ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ଭାବ୍ୟ ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ମଦିନା ମଇଦାନ ସମ୍ମୁଖରେ ହେବାକୁ ଥିବା ପ୍ରତିବାଦ ସଭାସ୍ଥଳ ନିକଟରେ ୧୪୪ ଧାରା ଜାରି କରାଯାଇଛି । ଭଦ୍ରକ ଉପଜିଲାପାଳ ମନୋଜ ପାତ୍ର ଜାରି କରିଛନ୍ତି ଏହି ଧାରା । ମଦିନା ମଇଦାନର ଆଖପାଖ ୨୦୦ ମିଟର ପରିଧି ମଧ୍ୟରେ ଏହା ଲାଗୁ ହୋଇଛି । ଆଜି ଦିନ ୧୧ ଟା ଠାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ୧୪୪ ଧାରା । ତେବେ ଆଜି ସନ୍ଧ୍ୟା ୫ ଟା ବେଳେ ମଦିନା ମଇଦାନ ସମ୍ମୁଖରେ ସବୀର ଖାନ୍ ନାମକ ଜଣେ ଯୁବକ ତାଙ୍କ ସମର୍ଥକମାନଙ୍କୁ ନେଇ ଏକ ପ୍ରତିବାଦ ସଭା କରିବାକୁ ପୁରୁଣାବଜାର ଥାନାରେ ଜଣାଇଥିଲେ । ତେବେ ସେଠାରେ ଏହାକୁ ନେଇ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ଥିବାର ଜାଣି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆଜି ଜିଲା ପ୍ରଶାସନ ପକ୍ଷରୁ ପୁରୁଣାବଜାରସ୍ଥିତ ମଦିନା ମଇଦାନ ଠାରେ ମାଇକ୍ ମାଧ୍ୟମରେ ୧୪୪ ଧାରା ଜାରି କରାଯାଇଥିବାର ସୂଚନା ଦିଆଯାଇଛି । ଏବଂ ସେଠାରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ।







