ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ଓ ସିଟୁ ପକ୍ଷରୁ ମଣିପୁରରେ ମହିଳାମାନଙ୍କ ଉପରେ ଆକ୍ରମଣକୁ ନେଇ ଏକ ପ୍ରତିବାଦ ସଭା ଭଦ୍ରକ ବସ୍ଷ୍ଟାଣ୍ଡରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶ୍ରମିକ ନେତା ଦିବ୍ୟସିଂହ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବହୁ ମହିଳା ଓ ପୁରୁଷ ସଦସ୍ୟ ଯୋଗ ଦେଇଥିଲେ । ଯୁବନେତା ବିନୋଦ ସାହୁ ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ପାଶବିକ ଅତ୍ୟାଚାର କରିବା ପରେ ଯେଭଳି ଉଲଗ୍ନ କରି ସ୍ପଷ୍ଟ ଦିବାଲୋକରେ ଚଲାଇ ଚଲାଇ ନିଆଗଲା, ତାକୁ ନିନ୍ଦା କରିଥିଲେ । ମହିଳା ସମିତିର ରାଜ୍ୟ ସଂପାଦକ ସୁରଜିତା ନାୟକ, ପ୍ରଭାତୀ ଜେନା, ଶିଖା ମହାପାତ୍ର, ସୁମତୀ ନାୟକ, ଶାନ୍ତିଲତା ବାରିକ, ସୋନୁ ମହାପାତ୍ର, ସଂଯୁକ୍ତା ଯାଦବ, ଶ୍ରମିକ ନେତା ପ୍ରଫୁଲ୍ଲ ପାଢୀ, ରାଧା ଦାସ ଓ ସେକ୍ ମିନାଜ ପ୍ରମୁଖ ନିଜ ବକ୍ତବ୍ୟରେ ଉକ୍ତ ଧାରଣାକୁ ନିନ୍ଦା କରିବା ସହ ଦେଶରେ ଯେଭଳି ଦରଦାମ୍ ବୃଦ୍ଧି ସହ ବେକାର ସମସ୍ୟା ବୃଦ୍ଧି ପାଉଛି, ଚାଷୀ ଆତ୍ମହତ୍ୟା ବଢୁଛି, ସେ ଫସଲର ସମୁଚିତ ମୂଲ୍ୟ ପାଉନାହିଁ, ତାହାକୁ ଦୃଢ ପ୍ରତିବାଦ କରିଥିଲେ । ଏବେ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ, କୃଷକ ମାନଙ୍କୁ ଭୁଆଁ ବୁଲାଇବା ପାଇଁ ଦେଶର ସମ୍ବିଧାନ, ଗଣମାଧ୍ୟମ, ସଂସଦ ଓ ଗଣତନ୍ତ୍ରକୁ ହତ୍ୟା କରିବା ଲକ୍ଷ୍ୟରେ କମନ ସିଭିଲ୍ କୋର୍ଡ ଆଣିବାକୁ ଆବେଦନ କରିଛନ୍ତି । ଏଥିସହ ଦୁଇ ଆଦିବାସୀ ମହିଳାଙ୍କ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ଏଣୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଉକ୍ତ ଘଟଣାକୁ ଯେଭଳି ଗ୍ରହଣ କରିଛନ୍ତି, ତାହାକୁ ବକ୍ତାମାନେ ସ୍ୱାଗତ କରିବା ସହ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସଭାପତି ଦିବ୍ୟସିଂହ ନାୟକ ନିଜ ଭାଷଣରେ ବେଟି ପଢାଓ, ବେଟି ବଢାଅ ସ୍ଲୋଗାନ ଦେଇ ମହିଳାମାନଙ୍କ ଉପରେ ଯେଉଁ ଆକ୍ରମଣ ହେଉଛି, ତାହା ବିରୁଦ୍ଧରେ ସମସ୍ତେ ଏକ ହେବାକୁ ଆହ୍ୱାନ ଦେଇଥିଲେ ।