Home ଜିଲ୍ଲା ପରିକ୍ରମା ମନରେଗା ଯୋଜନା ରାସ୍ତା ନିର୍ମାଣରେ ଅନୀୟମିତତା ଅଭିଯୋଗର ତଦନ୍ତ

ମନରେଗା ଯୋଜନା ରାସ୍ତା ନିର୍ମାଣରେ ଅନୀୟମିତତା ଅଭିଯୋଗର ତଦନ୍ତ

37

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ଗ୍ରାମରେ ମନରେଗା ଯୋଜନା ରାସ୍ତା ନିର୍ମାଣରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗର ଅନୁଧ୍ୟାନ ମଙ୍ଗଳବାର ହୋଇଛି। ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ତ୍ରିପାଠୀଙ୍କ ନେତୃତ୍ୱରେ କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ପାତ୍ର, ପର୍ଶୁରାମ ଦୀକ୍ଷତ, ଆଶିଷ ରାଉତ ପ୍ରମୁଖ ଷୋଳମପୁର ଗ୍ରାମରେ ରାସ୍ତାକାର୍ଯ୍ୟ ଅନୁଧ୍ୟାନ କରିଥିଲେ। ‘ଷୋଳମପୁର ବାଟମଙ୍ଗଳା ମନ୍ଦିର ଠାରୁ ରଘୁନାଥପୁର ହରିଜନସାହି ଭାୟା ମହେନ୍ଦ୍ର ନାୟକ ଘର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ’ ପ୍ରକଳ୍ପ ମନରେଗା ଯୋଜନାର ୨୦୨୦-୨୧ ଅର୍ଥୀକ ବର୍ଷରେ ପଂଚାୟତ ସମିତି ପ୍ରକଳ୍ପ କୋଡ ନଂ ‘୨୪୧୭୦୦୩/ଆର.ସି./୧୦୪୪୬୧୦୨’ ୭ଲକ୍ଷ ଟଙ୍କା ଅଟକଳରେ ମଞ୍ଜୁର ହୋଇଥିଲା। ଏହି ରାସ୍ତାର ଦୈର୍ଘ୍ୟ ପ୍ରାୟ ୭ଶହ ମିଟର ହେବ। ନଥିପତ୍ର ଅନୁଯାୟୀ ପ୍ରକଳ୍ପର କାର୍ଯ୍ୟ ୨୦୨୧ ମସିହା ଜାନୁୟାରୀ ୧୦ ତାରିଖରେ ଆରମ୍ଭ ଓ ଶେଷ ମାର୍ଚ୍ଚ ୧୫ ତାରିଖରେ ହୋଇଥିବା ଦର୍ଶାଯାଇଛି। ବାଟମଙ୍ଗଳା ଠାରୁ ପ୍ରାୟ ୧୫୦ ମିଟର କାର୍ଯ୍ୟ ହେବା ପରେ ମଝିରେ ଛୋଟ ଛୋଟ ଅଂଶ କାର୍ଯ୍ୟ ହୋଇଥିଲା। ଯାହାର ବାସ୍ତବ ଖର୍ଚ୍ଚ ଦେଢ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଥିଲା।

ତେବେ ୧୪ଟି ପର୍ଯ୍ୟାୟରେ ପ୍ରକଳ୍ପର ବିଲ କରାଯାଇ ମୋଟ ୫ଲକ୍ଷ ୯୧ ହଜାର ୩୫୪ଟଙ୍କା ମଜୁରୀ ପୈଠ କରାଯାଇଥିଲା। ପୁନଶ୍ଚ ୨୦୨୧-୨୨ଆର୍ଥୀକ ବର୍ଷରେ ପଂଚାୟତ ଏସ.ଏଫ.ସି. ପାଣ୍ଠିରୁ ଏହି ପ୍ରକଳ୍ପ ପାଇଁ ୨ଲକ୍ଷ ଟଙ୍କା ବିଲ୍ ପୈଠ କରାଯାଇଛି। ଏହି ସମାନ ରାସ୍ତା ନିର୍ମାଣ ପ୍ରକଳ୍ପ ପାଇଁ ମନରେଗା ଯୋଜନାରେ ୨୦୨୧-୨୨ ଆର୍ଥୀକ ବର୍ଷରେ ୨ୟ ପର୍ଯ୍ୟାୟରେ ନୂତନ ପଂଚାୟତ ସମିତି ପ୍ରକଳ୍ପ କୋଡ ନଂ ‘୨୪୧୭୦୦୩/ଆର.ସି./୧୦୪୬୬୪୯୪’ ହୋଇ ୬ ଲକ୍ଷ ଟଙ୍କା ଅଟକଳରେ ମଞ୍ଜୁର ହୋଇଥିଲା। ମାତ୍ର ମୁଠାଏ ମାଟି ପଡିନଥିଲା। ଏହି ପର୍ଯ୍ୟାୟରେ ଶ୍ରମିକ ମଜୁରୀ ଓ ସାମଗ୍ରୀ ମୂଲ୍ୟକୁ ମିଶାଇ ମୋଟ ୨ଲକ୍ଷ ୯୨ ହଜାର ୫୦୮ଟଙ୍କା ବିଲ ପ୍ରଥମ ଦଫାରେ ଓ ୨ୟ ଦଫାରେ ଚଳିତ ନଭେମ୍ବର ମାସ ୨୫ ତାରିଖରେ ୪୭ହଜାର ୯୫୨ଟଙ୍କା ବିଲ ପୈଠ କରାଯାଇଛି। ମୋଟ ୪ ପର୍ଯ୍ୟାୟରେ ୧୨ଲକ୍ଷ ୨୫ହଜାର ୧୦ଟଙ୍କା ଖର୍ଚ୍ଚ ସରିଛି। ହେଲେ ରାସ୍ତାର ଚିହ୍ନବର୍ଣ୍ଣ ନାହିଁ। ଏଭଳି ମିଥ୍ୟା ବିଲର ସୂତ୍ରଧର କନିଷ୍ଠ ଯନ୍ତ୍ରୀ ମନୋଜ ମିଶ୍ର ଓ ଗ୍ରାମ ରୋଜଗାର ସେବକ ବିଶ୍ୱମ୍ଭର ମହାନ୍ତି ବୋଲି ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଗତ ସୋମବାର ଅଭିଯୋଗ କରାଯାଇଥିଲା। ଜିଲ୍ଲାସ୍ତରୀୟ ତଦନ୍ତ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଏଥିପୂର୍ବରୁ ବ୍ଲକ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.