ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତର ଖାଦ୍ୟସୁରକ୍ଷା ଡିଲର ବିଷ୍ଣୁ ମଲ୍ଲିକଙ୍କ ସମ୍ପର୍କରେ ହୋଇଥିବା ସମସ୍ତ ଅଭିଯୋଗ ଓ ଖବର ପରିବେଷଣ ଉପରେ ରବିବାର ସ୍ପଷ୍ଟୀକରଣ ଦିଆଯାଇଛି । ଏଭଳି ଅଭିଯୋଗକୁ ଭିତ୍ତିହୀନ ଓ ପ୍ରାୟୋଜିତ ଏବଂ ଗତ ଗୁରୁବାର ଠାରୁ ଏ ସମ୍ପର୍କରେ ପ୍ରକାଶିତ ଓ ପ୍ରସାରିତ ସମସ୍ତ ଖବରକୁ ବିଭ୍ରାନ୍ତିକର ବୋଲି ଦର୍ଶାଯାଇଛି । କୋଭିଡ ସମସ୍ୟା ପାଇଁ ସାମୟିକ ଭାବେ ପିତାଙ୍କ ରାସନ ସାମଗ୍ରୀ ବିତରଣ ଦାଇତ୍ୱ ତୁଲାଉଥିବା ପୁତ୍ର ବିଶ୍ୱନାଥ ମଲ୍ଲିକ ଏଥିନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ତଥ୍ୟମୂଳକ ବିବରଣୀ ଉପସ୍ଥାପନ କରିଛନ୍ତି । ପିତାଙ୍କ ଦ୍ୱାରା ରାସନ ସାମଗ୍ରୀ ପ୍ରାପ୍ତି, ବିତରଣ ଓ ମହଜୁଦ ପରିମାଣ ଅତ୍ୟନ୍ତ ସ୍ୱଚ୍ଛ ଓ ତଦାରଖ ଯୋଗ୍ୟ । ଗୁରୁବାର ଜବତ ହୋଇଥିବା ଚାଉଳ ସହ ଡିଲର ବିଷ୍ଣୁ ମଲ୍ଲିକଙ୍କ କୌଣସି ସମ୍ପର୍କ ନାହିଁ । ଅନ୍ୟପକ୍ଷରେ କେବଳ ଗତ ଶୁକ୍ରବାର କେତେକ ହିତାଧିକାରୀ ରାସନ ସମାଗ୍ରୀ ହଡପ ଅଭିଯୋଗ କରି ପଞ୍ଚାୟତ ଗୋଦାମ ସମ୍ମୁଖରେ ଧାରଣାରେ ବସିବା ଉଚିତ ନଥିଲା । ଡିଲରଙ୍କ ପକ୍ଷରୁ ପଞ୍ଚାୟତ ଗୋଦାମ ଗୃହରେ ଓ ବିଶୋଳ ଗ୍ରାମରେ ରିଟେଲ ପଏଣ୍ଟ ଖୋଲାଯାଇ ପାଳିକରି ସାମଗ୍ରୀ ବିତରଣ ଅହରହ କରାଯାଉଛି । ଚଣା ବିଳମ୍ବରେ ପ୍ରାପ୍ତି ହୋଇଥିବାରୁ ଅନ୍ୟାନ୍ୟ ସାମଗ୍ରୀ ସମସ୍ତଙ୍କୁ ଗତ ଅକ୍ଟୋବର ମାସ ପର୍ଯ୍ୟନ୍ତ ବିତରଣ କରାଯାଇ ସାରିଛି । ନଭେମ୍ବର ଓ ଡିସେମ୍ବର ମାସର ସାମଗ୍ରୀ ଓ ପୂର୍ବମାସର ଚଣା ସମ୍ପ୍ରତି ବିତରଣ କରାଯାଉଛି । ଶତକଡା ଅଶୀ ଭାଗ ହିତାଧିକାରୀ ସାମଗ୍ରୀ ପାଇସାରିଛନ୍ତି । ମାତ୍ର କୋଡିଏ ଭାଗ ହିତାଧିକାରୀ ପ୍ରରୋଚିତ ହୋଇ ସାମଗ୍ରୀ ନେବା ପରିବର୍ତ୍ତେ ଅଯଥା ଅଡି ବସୁଛନ୍ତି । ଏପରିକି ମାତ୍ର ଶୁକ୍ରବାର ଦିନ ଧାରଣା ଦେଇ କ୍ରମାଗତ ଧାରଣାରେ ଅଛୁ ବୋଲି ପ୍ରଚାର ଚଳାଇଛନ୍ତି । ଏଥିସହ ପଞ୍ଚାୟତ ଗୋଦାମ ଗୃହ ଫାଟକରେ ବେଆଇନ ଭାବେ ଅନ୍ୟଏକ ତାଲା ପକାଇ ସାମଗ୍ରୀ ବିତରଣରେ ବାଧାସୃଷ୍ଟି କରୁଛନ୍ତି । ଏଭଳି ନକାରାତ୍ମକ କାର୍ଯ୍ୟରୁ କ୍ଷାନ୍ତ ରହି ହିତାଧିକାରୀମାନେ ଯେ କୌଣସି ସମୟରେ ସେମାନଙ୍କ ସାମଗ୍ରୀ ନେଇଯିବାକୁ ଓ ପଞ୍ଚାୟତ ଗୋଦାମ ଘରେ ପକାଇଥିବା ତାଲାକୁ ଖୋଲିଦେବାକୁ ଶ୍ରୀ ମଲ୍ଲିକ ନିବେଦନ କରିଛନ୍ତି ।