Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଇଣ୍ଟ୍ରା କ୍ଲବ୍ କ୍ରିକେଟ୍ ଉଦ୍‌ଯାପିତ, ପୂର୍ବତଟ ରେଳପଥକୁ ପରାସ୍ତ କରି ଜେସିସି ଚମ୍ପିୟନ୍‌

ଭଦ୍ରକ ଜିଲ୍ଲା ଇଣ୍ଟ୍ରା କ୍ଲବ୍ କ୍ରିକେଟ୍ ଉଦ୍‌ଯାପିତ, ପୂର୍ବତଟ ରେଳପଥକୁ ପରାସ୍ତ କରି ଜେସିସି ଚମ୍ପିୟନ୍‌

42

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓସିଏ ଭିଜନ୍‌-୨୦୨୪ ଅନୁସୃତ, ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଆୟୋଜିତ ଇଣ୍ଟ୍ରା କ୍ଲବ୍ କ୍ରିକେଟ୍‌ର ତୃତୀୟ ସଂସ୍କରଣ ଉଦ୍‌ଯାପିତ ହୋଇଛି । ଦିନ ରେଳବାଇ କ୍ରୀଡ଼ାଙ୍ଗନରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍‌ରେ ଭଦ୍ରକର ଜଗନ୍ନାଥପୁର କ୍ରିକେଟ୍ କ୍ଲବ୍ (ଜେ.ସି.ସି.) ଚରମ୍ପାସ୍ଥିତ ପୂର୍ବତଟ ରେଳପଥକୁ ୨ ୱିକେଟ୍‌ରେ ପରାସ୍ତ କରି ଚମ୍ପିୟନ୍ ସ୍ଥାନ ଅଧିକାର କରିଛି । ଟସ୍ ଜିଣି ପୂର୍ବତଟ ରେଳପଥ ବ୍ୟାଟିଂ ଆରମ୍ଭ କରିଥିଲା । ଏହାର ସମସ୍ତ ଖେଳାଳୀ ନିର୍ଦ୍ଧାରିତ ୩୫ ଓଭର୍ ମଧ୍ୟରୁ ୩୦.୨ ଓଭର୍ ଖେଳି ଦଳର ସ୍କୋର୍ ୧୭୦ ଥିବା ବେଳେ ଆଉଟ୍ ହୋଇ ଯାଇଥିଲେ । ଦଳ ପାଇଁ ମାନସ କୁମାର ସାହୁ ୩୨, ଜ୍ୟୋତି ରଂଜନ ମହାରଣା ୨୪, ସୁରେନ୍ଦ୍ର କୁମାର ପଣ୍ଡା ୨୩, କୁନ୍ଦନ କୁମାର ୨୨, ନୀହାର ରଂଜନ ଭୂୟାଁ ୧୮ ଓ ହରେକୃଷ୍ଣ ବାରିକ୍ ୧୭ ରନ୍ ସଂଗ୍ରହ କରିଥିଲେ । ଜେ.ସି.ସି. ତରଫରୁ ଅମିତାଂଶୁ ମଲ୍ଲିକ୍ ୩ଟି, ସମ୍ବିତ୍ ସାମଲ୍ ଓ କ୍ଷମା ସାଗର ବଳ ପ୍ରତ୍ୟେକ ୨ଟି ତଥା ସତ୍ୟକାମ ଭରଦ୍ୱାଜ ଓ କ୍ଷିତୀଶ ମହାନ୍ତି ଗୋଟିଏ ଲେଖାଏଁ ୱିକେଟ୍ ଅଧିକାର କରିଥିଲେ । ଜିଣିବା ପାଇଁ ୧୭୧ ରନ୍‌ର ଲକ୍ଷ୍ୟ ନେଇ ଜେ.ସି.ସି. ଦୃଢ଼ତାର ସହିତ ବ୍ୟାଟିଂ ଆରମ୍ଭ କରିଥିଲା । କ୍ଷମା ସାଗର ବଳ ଏକ ବିସ୍ଫୋରକ ଇନିଂସ୍ ଖେଳି ମାତ୍ର ୨୯ ବଲ୍‌ରେ ୮ଟି ଚୌକା ଓ ୨ଟି ଛକା ସହ ୫୨ ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିତେନ୍ଦ୍ର ଭୋଇ ୩୫, ଆଶିଷ ବେହେରା ୨୪ ଓ ଶାନ୍ତନୁ ଦାସ ୧୪ ରନ୍ ସଂଗ୍ରହ କରିଥିଲେ । ପୂର୍ବତଟ ରେଳପଥ ତରଫରୁ ଘାତକ ବୋଲିଂ କରି ହରେକୃଷ୍ଣ ବାରିକ ୩୦ ରନ୍ ବିନିମୟରେ ୪ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଅନ୍ୟ ବୋଲର୍‌ମାନଙ୍କ ପ୍ରଦର୍ଶନ ପ୍ରଭାବୀ ନଥିଲା ।

ଆଶୁତୋଷ ସାମଲ, ସଂଜୟ ରାଉଳ, ମୀର କଫିରୁଦ୍ଦିନ୍ ଓ ନୀହାର ରଂଜନ ଭୂୟାଁ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଦୃତ ୫୨ ରନ୍ ସଂଗ୍ରହ ଓ ୨ଟି ୱିକେଟ୍ ଅଧିକାର କରିଥିବା ହେତୁ କ୍ଷମା ସାଗର ବଳଙ୍କୁ ଫାଇନାଲ୍ ମ୍ୟାଚ୍‌ର ମୂଲ୍ୟବାନ ଖେଳାଳୀର ମାନ୍ୟତା ଦିଆଯାଇଥିଲା । ଏହି ମ୍ୟାଚ୍‌କୁ ଅମ୍ପାୟାର୍ ରୂପେ ସାର୍ଥକ ରଂଜନ ବିଶ୍ୱାଳ ଓ ରଂଜନ ମହାନ୍ତି ତଥା ସ୍କୋରର୍ ରୂପେ କମର୍ ଅଞ୍ଜୁମ ଖାନ୍ ପରିଚାଳନା କରିଥିଲେ । ଉଦ୍‌ଯାପନ ଉତ୍ସବଟି ଆକର୍ଷଣୀୟ ଥିଲା । ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ର ସଭାପତି ଉପେନ୍ଦ୍ର କୁମାର ବାରିକ ଓ ସାଧାରଣ ସଂପାଦକ ଧୀରେନ୍ ପଲାଇ ଜେ.ସି.ସି. ଅଧିନାୟକଙ୍କୁ ଚମ୍ପିୟନ୍ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ଆସୋସିଏସନ୍‌ର ବରିଷ୍ଠ ସଦସ୍ୟ ପାର୍ଥସାରଥୀ ଗୁହା ଠାକୁର୍‌ତା ରାୟଙ୍କୁ କୋଷାଧ୍ୟକ୍ଷ ବ୍ୟୋମକେଶ ସେନାପତି ସାଲ୍‌, ପ୍ରଶଂସାପତ୍ର ଓ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରିଥିବାବେଳେ ଭଦ୍ରକର ପୂର୍ବତନ ବିଧାୟକ ତଥା ସଦସ୍ୟ ନରେନ ପଲାଇ ଡ଼ଃ ରାଇମୋହନ ମହାପାତ୍ରଙ୍କୁ କ୍ରୀଡ଼ା କ୍ଷେତ୍ରରେ ଅନନ୍ୟ ଅବଦାନ ନିମନ୍ତେ ସମ୍ମାନୀତ କରିଥିଲେ । ସେହିପରି ଭଦ୍ରକ କ୍ରିକେଟ୍‌ର ପ୍ରଗତି ନିମନ୍ତେ ଅବଦାନ ରଖୁଥିବା ଓଡ଼ିଶା ଅଣ୍ଡର୍ ୧୬ ହେଡ କୋଚ୍ କେ.