ଅଧୀନସ୍ଥ ସାତଭଉଣୀ-ଚୁନିଦା ବଳଭଦ୍ରପୁର ରାସ୍ତା ଦେଇ ଧାମନଗର ବ୍ଲକ୍‌କୁ ସଂଯୁକ୍ତ କରୁଥିବା ଏହି ଯୋଜନାରେ ନିର୍ମିତ ୫ କିମି ରାସ୍ତାଟି ଗତ ମାର୍ଚ୍ଚ ମାସରୁ ମେଣ୍ଟାଲିଂ କାର୍ଯ୍ୟ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଅଧାପନ୍ତରିଆ ଭାବେ କିଭଳି ଲୋକଙ୍କ ଯାତାୟତରେ ମରଣଯନ୍ତା ପାଲଟିଛି, ତାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ । ଗତ କିଛିମାସ ମଧ୍ୟରେ ଏହି ଅଧାପନ୍ତରିଆ ରାସ୍ତା ଯୋଗୁଁ ଛୋଟବଡ ବହୁ ଦୁର୍ଘଟଣା ଘଟି ନିକଟରେ ଜଣେ ମୋଟର ସାଇକେଲ୍ ଆରୋହୀ କଟକରେ ମୃତ୍ୟୁ ସହ ସଂଗ୍ରାମ କରିବା ଘଟଣା ଲୋକଙ୍କ ମଧ୍ୟରେ ଘୋର ପ୍ରତିକ୍ରିୟା ସୃଷ୍ଟି କରିଛି । ଏହି ରାସ୍ତାଟିର ଏଭଳି ଦୂରାବସ୍ଥାକୁ ନେଇ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ସାକ୍ଷାତ୍ କରି କୌଣସି ସଫଳତା ନପାଇବାରୁ ଏବେ ବାଧ୍ୟହୋଇ ରାସ୍ତାରୋକ ଭଳି ଚରମ ପନ୍ଥା ଗ୍ରହଣ କରିବାର ଚେତାବନୀ ଦେଇଛନ୍ତି । ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାଟି ସାତଭଉଣୀ ଠାରୁ ଚୁନିଦା ପର୍ଯ୍ୟନ୍ତ ମୋଟ ୫.୧୫୦ କିମି ପାଇଁ ୩,୨୯,୭୦,୩୪୦ ଟଙ୍କା ଅଟକଳ ମୂଲ୍ୟରେ ନିର୍ମାଣ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।

ଗତ ୨୦୨୧ ଡିସେମ୍ବର ୧୭ ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୨୨ ନଭେମ୍ବର ୧୬ ତାରିଖରେ କାର୍ଯ୍ୟ ସମାପ୍ତି କରାଯିବାର ଅବଧି ରହିଥିଲା । ଠିକାଦାରଙ୍କ ଦ୍ୱାରା ପ୍ରଦତ୍ତ କାର୍ଯ୍ୟ ସ୍ଥାୟୀତ୍ୱର ଅବଧି ପାଞ୍ଚ ବର୍ଷ ରଖାଯାଇଥିଲା । ଏହି ଜିଲାର ବାସୁଦେବପୁର ଅଂଚଳର ବିଦ୍ୟାଧର ଘଡେଇ ନାମକ ଜନୈକ ଠିକାଦାରଙ୍କ ଦ୍ୱାରା ଏହି କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଭଦ୍ରକ-୧ର ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିଲେ । ତେବେ ଏହି ରାସ୍ତା ଉନ୍ନତିକରଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଗତ ୨୦୨୨ ଜାନୁଆରୀ ୩ରେ ସାଂସଦ ମଂଜୁଲତା ମଣ୍ଡଳ ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ସମେତ ତତ୍‌କାଳୀନ ପଂଚାୟତ ସମିତି ଅଧ୍ୟକ୍ଷ ରଘୁନାଥ ଧଳ, ଜିଲା ପରିଷଦ ସଭ୍ୟ ସରୋଜ ନାୟକ, କୋର୍କରା ସରପଞ୍ଚ ମଧୁସ୍ମିତା ଜେନା ଓ ସମିତି ସଭ୍ୟା ଅଂଜନା ଜେନା ପ୍ରମୁଖ ଅତିଥିଙ୍କ ଗହଣରେ ସଂପନ୍ନ ହୋଇଥିଲା । କିନ୍ତୁ ଏହି ରାସ୍ତାଟି ଅତ୍ୟନ୍ତ ନିମ୍ନମାନର ଆରମ୍ଭ ହୋଇ ପୂର୍ବରୁ ଥିବା ପିଚୁ ଓ ମେଣ୍ଟାଲ ତଡାଯାଇ ତାହା ପାଇଲିଂ କରାଯାଇ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏପରିକି ସଂପୃକ୍ତ ଠିକାଦାର ମେଣ୍ଟାଲ ଡଷ୍ଟ ରାସ୍ତାର ଦୁଇ ପାଶ୍ୱର୍ରେ ପକାଇ କାର୍ଯ୍ୟଟିରେ ବହୁ ଘୋଟାଲା କରିଥିଲେ । ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାରୁ ବିଭାଗୀୟ ଅଧିକାରୀଙ୍କ ହସ୍ତକ୍ଷେପରେ ତାହା ସଠିକ୍ ଭାବେ କରାଯିବାର ପ୍ରତିଶ୍ରୁତି ମୂଳେ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଗତ ମାର୍ଚ୍ଚ ମାସରୁ ମେଣ୍ଟାଲିଂ କାର୍ଯ୍ୟ ଆରମ୍ଭ କରାଯାଇ ଏପର୍ଯ୍ୟନ୍ତ ସାତଭଉଣୀ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ ।

ଯେଉଁ ପର୍ଯ୍ୟନ୍ତ ଏହି ମେଣ୍ଟାଲିଂ ହୋଇଥିଲା, ତାହା ରାସ୍ତାରୁ ଉଠି ସ୍ଥାନେ ସ୍ଥାନେ ପୂର୍ବ ସ୍ଥିତିକୁ ଫେରିଆସିଲାଣି । ଏହି ରାସ୍ତାଟି ଉପରେ ପ୍ରାୟଃ ୧୨ ଟି ପଂଚାୟତର ଜନସାଧାରଣ, ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନେ ନିର୍ଭର କରିଥାନ୍ତି । କିନ୍ତୁ ସଂପୃକ୍ତ ଠିକାଦାର ରାସ୍ତାର କାର୍ଯ୍ୟକୁ ବନ୍ଦ ରଖିବାରୁ ତାହା ଏବେ ମୌସୁମୀ ବର୍ଷାରେ ଲୋକଙ୍କ ମୃତ୍ୟୁଯନ୍ତା ପାଲଟିଛି । ଏହି ରାସ୍ତା ଉପରେ ଧାମନଗର ପର୍ଯ୍ୟନ୍ତ ଶତାଧିକ ଦୁଇଚକିଆ, ତିନି ଚକିଆ ଓ ଚାରି ଚକିଆ ଯାନ ଯାତାୟତ କରିବା ସହ ପରିବହନ କ୍ଷେତ୍ରରେ ବହୁ ଅସୁବିଧା ଦେଖାଦେଇଛି । ଫଳରେ ଏହି ଗାଡିଗୁଡିକ ସାତଭଉଣୀ ରାସ୍ତା ପରିବର୍ତ୍ତେ ନଳାଙ୍ଗ ଖାଣ୍ଟଗଡିଆ କେନାଲ ବନ୍ଧ ରାସ୍ତା ଦେଇ ଚୁନିଦାକୁ ଯିବାଆସିବା କରୁଛନ୍ତି । ଏହି ରାସ୍ତାଟିର ଦୂରାବସ୍ଥା ନେଇ ଏ ପ୍ରତିନିଧି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ସାହୁଙ୍କୁ ସମେତ ତଦାରଖ ଦାୟିତ୍ୱରେ ଏସ୍‌ଡିଓ ଛୋଟେଲାଲ ମାରାଣ୍ଡି ଓ କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର କ୍‌ୁମାର ସ୍ୱାଇଁଙ୍କୁ ଭେଟିବା ପରେ ସେ ସଂପୃକ୍ତ ଠିକାଦାର ଉକ୍ତ କାର୍ଯ୍ୟ ଜୁନ୍ ୭ ରେ ଆରମ୍ଭ କରିବାର କହି ତାହା ସଂପନ୍ନ ନକରିବାରୁ ସିଆରପିସି ୧୩୩ ଆକ୍ଟ ମୂଳେ ତାଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପତ୍ର ଲେଖାଯାଇଥିବା ବିଷୟ ସୂଚନା ଦେଇଛନ୍ତି । ଏବଂ ଖୁବଶୀଘ୍ର ଏହି ରାସ୍ତାଟିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବର୍ତ୍ତମାନର ବର୍ଷାଋତୁରେ ତାହା ଲୋକଙ୍କ ଯାତାୟତ ସମସ୍ୟାକୁ ବଢାଇ ଦେଇଥିବାରୁ ତୁରନ୍ତ ନିର୍ମାଣ କରାନଗଲେ ରାସ୍ତାରୋକ ଭଳି ଚରମ ପନ୍ଥା ଗ୍ରହଣ କରାଯିବ ବୋଲି ପ୍ରାଉଟିଷ୍ଟ ବ୍ଲକ୍ ଇଣ୍ଡିଆର ଭଦ୍ରକ ଜିଲା ସଭାପତି ଜଗନ୍ନାଥ ରାୟ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.