Home ଜିଲ୍ଲା ପରିକ୍ରମା ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟା, ‘ସ୍ୱାଧୀନତା ସଂଗ୍ରାମରେ ଭଦ୍ରକର ଭୂମିକା ଗୌରବୋଜ୍ୱଳ...

ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟା, ‘ସ୍ୱାଧୀନତା ସଂଗ୍ରାମରେ ଭଦ୍ରକର ଭୂମିକା ଗୌରବୋଜ୍ୱଳ ଅଧ୍ୟାୟ’

16

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଭଦ୍ରକ ଜିଲ୍ଲାର ଭୂମିକା ଏକ ଗୌରବୋଜ୍ୱଳ ଅଧ୍ୟାୟ ସୃଷ୍ଟି କରି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି। ୧୯୨୧ ମସିହା ମାର୍ଚ୍ଚ ମାସ ୨୫ ତାରିଖରେ ମହାତ୍ମା ଗାନ୍ଧୀ ପ୍ରଥମେ ଏହି ଗାନ୍ଧି ପଡ଼ିଆରେ ପଦାର୍ପଣ କରି ସ୍ୱାଧୀନତା ସଂଗ୍ରାମର ବୀଜ ବପନ କରିଥିଲେ ଏବଂ ପରେପରେ ୧୯୨୭ ମସିହା ଡିସେମ୍ବର ୧୭ ଓ ୧୯୩୪ ମସିହା ଜୁନ ୨ରେ ସେ ଭଦ୍ରକ ଆସି ସ୍ୱାଧୀନତା ସଂଗ୍ରାମକୁ ଗତିଶୀଳ କରିଥିଲେ। ଯାହା ଫଳରେ ଭଦ୍ରକ ଜିଲ୍ଲା ସମସ୍ତ ସ୍ୱାଧୀନତା ସଂଗ୍ରାମ ଯଥା – ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ, ହରିଜନ ପଦଯାତ୍ରା, ବ୍ୟକ୍ତିଗତ ସତ୍ୟାଗ୍ରହ ତଥା ଭାରତ ଛାଡ଼ ଆନ୍ଦୋଳନରେ ଅଂଶ ଗ୍ରହଣ ସ୍ୱାଧୀନତା ସଂଗ୍ରାମକୁ ଜ୍ୱାଳାମୁଖୀ କରିଥିଲା।

ଭାରତ ଛାଡ଼ ଆନ୍ଦୋଳନରେ ଲୁଣିଆ ଠାରେ ୯ଜଣ ଓ ଇରମ ଠାରେ ୨୯ଜଣ ଶହୀଦ୍ ହୋଇଥିଲେ ବୋଲି ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟାରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି। ଇରମ ମାଟିର ଅବିସ୍ମରଣୀୟ ପ୍ରତିଭା ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ସ୍ମୃତିରେ ଉତ୍ସର୍ଗ ଏହି ସନ୍ଧ୍ୟାରେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁ ମୁଖ୍ୟଅତିଥି, ଅତିରିକ୍ତ ଉପଜିଲ୍ଲାପାଳ ଲକ୍ଷ୍ମୀ ପ୍ରସାଦ ସାହୁ ବିଶିଷ୍ଟ ଅତିଥି, ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଡ. ସୁଦର୍ଶନ ବାରିକ, ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ପ୍ରଭାତ ନଳିନୀ ମହାପାତ୍ର, ଶିକ୍ଷାବିତ୍ ଦୁଃଶାସନ ରାଉତ, ପ୍ରଧାନ ଶିକ୍ଷକ ସଦାନନ୍ଦ ପାଣିଗ୍ରାହୀ, ବାଇଚଢେଇର ସମ୍ପାଦକ ବିକାଶ କୁମାର ଶତପଥୀ ବରେଣ୍ୟ ଅତିଥି, ଶିକ୍ଷାବିତ୍ ତଥା ଗାଳ୍ପିକ ସୁଧାଂଶୁ ଶେଖର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ କବି ଓ ସଂଗଠକ ବାବୁଲାଲ ଦାସ ପୌରୋହିତ୍ୟ କରିଥିଲେ। ଆବାହକ ନୀହାର ରଞ୍ଜନ କର ଅତିଥି ପରିଚୟ, ସଭାପତି ଇଂ ଅଭୟ ସୂତାର ସ୍ୱାଗତ ଭାଷଣ, ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ପାଢୀ ଅତିଥିମାନଙ୍କୁ ମଞ୍ଚ ଆବାହନ ଓ ସଂଯୋଜନା କରିଥିଲେ। ସମାଜସେବିକା, କବୟତ୍ରୀ ସୁମିତ୍ରା ପାଣି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଶୁଭ୍ରସ୍ମିତା ରାଉତ ସଂଗୀତ ପରିବେଷଣ କରିଥିବା ବେଳେ ସମ୍ପାଦକ ରବିନାରାୟଣ ଖିଲାର ଓ କୋଷାଧ୍ୟକ୍ଷ ଆଶିଷ ଅମିତାଭ ମହାପାତ୍ର ଉତ୍ସବ ପରିଚାଳନା କରିଥିଲେ। ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ଓ ସୁଶ୍ରୀ ରଶ୍ମିତା ସେଠୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.