Home ଜିଲ୍ଲା ପରିକ୍ରମା ଭଦ୍ରକ ପୌରପାଳିକାର ୨୧ତମ ବୈଠକ, ଅଧାରୁ ବୈଠକ ବର୍ଜନ କଲେ ଶାସକ ଦଳର ପାରିଷଦ

ଭଦ୍ରକ ପୌରପାଳିକାର ୨୧ତମ ବୈଠକ, ଅଧାରୁ ବୈଠକ ବର୍ଜନ କଲେ ଶାସକ ଦଳର ପାରିଷଦ

26

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଣି ଚର୍ଚାକୁ ଆସିଛି ଭଦ୍ରକ ପୌର ରାଜନୀତି । ମଙ୍ଗଳବାର ପୌରପାଳିକାର ୨୧ତମ କାଉନସିଲ ବୈଠକ ଅଧାରୁ ସ୍ଥଗିତ ରହିଛି । ବୈଠକରେ ୮ଟି ଏଜେଣ୍ଡା ଉପରେ ଆଲୋଚନା କରାଯାଇ ପ୍ରସ୍ତାବ ପାରିତ ହେବାର ଥିଲେ ହେଁ ତନ୍ମଧ୍ୟରୁ ଗୋଟିଏ ପାରିତ ହେବା ପରେ ଶାସକ ଦଳର ପାରିଷଦ ମାନେ ବୈଠକ ଛାଡି ଚାଲି ଯାଇଥିଲେ । ମିଳିଥିବା ସୂଚନାନୁଯାୟୀ; ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୦ ଟା ୩୦ରେ ପୌରାଧ୍ୟକ୍ଷା ଗୁଲମକ୍ମୀ ଦଲୱାଜଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା ପୌର ପରିଷଦ ବୈଠକ । ପୂର୍ବ ବୈଠକର ବିବରଣ ଅନୁମୋଦନ ସହ ୮ଟି ଏଜେଣ୍ଡା ଉପରେ ଆଲୋଚନା ଓ ପ୍ରସ୍ତାବ ପାରିତ ହେବାକୁ ଥିଲା । ଆସନ୍ତା ଗଣେଶପୂଜା, ମହମ୍ମଦ ଜୟନ୍ତୀ, ସରକାର ବାବାଙ୍କ ଫତେହ ଆଦି ପର୍ବ ପାଇଁ ପୌରପାଳିକା ପକ୍ଷରୁ ନିଆଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ପୂର୍ବକ ଏହାକୁ ପାରିତ କରାଯାଇଥିଲା । ଏହାବାଦ ପୌରପାଳିକାର ଆୟବ୍ୟୟ ବିବରଣୀ ଉପସ୍ଥାପନ, ବର୍ଷା ଜଳ ନିଷ୍କାସନ ଲାଗି ମୋଟର ପମ୍ପ କ୍ରୟ ଓ ପୌରପାଳିକାରେ ପରିମଳ କାର୍ଯ୍ୟରେ ନିୟୋଜିତ ବ୍ୟାଟେରି ଗାଡି ଗୁଡିକର ମରାମତି ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବାର ଥିଲା ।

ମାତ୍ର ଏହିସବୁ ପ୍ରସଙ୍ଗରେ ଆଲୋଚନା ପୂର୍ବରୁ ବୈଠକରେ ଉପସ୍ଥିତ ଉପାଧ୍ୟକ୍ଷା ଅଞ୍ଜୁବାଳା ଜେନାଙ୍କ ସମେତ ବିଜେଡିର ୨୦ଜଣ ପାରିଷଦ/କାଉନସିଲର ପୂର୍ବରୁ ଜିଲ୍ଲାପାଳଙ୍କ ଠାରେ ଆଗତ କରିଥିବା ଦାବି କାହିଁକି ଏଯାଏ କାର୍ଯ୍ୟକାରୀ କରାଯାଇନାହିଁ ବୋଲି ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ଏଥିସହ ଏକ ସମୟରେ ସମସ୍ତ ଉନ୍ନୟନ କାର୍ଯ୍ୟ ପାଇଁ ଟେଣ୍ଡର ଡକାଯିବା, ଚୁକ୍ତିନାମା କରି ଉନ୍ନୟନକାର୍ଯ୍ୟ କରୁନଥିବା ଠିକାଦାରଙ୍କୁ କାହିଁକି କଳା ତାଲିକାଭୁକ୍ତ କରାଯାଉନାହିଁ ବୋଲି ବରିଷ୍ଠ ବିଜେଡି କାଉନସିଲର ଦିଲିପ୍ ନାୟକ , ମହମ୍ମଦ ଜକାଉଲ୍ଲାଙ୍କ,ସେକ ଜୁଲଫିକର ଅଲ୍ଲି, ଜୟନ୍ତୀ ପୃଷ୍ଟି, ରଂଜନ ଜେନା, ସ୍ୱର୍ଣ୍ଣପ୍ରଭା ସ୍ୱାଇଁ, ଗୀତାଞ୍ଜଳି ଦାସ, ଅଞ୍ଜନ କୁମାର ଜେନା, ସୌଭାଗ୍ୟଲକ୍ଷ୍ମୀ ସ୍ୱାଇଁ, ଆଶୀଷ ଅମିତାଭ ମହାପାତ୍ର, ଉର୍ମିଳା ମାଝୀ ଓ ଅନ୍ୟମାନେ ପ୍ରଶ୍ନ କରିଥିଲେ । ଏହାକୁ ନେଇ କିଛିକାଳ ବୈଠକ ସରଗରମ ହେବା ପରେ ଦିନ ୧୨ଟାରେ ଶାସକ ଦଳର କାଉନସିଲରମାନେ ସଭାଗୃହ ଛାଡି ଚାଲି ଯାଇଥିଲେ । ଫଳତଃ ବୈଠକ ଅଧାରୁ ସ୍ଥଗିତ ହୋଇଥିଲା । ପୌର ନିର୍ବାହୀ ଅଧିକାରୀ ଡ.ପ୍ରଦୀପ କୁମାର ସାହା, ଭଦ୍ରକ ସାଂସଦଙ୍କ ପ୍ରତିନିଧି ପ୍ରଣୟ କୁମାର ଦାସ ଓ ଭଦ୍ରକ ବିଧାୟକଙ୍କ ପ୍ରତିନିଧି ରାକେଶ ପଣ୍ଡା ବୈଠକରେ ମଞ୍ଜାସୀନ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.