ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ପରମାନନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୧୭ ଅଗଷ୍ଟ ଦ୍ୱିପ୍ରହରରେ ନିମ୍ନମାନର ମଧ୍ୟାହ୍ନ ଭୋଜନର ସୋୟାବିନ ତରକାରୀରେ ପୁଳା ପୁଳା ଧଳା ଲାଙ୍ଗୁଡିଆ ପୋକ ବାହାରିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପକ୍ଷରୁ ବିଦ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଥିଲା । ଆଜି ଚାନ୍ଦବାଲି ବ୍ଲକ୍ ଶିକ୍ଷାଧିକାରୀ ଶୁଭେନ୍ଦୁ ମହାରାଜ ଆନ୍ଦୋଳନ ସ୍ଥଳରେ ପହଞ୍ôଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ଯେନାଙ୍କୁ ଚାକିରୀରୁ ବହିଷ୍କାର କରିବା ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହାର ହୋଇଥିଲା । ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଯେନା ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିବା ଠାରୁ ମଧ୍ୟାହ୍ନ ଭୋଜନ ତରକାରୀରେ ୩ ଥର ପୋକ ବାହାରିଲାଣି । ଏହି ପ୍ରଧାନ ଶିକ୍ଷକଙ୍କ ଚରମ ଦାୟିତ୍ୱହୀନତା ଓ ଦୁର୍ନୀତିଖୋର ମନୋଭାବ ଯୋଗୁଁ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିମ୍ନ ମାନର ଖାଦ୍ୟ ଖାଉଛନ୍ତି । ବ୍ଲକ୍ ପକ୍ଷରୁ ମଧ୍ୟାହ୍ନ ଭୋଜନ ସାମଗ୍ରୀ ବଣ୍ଟନ ଦାୟିତ୍ୱରେ ଥିବା ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯେନାଙ୍କ ନିଜ ବିଦ୍ୟାଳୟର ଅବସ୍ଥାରୁ ସମଗ୍ର ବ୍ଲକ୍ର ମଧ୍ୟାହ୍ନ ଭୋଜନର ଚିତ୍ର ସ୍ପଷ୍ଟ ଜଣାପଡୁଛି ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି । ଗତ ୧୭ ଅଗଷ୍ଟରେ ମଧ୍ୟାହ୍ନ ଭୋଜନରେ ପୋକ ବାହାରିବା ପରେ ପିଲାମାନେ ନିଜ ନିଜ ଘରେ ଖାଇବାକୁ କହିଥିଲେ । କିନ୍ତୁ ପ୍ରଧାନ ଶିକ୍ଷକ ପିଲାମାନଙ୍କୁ ଘରକୁ ନଛାଡି ବିସ୍କୁଟ ଦେଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତି ବିଦ୍ୟାଳୟରେ ଅଟକାଇ ରଖଥିଲେ ଓ ଏକଥା ଘରେ ଜଣାଇଲେ ପିଲାମାନଙ୍କୁ ତଣ୍ଟିଚିପି ମାଡ ମାରିବେ ବୋଲି ଧମକ ଦେଇଥିଲେ । ଏହି ପ୍ରଧାନ ଶିକ୍ଷକ ଶ୍ରୀ ଯେନାଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅଡି ବସିଛନ୍ତି । ପ୍ରଧାନ ଶିକ୍ଷକ ଶ୍ରୀ ଯେନାଙ୍କୁ ଚାକିରୀରୁ ବହିଷ୍କାର ନକଲେ ତାଙ୍କୁ ଏହି ବିଦ୍ୟାଳୟରେ ପଶିବାକୁ ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀମାନେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଏସଏଫଆଇ ରାଜ୍ୟ ସାଙ୍ଗଠନିକ କମିଟି ସଭ୍ୟ ବିକାଶ ନାଥ, ଯୁବ ନେତା ଅଞ୍ଜନ ଦାସ, ଛାତ୍ରନେତା ରାଜୀବ ଲୋଚନ ଯେନା, ଅଭିଭାବକ ଗୋବର୍ଦ୍ଧନ ପ୍ରଧାନ, ମନୋଜ ସେଠୀ, ନଳିନୀକାନ୍ତ ମହାଳିକ, ନାରଣ ସେଠୀ, ସୁବାଷ ସେଠୀ, ସତୀଶ ପଣ୍ଡା, ରମାମଣୀ ସେଠୀ, ସଂଜୟ ସେଠୀ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କ ସହ ଆନ୍ଦୋଳନ ସ୍ଥଳରେ ଯୋଗ ଦେଇଥିଲେ ।
Home ଜିଲ୍ଲା ପରିକ୍ରମା ମଧ୍ୟାହ୍ନ ଭୋଜନରେ ପୁଳା ପୁଳା ପୋକ, ପରମାନନ୍ଦପୁର ଉ.ପ୍ରା. ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା