Home ଜିଲ୍ଲା ପରିକ୍ରମା ଭଦ୍ରକ ମହେନ୍ଦ୍ର ଭବନରେ କଳ୍ପତରୁ ଦିବସ ପାଳିତ

ଭଦ୍ରକ ମହେନ୍ଦ୍ର ଭବନରେ କଳ୍ପତରୁ ଦିବସ ପାଳିତ

92

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀରାମକୃଷ୍ଣ ପରମହଂସଙ୍କ ପଚାଶ ବର୍ଷର ଜୀବନକାଳ ଆଧ୍ୟାତ୍ମିକ ଭାରତର ପାଂଚ ହଜାର ବର୍ଷ ଇତିହାସର ସଂକ୍ଷିପ୍ତ ସଂସ୍କରଣ । ସମୃଦ୍ଧ ଭାରତ ସର୍ବଦା ଆଧ୍ୟାତ୍ମିକ ମାର୍ଗରେ ପ୍ରତିଷ୍ଠା ହୋଇ ପାରିବ ଏହି ବିଶ୍ୱାସରେ ସେ ସ୍ୱାମୀ ବିବେକାନନ୍ଦଙ୍କୁ ପ୍ରସ୍ତୁତ କରିଥିଲେ । ତେଣୁ ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ଭାରତୀୟ ଅନ୍ତରାତ୍ମାର ମୁକୁର । ସେଥିନିମନ୍ତେ ବିଶ୍ୱକବି ରବୀନ୍ଦ୍ରନାଥ କହିଥିଲେ, ସ୍ୱାମୀ ବିବେକାନନ୍ଦଙ୍କୁ ଅଧ୍ୟୟନ କଲେ ଭାରତର ପ୍ରାଣବିନ୍ଦୁକୁ ଚିହ୍ନିହେବ । କାରଣ ଆଧ୍ୟାତ୍ମିକତା ହେଉଛି ଭାରତର ଅନ୍ତରାତ୍ମା, ଯାହାର ଆଧାର ସର୍ବଧର୍ମ ସମନ୍ୱୟ, ବିବିଧତା, ସହନଶୀଳତା ଏବଂ ପରସ୍ପର ପ୍ରତି ସମ୍ମାନବୋଧ । ତାହା ପ୍ରମାଣ କରିବା ପାଇଁ ଶ୍ରୀରାମକୃଷ୍ଣ ତନ୍ତ୍ର ସାଧନା, ବୈଷ୍ଣବ ସାଧନା, ନିର୍ବକଳ୍ପ ସାଧନା ପରେ ସୁଫିସନ୍ଥ ଗୋବିନ୍ଦ ରାୟଙ୍କ ଠାରୁ ଇସଲାମ ଧର୍ମରେ ଦୀକ୍ଷିତ ହୋଇଥିଲେ । ଜଣେ କୁଳୀନ ବ୍ରାହ୍ମଣ ଏବଂ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିରର ପୂଜକ ମୁସଲମାନ ଧର୍ମ ଗ୍ରହଣ କରିପାରନ୍ତି, ଏହା ଅବିଶ୍ୱାସଯୋଗ୍ୟ ହେଲେ ମଧ୍ୟ ସତ୍ୟ । ନୈଷ୍ଠିକ ମୁସଲମାନ ଭାବେ ସେ ପ୍ରତିଦିନ ୫ଥର ନମାଜ ପଢ଼ିବା ସହିତ ମୁସଲମାନ ପରଂପରାର ସମସ୍ତ କ୍ରିୟା କର୍ମ ପାଳନ କରୁଥିଲେ ।

ସେଥିରେ ସନ୍ତୁଷ୍ଟ ହେବା ପରେ ଶମ୍ଭୁ ଚରଣ ମଲ୍ଲିକଙ୍କ ପ୍ରେରଣାରେ ସେ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିଥିଲେ ଏବଂ ନିଷ୍ଠାର ଚର୍ଚ୍ଚ ଯିବା ସହ ଯୀଶୁଖ୍ରୀଷ୍ଟଙ୍କୁ ଆରାଧ୍ୟ ଭାବେ ଆରାଧନା କରୁଥିଲେ । ତାଙ୍କ ଜୀବନକାଳ ଭିତରେ ଶ୍ରୀରାମକୃଷ୍ଣ ପରମହଂସ ଦୃଷ୍ଟାନ୍ତ ରଖି ଦେଇଗଲେ ସବୁ ଧର୍ମ ଏକ । ୧୮୮୬ ମସିହା ଜାନୁୟାରୀ ୧ ତାରିଖରେ ଶ୍ରୀରାମକୃଷ୍ଣ ସଂସାରୀ ଶିଷ୍ୟମାନଙ୍କ ପାଇଁ କଳ୍ପତରୁରେ ରୂପାନ୍ତରିତ ହୋଇ ସମସ୍ତଙ୍କୁ ଦିବ୍ୟ ଚେତନାରେ ପରିଣତ ହେବା ପାଇଁ ଆଶୀର୍ବାଦ କରିଥିଲେ । ତାଙ୍କ ପାଇଁ ସନ୍ନ୍ୟାସୀ ଶିଷ୍ୟ ଏବଂ ସଂସାରୀ ଶିଷ୍ୟ ସମସ୍ତେ ଥିଲେ ସମାନ । ଏହା ହିଁ ହେଉଛି କଳ୍ପତରୁ ଦିବସର ସାରମର୍ମ । ମହେନ୍ଦ୍ର ଭବନ ପରିସରରେ ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ସଭାପତିତ୍ୱରେ ଆୟୋଜିତ କଳ୍ପତରୁ ଦିବସ ସମାରୋହରେ ସ୍ୱାମୀ ଗଣେଶ୍ୱରାନନ୍ଦ ମହୋଦୟ ଶ୍ରୀରାମକୃଷ୍ଣ ଦର୍ଶନ ଏବଂ କଳ୍ପତରୁ ଦିବସର ମହାତ୍ମ୍ୟ ସଂପର୍କରେ ଉପରୋକ୍ତ ମତ ପ୍ରଦାନ କରିଥିଲେ । ଏହି ସମାରୋହରେ ରୋଟାରୀୟାନ ଅଭିଜିତ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କଳ୍ପତରୁ ଦିବସ ସଂପର୍କରେ ମତ ରଖିଥିଲେ । ଶ୍ରୀ ସତ୍ୟପ୍ରକାଶ ଦାସ ଏହି ଆଧ୍ୟାତ୍ମିକ ସମାରୋହ ପରିଚାଳନା କରିଥିବାବେଳେ ଆଡଭୋକେଟ୍ ମନୋରଂଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଭଦ୍ରକ ମ୍ୟୁଜିକ କଲେଜର ଛାତ୍ରଛାତ୍ରୀମାନେ ଆଧ୍ୟତ୍ମିକ ସଙ୍ଗୀତ ପରିବେଷଣ କରିଥିଲେ । ଦୀର୍ଘ ଚାରି ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ଭଦ୍ରକର ମହେନ୍ଦ୍ର ଭବନରେ ସ୍ୱର୍ଗତ ରାଖାଲ ଚନ୍ଦ୍ର ଦାସ ଯେଉଁ ସମୃଦ୍ଧ ପରଂପରା ସୃଷ୍ଟି କରିଥିଲେ, ଆଜି ତାହା ଅତୁଟ ରହିଛି ବୋଲି ଦୁଇ ଶହରୁ ଉର୍ଦ୍ଧ୍ୱ ଶ୍ରୋତାବୃନ୍ଦ ସନ୍ତୋଷ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.