ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ସାଂଗଠନିକ ବୈଠକ ଓ ବନ୍ଧୁ ମିଳନ ଆଜି ଅନୁଷ୍ଠିତ ହୋଇଥିଲା । ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାବରଙ୍ଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ଏହି ବୈଠକରେ ନିକଟସ୍ଥ ୪ଟି ପଞ୍ଚାୟତର କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାସ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟତଃ ବୁଥ୍ ସ୍ତରରୁ ଦଳୀୟ ସଂଗଠନକୁ ସୁଦୃଢ କରିବା ସହ ୨୦୨୧ ବର୍ଷରେ କଂଗ୍ରେସ ଏକ ନୂଆ ରୂପରେ ଲୋକଙ୍କ ପାଖରେ ପହଞ୍ଚିବ ବୋଲି କହିଥିଲେ । ବୈଠକରେ ସାବରଙ୍ଗ, ସାହାଡା, ଗୋରାମାଟି, ଏରଡା ଏହି ୪ ପଞ୍ଚାୟତରୁ ସର୍ବ ପ୍ରଥମେ ସାଂଗଠନିକ ଶକ୍ତି ବୃଦ୍ଧିର ବୀଜ ବପନ କରାଗଲା ବୋଲି ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀକାନ୍ତ ମହାନ୍ତି ପ୍ରକାଶ କରିଥିଲେ । ଦଳୀୟ ସ୍ଥିତିରେ ଉନ୍ନତି ଆଣିବା ସହିତ ଲୋକମାନଙ୍କ ସହ ରହି ସେମାନଙ୍କ ସୁବିଧା ଅସୁବିଧାରେ ସାଥ୍ ଦେବାକୁ ବୁଥ୍ ଲେବୁଲ କର୍ମୀଙ୍କୁ ଅନୁରୋଧ କରିଥିଲେ । ଦଳ ବିଗତ ଦିନରେ କଣ ଥିଲା ତାକୁ ପାଶୋରି ଆଗାମୀ ଦିନରେ କିପରି ଦଳ ଆଗକୁ ଯିବ ସେ ନେଇ ପଞ୍ଚାୟତ ସ୍ତରରୁ ଖସଡା ପ୍ରସ୍ତୁତ କରି ନିର୍ବାଚନ ମଣ୍ଡଳୀ ନେତାଙ୍କ ପାଖରେ ପହଞ୍ଚାଇବାକୁ ସଭାପତି ଅନୁରୋଧ କରିଥିଲେ । ବୈଠକରେ ସ୍ଥାନୀୟ ଅଞ୍ଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ସେ ସବୁ ପୂରଣ ପାଇଁ ସମସ୍ତେ ଆଗଭର ହେବାକୁ ମତ ଦେଇଥିଲେ । ବୈଠକରେ ଦିଲିପ ନାୟକ, ପଞ୍ଚାୟତରାଜ ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ଟାଉନ ସଭାପତି ବିଜୟ ବାରିକ, ଯୁବନେତା ରାଜକିଶୋର ପଣ୍ଡା, ଗୋଲକ ମହାପାତ୍ର, ବିଟନ ମହାପାତ୍ର, ଶଶୀକାନ୍ତ ବେହେରା, ସୁଶାନ୍ତ ପଲେଇ, ଖଗେଶ୍ୱର ଜେନା, ପ୍ରେମାନନ୍ଦ ସିଂ, ଗୟା ସେଠୀ, କାଳନ୍ଦୀ ଜେନା, ଅମୂଲ୍ୟ ଦାସ, ମାନୁ ମହାକୁଡ, ହରିହର ଜେନା, ପ୍ରବୀର ସିଂ, ପ୍ରବୀର ମହାପାତ୍ର, ଅଶୋକ ନାୟକ, ଶୁଭ ନାୟକ, ହେମନ୍ତ ବଳ, ରାଜେଶ ଖୁଣ୍ଟିଆ, ରତିରଂଜନ ପ୍ରମୁଖଙ୍କ ସହିତ ୪ଟି ପଞ୍ଚାୟତରୁ ବହୁ ଛାମୁଆ ନେତା ଯୋଗ ଦେଇଥିଲେ ।