ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ଜାନୁଗଞ୍ଜ ଦୁର୍ଗାମଣ୍ଡପ ସମ୍ମୁଖରେ ଥିବା ଏକ ଭଡାଘରୁ ଯୁବତୀଙ୍କ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୁଲିସ୍ । ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଯୁବତୀ ଜଣକ ହେଲେ ତିହିଡି ବ୍ଲକ୍ ସିନ୍ଦୋଳ ଗାଁର ସଂଗୀତା ପୃଷ୍ଟି ବୋଲି ଜାଣିବାକୁ ମିଳିଛି । ସେ ଏହି ଭଡାଘରେ ୩ ଜଣ ରୁମ୍ ମେଟ୍ଙ୍କ ସହ ଦୀର୍ଘଦିନ ରହିଆସୁଥିଲେ । ରଜ ପାଇଁ ସମସ୍ତେ ଘରକୁ ପଳାଇଯାଇଥିବାବେଳେ ସଂଗୀତା ଏକୁଟିଆ ରହୁଥିଲେ । ସେ ଏଠାରେ ରହି ଭଦ୍ରକରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ଗତକାଲି ଅପରାହ୍ନରେ ଗାଧୋଇ ଖାଇପିଇ ରୁମ୍ରେ ରହିଥିବାବେଳେ ସନ୍ଧ୍ୟାବେଳେ ଭିତରପଟୁ କବାଟ ନଖୋଲିବାରୁ ଘର ମାଲିକର ସନ୍ଦେହ ହୋଇଥିଲା । ଯେତେ ଡାକ ପକାଇଥିଲେ ମଧ୍ୟ କବାଟ ଖୋଲିନଥିଲେ । ସ୍କାଏଲାଇଟ୍ ବାଟେ ଦେଖିବା ବେଳକୁ ଫ୍ୟାନ୍ରେ ଓଢଣୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଟାଉନ୍ ପୁଲିସ୍ ଖବର ପାଇ ମୃତଦେହ ଉଦ୍ଧାର କରିଥିଲା । ପ୍ରେମରେ ନିର୍ଯ୍ୟାତିତ ହୋଇ ତାଙ୍କ ଝିଅ ଏଭଳି ଘଟଣା ଘଟାଇଛି ବୋଲି ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଭଦ୍ରକ ଟାଉନ୍ ପୁଲିସ୍ ଏକ ଅପମୃତ୍ୟୁ ମାମଲା ୪୮/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।