ଭି.ପ୍ରସାଦ ଓ ହ୍ୟାପିହୋମ୍ ସ୍କୁଲ୍‌ର କ୍ରୀଡ଼ା ଅଧ୍ୟାପକ ରବିନାରାୟଣ ଓଝାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଓଡ଼ିଶା ୧୯ ବର୍ଷରୁ କମ୍ ବାଳିକା ଦଳରେ ସ୍ଥାନ ପାଇଥିବା ମାଳତୀ ମୁର୍ମୁ ଓ ପୂଜା ରାଣୀ ଦାସ, ଓଡ଼ିଶା ୧୬ ବର୍ଷରୁ କମ୍ ବାଳକ ଦଳରେ ସ୍ଥାନିତ ଚିରଂଜିବ ବେହେରା ଓ ଆକାଶ ମହାପାତ୍ର, ଓଡ଼ିଶା ୧୯ ବର୍ଷରୁ କମ୍ ବାଳକ ଦଳରେ ସ୍ଥାନିତ ସୂର୍ଯ୍ୟ ମହାପାତ୍ର, ଓଡ଼ିଶା ୨୫ ବର୍ଷରୁ କମ୍ ଦଳରେ ସ୍ଥାନିତ ସତ୍ୟକାମ ଭରଦ୍ୱାଜ ଓ ଓଡ଼ିଶା ରଣଜୀ ଟି-୨୦ କ୍ରିକେଟ୍ ଟିମ୍‌ରେ ସ୍ଥାନିତ ହର୍ଷିତ ରାଠୋର ଭଦ୍ରକ ଜିଲ୍ଲା କ୍ରିକେଟ୍ ପାଇଁ ଗୌରବ ଆଣିଥିବାରୁ ଏହି ୭ଜଣ କ୍ରିକେଟର୍‌ଙ୍କୁ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଶ୍ରୀମତୀ ପ୍ରତିଭା ତିୱାରିଙ୍କ ସହ କୁମାରୀ ଫରିଦା ବେଗମ୍‌, ଫେମିଦା ବେଗମ୍‌, ରେହାନା ଖାତୁନ୍‌, ସ୍ୱପ୍ନା ଚତୁର୍ବେଦୀ, ପୁଷ୍ପମଂଜରୀ ବେହେରା ଓ ବ୍ରଜଲକ୍ଷ୍ମୀ ମହାନ୍ତି ଉତ୍ସବ ପରିଚାଳନା କରିଥିଲେ । ଟୁର୍ଣ୍ଣାମେଣ୍ଟ୍ ପରିଚାଳନାରେ ସହଯୋଗ କରିଥିଲେ ଆସୋସିଏସନ୍‌ର ଉପସଭାପତି ନୀଳଶୈଳ ନାୟକ ଓ ଭବତୋଷ ଦାସ, ଯୁଗ୍ମସଂପାଦକ ନୀଳମାଧବ ଦାସ ଓ ଦିଲ୍ଲୀପ କୁମାର ନାୟକ ତଥା ସଦସ୍ୟ ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ, ବିଜୟ କୁମାର ଲଖାନୀ,ଲକ୍ଷ୍ମୀଧର ଜେନା, ଯତିକାନ୍ତ ନାୟକ, ହରିହର ଧଳ, ପବନ ଶର୍ମା,ତୁଷାରକାନ୍ତ ଦାସ, ସୁଶୀଲ ପଟ୍ଟନାୟକ, ସୁଦାମ ନାୟକ, ରବିନାରାୟଣ ପାଣିଗ୍ରାହୀ, ଓମ୍ ପ୍ରକାଶ ଗୁପ୍ତା, ବେଦ ପ୍ରକାଶ ଗୁପ୍ତା, ଲୋକନାଥ ଷଡ଼ଙ୍ଗୀ, ଗୌରାଙ୍ଗ ମହାପାତ୍ର, ଯଦୁନାଥ ସ୍ୱାଇଁ, ଦିଲ୍ଲୀପ କୁମାର ଗୁପ୍ତା ଓ ସଂଜୀବ ଦାସ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.