ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ମଠସାହି ରାଜଘାଟଠାରେ ସାର୍ବଜନୀନ ମା’ ବୈଷ୍ଣବୀ ବନଦୁର୍ଗା ପୂଜା ଉତ୍ସବ ୭ ଦିନ ଧରି ମହାସମାରୋହରେ ପାଳିତ ହୋଇ ଆଜି ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି । ଦୀର୍ଘ ୨୩ ବର୍ଷ ଧରି ପୂଜା କମିଟି ପକ୍ଷରୁ ପାଳିତ ହୋଇ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ପୁଲିସ ପକ୍ଷରୁ ଏଠାରେ ସହଯୋଗ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଦେବୀ ବୈଷ୍ଣବୀ ବନଦୁର୍ଗା ପୂଜା ଷଷ୍ଠୀଠାରୁ ନୀତିକାନ୍ତି ସହ ପୂଜା ଅନୁଷ୍ଠିତ ହେବା ସହିତ ପ୍ରଥମ ଦିବସରେ ବେଲ ବରଣ ହୋଇ କଳସ ସ୍ଥାପନ, ହୋମ, ଚଣ୍ଡିପାଠ ମା’ଙ୍କ ଜଣାଣ, ଆଳତୀ, ଭୋଗ ନୈବେଦ୍ୟ, ପୂର୍ଣ୍ଣାହୂତି, ବନ୍ଦାପନା ହୋଇଥିଲା । ମୁଖ୍ୟ ପୂଜକ ରମାକାନ୍ତ ଦାଶ, ସୂର୍ଯ୍ୟକାନ୍ତ ଶତପଥୀ ପୂଜାପାଠ କରିଥିଲେ । ପୂଜା କମିଟିର ସଭାପତି ସମ୍ବାଦଦାତା ଅଶୋକ କୁମାର ନାୟକ, ଉପସଭାପତି ଅଶେଷ କୁମାର ନାୟକ, ସମ୍ପାଦକ ଉମାକାନ୍ତ ଅରଖ, କର୍ତ୍ତା ଅନ୍ନପୂର୍ଣ୍ଣା ଦେବୀ ପ୍ରମୁଖ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପୂଜା ଉତ୍ସବରେ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଳିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୌରଉପାଧ୍ୟକ୍ଷା ଅଂଜୁବାଳା ଜେନା, କାଉନସିଲର ଆଶିଷ ଅମିତାଭ ମହାପାତ୍ର, ପୂର୍ବତନ କାଉନସିଲର ପ୍ରବୀର ଜେନା, ଘାଉଲି ଜେନା, ବିଜେଡ଼ି ନେତା ମଳୟ ଜେନା, ପ୍ରଫୁଲ୍ଲ ନାୟକଙ୍କ ସମେତ ଗ୍ରାମବାସୀ, ଜନସାଧାରଣ, ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିଥିଲେ । ଭସାଣ ଯାତ୍ରା ମଠସାହି ରାଜଘାଟ ଛକରୁ ବାହାରି ନଗର ପରିକ୍ରମା ପରେ ସାଳନ୍ଦୀ ନଦୀଘାଟ ରାଜଘାଟଠାରେ ବିସର୍ଜନ ହେବା ସହ ଆଜି ସନ୍ଧ୍ୟାରେ ବୈଷ୍ଣବୀ ବନଦୁର୍ଗାଙ୍କ ନୀତିକାନ୍ତି ହେବା ପରେ ଉଦ୍ଯାପିତ ହୋଇଥିଲା ।