Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜେପିର ସାମ୍ବାଦିକ ସମ୍ମିଳନୀ, ପାଣ୍ଡିଆନଙ୍କୁ ତୀବ୍ର ସମାଲୋଚନା କଲେ ବିଧାୟକ ସୂର୍ଯ୍ୟଂବଶୀ

ଭଦ୍ରକ ବିଜେପିର ସାମ୍ବାଦିକ ସମ୍ମିଳନୀ, ପାଣ୍ଡିଆନଙ୍କୁ ତୀବ୍ର ସମାଲୋଚନା କଲେ ବିଧାୟକ ସୂର୍ଯ୍ୟଂବଶୀ

54

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଫାଇଭ୍‌-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଧାମନଗର ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ଆଜି ଭଦ୍ରକରେ ଏକ ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନଙ୍କ ଉପରେ ବର୍ଷିବା ସହ ଭଦ୍ରକର ବିକାଶ ନେଇ ପ୍ରଶ୍ନ କରିଛନ୍ତି । ଗୋଟିଏ ସରକାରୀ ସଭା ମଂଚରେ କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ତଥା କ୍ୟାବିନେଟ୍ ମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପଦ ପଦବୀରେ ଥିବା ଜଣେ ବ୍ୟକ୍ତି ସମାଲୋଚନା କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି । ପାଣ୍ଡିଆନଙ୍କ ଏଭଳି ମନ୍ତବ୍ୟ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ବୋଲି ସେ କହିଛନ୍ତି । ଏହା ଗଣତନ୍ତ୍ରକୁ ସୁହାଉ ନାହିଁ । ଭବିଷ୍ୟତରେ ଏହା ଗଣତନ୍ତ୍ର ପ୍ରତି ବିପଦ ଆଣିଦେବ ବୋଲି ଆଶଙ୍କା କରିଛନ୍ତି ସୁରଜ । ଯେଉଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନା ବିକି ପାଣ୍ଡିଆନ ମହୋଦୟ ଚଳୁଛନ୍ତି, ସେହି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଶାଳୀନତା ଶିଖନ୍ତୁ ବୋଲି ସୁରଜ କହିଛନ୍ତି । କେବଳ ଏତିକି ନୁହେଁ । ବନ୍ୟା ବାତ୍ୟା ସମୟରେ ରାଜ୍ୟ ସରକାରଙ୍କ ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୁରଜ । ଏବେ ଆରଡିର ଆଖଣ୍ଡଳମଣି ପୀଠରୁ ଅସୁରାଳି ଯାଏ ହେଲିକେପ୍ଟରରେ ଆସୁଥିବା ପାଣ୍ଡିଆନ ମହୋଦୟଙ୍କ ହେଲିକେପ୍ଟର କଣ ଗତ ଅଗଷ୍ଟରେ ଆସିଥିବା ବନ୍ୟାବେଳେ କାମ କଲାନାହିଁ କି । ସେତେବେଳେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆସି ଦୋବଲରୁ ବୁଲି ପଳାଇଥିଲେ । ତେବେ ବନ୍ୟା ବିପନ୍ନଙ୍କୁ ୭ ଦିନର ରିଲିଫ୍ ଦେବାକୁ ଘୋଷଣା କରିଯାଇଥିଲେ । ହେଲେ ଆଜିପର୍ଯ୍ୟନ୍ତ ରିଲିଫ୍ ମିଳିଲା ନାହିଁ ବୋଲି ସୁରଜ ଅଭିଯୋଗ କରିଛନ୍ତି । ଧାମନଗରର ବନ୍ୟା ନିୟନ୍ତ୍ରଣ ପାଇଁ ୨ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା ଆମେ ଆଶା କରିଥିଲୁ ।

ସମସ୍ତ ନଦୀବନ୍ଧକୁ କ୍ୟାପିଟାଲ ଏମ୍ବାକମେଣ୍ଟ ଓ ଧାମନଗର ଅଂଚଳରେ ଥିବା ସମସ୍ତ ଏସକେପ୍‌କୁ ବନ୍ଦ କରିବା ଲାଗି ଏହି ଟଙ୍କା ଆବଶ୍ୟକ । ଆମେ ଏହା ଆଶା କରିଥିଲୁ । ହେଲେ ପାଣ୍ଡିଆନ ମହୋଦୟ ତାହା ନକରି ରାଜନୈତିକ ବୟାନବାଜି କରିବା ଦୁର୍ଭାଗ୍ୟଜନକ ବୋଲି ସେ ଦୋହରାଇଛନ୍ତି । ତେବେ ଗତବର୍ଷର ଉପ ନିର୍ବାଚନ ପୂର୍ବରୁ ବିଜେପିର ପ୍ରତିଶ୍ରୁତି ଦେବା ଓ ନିର୍ବାଚନ ପରେ ପାଳନ ନକରିବା ନେଇ ପାଣ୍ଡିଆନ ଯେଉଁ ଆରୋପ ଲଗାଇଥିଲେ, ତାହାର କଡା ଜବାବ ଦେଇଛନ୍ତି ସୁରଜ । ସୁରଜ କହିଛନ୍ତି ଯେ ଆମେ ବଡ ଟେଣ୍ଟ, ବଡ ସଭା, ହେଲିକେପ୍ଟରରେ ଆସିବାରେ ବିଶ୍ୱାସ କରୁନାହୁଁ । ନିର୍ବାଚନରେ ବିଜୟ ପରେ ଧାମନଗର ନିର୍ବାଚନ ମଣ୍ଡଳୀର ୪୪ ପଞ୍ଚାୟତ, ଧାମନଗର ଏନଏସିର ମୋଟ ୬୧୫ ରୁ ଅଧିକ ଗାଁ ବୁଲିଛି । ପାଦରେ ଚାଲି ଚାଲି ଯାଇ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲି । ଲୋକଙ୍କ ସମସ୍ୟାର ସମାଧାନ କରୁଥିଲି । ଯେଉଁ ସମୟରେ ପାଣ୍ଡିଆନ ଏଠି ସଭା କରୁଥିଲେ, ସେହି ସମୟରେ ସାହସପୁର ଗାଁରେ ପହଞ୍ôଚ ଅଗ୍ନିବିପନ୍ନଙ୍କୁ ଦୁଃଖ ବୁଝୁଥିଲି ବୋଲି ସୁଜର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲା ମିଡିଆ ସେଲ୍ ସଂଯୋଜକ ବୈକୁଣ୍ଠନାଥ ସାହୁ ଅଧ୍ୟକ୍ଷତା କରିଥିବାବେଳେ ଜିଲା ଉପସଭାପତି ଚର୍ତୁଭୁଜ ନାୟକ, ରାମଚନ୍ଦ୍ର ମିଶ୍ର, ଅରବିନ୍ଦ ପତି, ସୁଧାଂଶୁ ପାଣିଗ୍ରାହୀ ଓ ବୁଦ୍ଧଦେବ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.