Home ଜିଲ୍ଲା ପରିକ୍ରମା ଭଲ ନିର୍ବାଚନ ପାଇଁ ସଠିକ୍ ଭୋଟର ତାଲିକା ନିହାତି ଆବଶ୍ୟକ, ରାଜନୈତିକ ଦଳ ସହିତ ଜିଲ୍ଲା...

ଭଲ ନିର୍ବାଚନ ପାଇଁ ସଠିକ୍ ଭୋଟର ତାଲିକା ନିହାତି ଆବଶ୍ୟକ, ରାଜନୈତିକ ଦଳ ସହିତ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

17

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରୁଟି ମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଗତ ଅକ୍ଟୋବର ୨୭ ରୁ ଆରମ୍ଭ ହୋଇ ଡ଼ିସେମ୍ବର ୯ ପର୍ଯ୍ୟନ୍ତ ଚାଲୁ ରହିଥିବା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ସମୀକ୍ଷା ଓ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଅବଗତି ଉଦ୍ଦେଶ୍ୟରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ତଦାରଖ ନିମନ୍ତେ ଭଦ୍ରକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଯୋଗ ଦେଇ ସମୀକ୍ଷା କରିଥିଲେ । ବିଭିନ୍ନ ରାଜନୈତିକ ଦଳ ତରଫରୁ ଏହି ବୈଠକରେ ଉପସ୍ଥିତ ପ୍ରତିନିଧି, କର୍ମକର୍ତ୍ତାମାନଙ୍କୁ ନେଇ ଆୟୋଜିତ ଏହି ବୈଠକରେ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପ୍ରଶାସନ ସହ ରାଜନୈତିକ ଦଳ, ଜନ ପ୍ରତିନିଧି, କର୍ମୀ ଏପରିକି ଜନ ସାଧାରଣ ମାନଙ୍କର ସମ୍ପୁର୍ଣ୍ଣ ସହଯୋଗ ଆବଶ୍ୟକ ବୋଲି ଶ୍ରୀଯୁକ୍ତ ସାମଲ ପ୍ରକାଶ କରିଥିଲେ । ଉପଜିଲ୍ଲାପାଳ ମନୋଜ ପାତ୍ର ଭୋଟର ତାଲିକାରେ ଯୋଗ, ବାଦ୍‌, ସଂଶୋଧନ ଆଦି ପାଇଁ ଚାଲୁଥିବା ପ୍ରକ୍ରିୟା ମାଧ୍ୟମରେ ପ୍ରାପ୍ତ ସଂପୃକ୍ତ ଫର୍ମ ସଂଖ୍ୟା ବିଷୟରେ ସୂଚନା ପ୍ରଦାନ କରିଥିଲେ ।

ଜିଲ୍ଲାର ସମୁଦାୟ ୬୭ କଲେଜ ରୁ ୫୦ଟି କଲେଜରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଶ୍ରୀଯୁକ୍ତ ପାତ୍ର ସୂଚନା ଦେଇଥିଲେ । ବଡ଼ ବଡ଼ କଲେଜ୍‌ରେ ଦ୍ୱିତୀୟ ଥର ଏହି ସଚେତନତା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପର୍ଯ୍ୟବେକ୍ଷକ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ୧୮ ବର୍ଷ ବୟସର ଭୋଟର ଜନସଂଖ୍ୟାର ୬୮% ରହିବା ସ୍ଥାନରେ ଭଦ୍ରକରେ ୭୫% ଥିବାରୁ ତାଲିକାରେ ଏକାଧିକ ଜାଗାରେ ନାମ ଥିବା କିମ୍ବା ଅନ୍ୟ କାରଣରୁ ବାଦ୍ ଦେବା କ୍ଷେତ୍ରରେ ଅଧିକ ପ୍ରାଧାନ୍ୟ ଦେବାକୁ କୁହାଯାଇଥିଲା । ସେହିପରି ପୁରୁଷ, ମହିଳା ଅନୁପାତ ସଂଖ୍ୟା ରାଜ୍ୟରେ ଏକ ହଜାରରେ ୯୬୩ ରହିବା ଜାଗାରେ ଭଦ୍ରକ ଜିଲା୍ଳରେ ୯୩୭ ଓ ବିଶେଷ କରି ଚାନ୍ଦବାଲିରେ ୯୦୫ ଥିବାରୁ ନୂତନ ମହିଳା ଭୋଟର ବା ବାଦ୍ ରହିଯାଉଥିବା ମହିଳା ଭୋଟରଙ୍କୁ ତାଲିକା ମୁକ୍ତ କରିବା ପାଇଁ ଘରକୁ ଘରକୁ ବୁଲି ସର୍ଭେ ପାଇଁ ସେ ପରାମର୍ଶ ପ୍ରଦାନ କରିଥିଲେ । ଚାଲୁ ରହିଥିବା ପ୍ରକ୍ରିୟାରେ ଚାନ୍ଦବାଲି ପାଇଁ ୯୦୯ ହୋଇଥିବା ଏବଂ ଆଗକୁ ବୃଦ୍ଧି ହେବା ନେଇ ଉପଜିଲ୍ଲାପାଳ ପ୍ରକାଶ କରିଥିଲେ । ୨୩.୧୧.୨୩ ସୁଦ୍ଧା ଯୋଗ ପାଇଁ ୬ ନମ୍ବର ଫର୍ମ ୪୫,୫୧୩ ବାଦ୍ ପାଇଁ ୭ ନମ୍ବର ଫର୍ମ ୨୩୮୦୨ର ଏବଂ ସଂଶୋଧନ ପାଇଁ ୮ ନମ୍ବର ଫର୍ମ ୨୪, ୫୧୭ ମିଳିଥିବା ସେ ବୈଠକରେ ଜଣାଇଥିଲେ । ଡ଼େପୁଟି କଲେକ୍ଟର ନିର୍ବାଚନ ସାଗରିକା ସାହୁ ଏହି ବୈଠକରେ ଆୟୋଜନରେ ଆନୁଷଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.