Home ଜିଲ୍ଲା ପରିକ୍ରମା ଭଦ୍ରକ ବିଧାୟକଙ୍କ ପାଇଁ ମୋଚି ଛକ-ଭଦ୍ରକାଳୀ ରାସ୍ତା ବିପର୍ଯ୍ୟସ୍ତ-କଂଗ୍ରେସ, ପୁରୁଣାବଜାର ତିନି ଛକି ଠାରେ କଂଗ୍ରେସର...

ଭଦ୍ରକ ବିଧାୟକଙ୍କ ପାଇଁ ମୋଚି ଛକ-ଭଦ୍ରକାଳୀ ରାସ୍ତା ବିପର୍ଯ୍ୟସ୍ତ-କଂଗ୍ରେସ, ପୁରୁଣାବଜାର ତିନି ଛକି ଠାରେ କଂଗ୍ରେସର ରାସ୍ତାରୋକ

16

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଚେରୀ ବଜାର ମୋଚି ଛକ ଠାରୁ ମା’ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ବାରମ୍ବାର ପେଚ ପକା କାର୍ଯ୍ୟ କରାଯାଇ ବିପୁଳ ପରିମାଣର ଅର୍ଥ ହରିଲୁଟ ହୋଇ ଚାଲିଛି। ଏହି ରାସ୍ତାର ବହୁ ସ୍ଥାନ ଜବରଦଖଲକାରୀଙ୍କ ଅଧିନରେ ରହିଛି। ତେଣୁ ଜବରଦଖଲ ଉଛେଦ କରି ସରକାରୀ ରାସ୍ତା ଚିହ୍ନଟ କରିବା ସହ ରାସ୍ତାର ପ୍ରଶସ୍ତିକରଣ ଓ ସ୍ଥାୟୀ ନିର୍ମାଣ ଦାବିରେ ପୁରୁଣାବଜାର ତିନି ଛକି ଠାରେ ବୁଧବାର ପୂର୍ବାହ୍ନ ୯ଟାରେ କଂଗ୍ରେସ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା। ପ୍ରାକ୍ତନ କାଉନସିଲର ଅଶ୍ରଫ ଅଲ୍ଲୀ ଖାନଙ୍କ ସଂଯୋଜନାରେ ଓ ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ଏହି ରାସ୍ତାରୋକ କରାଯାଇଥିବା ବେଳେ, ଦୀର୍ଘ ୬ଘଣ୍ଟା ଧରି ପୁରୁଣାବଜାରର ମୁଖ୍ୟ ରାସ୍ତା ବସ୍ତୁତଃ ଅଚଳ ହୋଇ ପଡ଼ିଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ରାଜନ ଲାହା, ପିତବାସ ଧଳ, ତନଭିର ଖାନ, ଏନାମୁଲ ହକ୍‌, ହେମନ୍ତ ସାହୁ, ଶେଖ ଜାହିଦ୍‌, ଅମିତାବାଳା ଆଚାର୍ଯ୍ୟ, ମତଲୁବ ଅଲ୍ଲୀ ଖାନ, ଜିଲ୍ଲା କଂଗ୍ରେସ ଛାତ୍ର ସଭାପତି ଶେଖ ସାହିଲ, ଯୁବ କଂଗ୍ରେସ ଉପସଭାପତି ହେମନ୍ତ ମହାପାତ୍ର, ବିଜୟ ବାରିକ, ରଂଜନ ଜେନା, ମିର୍ଜା ଏକ୍ରାମ ବେଗ ପ୍ରମୁଖ ଉଦବୋଧନ ଦେଇଥିଲେ। ସେହିପରି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ସୁଧାକର ରାଉତ୍‌, ହାଜୀ ଶେଖ ମହମ୍ମଦ ଫାରୁକ୍‌, ପୌରାଧ୍ୟକ୍ଷାଙ୍କ ପ୍ରତିନିଧି ଜାହିଦ ହବିବ୍‌, ନାସିରୁଦ୍ଦିନ ଖାନ, ଫରିୟାଦ ଖାନ, ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ଜାହିର ଖାନ, ସବିର ଖାନଙ୍କ ସମେତ ବହୁ ବୁଦ୍ଧିଜୀବୀ ଉକ୍ତ ଧାରଣାସ୍ଥଳରେ ପହଞ୍ଚି ଉକ୍ତ ଯୁକ୍ତିଯୁକ୍ତ ଦାବିକୁ ସମର୍ଥନ ଜଣାଇଥିଲେ।

କଂଗ୍ରେସର ନେତା ଶ୍ରୀ ମହାନ୍ତିଙ୍କ କହିବାନୁଯାୟୀ ୨୦୧୮ ମସିହା ଅଗଷ୍ଟ ମାସ ୧ତାରିଖ ହଳଦିଡିହ ବାଇପାସ ଠାରେ ଏହି ଦାବିରେ ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରାଯାଇଥିଲା। ପ୍ରଶାସନ ୨ମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ପାଳନ ହୋଇ ନାହିଁ। ବାରମ୍ବାର ତାଳି ପକା କାମ ଏହି ରାସ୍ତାରେ ଲକ୍ଷଲକ୍ଷ ଟଙ୍କାକୁ ବିଧାୟକଙ୍କ ପେଟି ଠିକାଦାରମାନେ ଲୁଟି ଚାଲିଛନ୍ତି। ତେଣୁ ସ୍ଥାୟୀ ନିର୍ମାଣ ବ୍ୟତୀତ ଅନ୍ୟ କୌଣସି କଥାରେ କଂଗ୍ରେସ ସାଲିଶ କରିବ ନାହିଁ ବୋଲି ଶ୍ରୀ ମହାନ୍ତି କହିଥିଲେ। ସେହିପରି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାସ କହିଥିଲେଯେ ଏହି ରାସ୍ତା ଉପରେ ପୌରାଞ୍ଚଳର ୧୫ଟି ୱାର୍ଡ଼ ଓ ଖଣ୍ଡତଡ଼ା, ବେନ୍ତା, ଗୁଜିଦରଡ଼ା ପରି ୩ଟି ପଞ୍ଚାୟତର ମୋଟ ୯୫ ହଜାରରୁ ଉର୍ଦ୍ଧ୍ୱ ବାସିନ୍ଦା ନିର୍ଭରଶୀଳ। କିନ୍ତୁ ଏହି ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ, ସ୍ମାର୍ଟ ସିଟିର ପ୍ରତିଶ୍ରୁତି ଦେଇ ବିଧାୟକ ବନିଥିବା ଭଦ୍ରକ ବିଧାୟକ ନିରବ ବସିଛନ୍ତି। ସେହିପରି ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଜାହିଦ ହିବିବ୍‌, ସୁଧାକର ରାଉତ ପ୍ରମୁଖ ଦାବି କରିଥିଲେ। ଘଟଣାସ୍ଥଳରେ ଭଦ୍ରକ ତହସିଲଦାର ଓ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଦାବି ପୂରଣର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଧାରଣାରତ ଶତାଧିକ ଆନ୍ଦୋଳନକାରୀ ଲିଖିତ ପ୍ରତିଶ୍ରୁତି ପାଇଁ ଅଡି ବସିଥିଲେ। ଶେଷରେ ଗୁରୁବାର ଠାରୁ ଜବରଦଖଲ ଚିହ୍ନଟ କାର୍ଯ୍ୟ ଆରମ୍ଭ ହେବା ସହ ଉଛେଦ କାର୍ଯ୍ୟ କରାଯିବ ଓ ଏହାପରେ ରାସ୍ତାର ସ୍ଥାୟୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ୩ଟା ବେଳକୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.