ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସମସ୍ତ ମସଜିଦ ସହିତ ପୁରୁଣାବଜାର ସ୍ଥିତ ଜାମା ମସଜିଦରେ ମଧ୍ୟ “ଶବେକଦର” ପର୍ବ ତଥା “ଲଏଲତୁଲ” ପର୍ବ ପାଳନ ହୋଇଯାଇଅଛି । ରମଜାନ ମାସର ୨୬ ରୋଜା (ଉପବାସ) ଓ ୨୭ ତରାୱି ନମାଜରେ ଶବେକଦର ପର୍ବ ପାଳନ କରାଯାଏ । ଏହି ଶବେକଦରରେ ଇସଲାମ ଧର୍ମର ପବିତ୍ର କୋରାନ ନାଜିଲ ହୋଇଥିଲା । ଏହି ପର୍ବରେ ଭଦ୍ରକର ସମସ୍ତ ମସଜିଦଗୁଡ଼ିକ ରଙ୍ଗ ବେରଙ୍ଗର ଆଲୋକରେ ସଜା ଯାଇଥିଲା । ରମଜାନର ପ୍ରଥମ ତରାୱୀ ଠୁ ୨୭ ତରାୱୀ ନମାଜ ପର୍ଯ୍ୟନ୍ତ କୋରାନକୁ ମୁଖସ୍ତ କରିଥିବା ହାଫିଜ୍ମାନେ ତରାୱୀ ନମାଜ ପଢ଼ାନ୍ତି । ୨୭ ତରାୱୀରେ ଲୋକେ ନିଜ ନିଜର ଦେୟ (ନଜରାନା)କୁ ମସଜିଦରେ ହାଫିଜ ଓ ମୌଜନଙ୍କୁ ଦେଇଥାନ୍ତି । ଏହି ଶବେକଦର ରାତ୍ରିରେ ଅନିଦ୍ରା ରହି ରାତ୍ରି ତମାମ ନମାଜ ପାଠ କରନ୍ତି । ଜାମା ମସଜିଦ ସରଜମିନରେ ମଧ୍ୟ “ଶବେକଦର” ପର୍ବ ଜାମା ମସଜିଦର ସଭାପତି ହାଜୀ କାଶିମ ଖାଁଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଭଦ୍ରକ ମୁସଲିମ ଜମାତର ଯୁଗ୍ମ ସଂପାଦକ ହାଜୀ ଅବଦୁଲ ମୁକିତ୍ ଖାଁ ଯୋଗଦାନ କରି ମସଜିଦର ହାଫିଜ ଓ ମୌଜନଙ୍କୁ ମସଜିଦରେ ଉଠିଥିବା ଅର୍ଥ ରାଶି କୁ ଉପହାର ଦେଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ଜାମା ମସଜିଦର ସଂପାଦକ ଶେଖ ହଫିଜୁଲ୍ଲା ମସଜିଦର ଆୟ ଓ ବ୍ୟୟ(ଡିସେମ୍ବର ୨୦୨୨ ରୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ)ର ହିସାବ ସର୍ବସାଧାରଣରେ ପ୍ରକାଶ କରିଥିଲେ । ଏହି ଶବେକଦର ପର୍ବରେ କମିଟିର ଶେଖ ଅନୱର, ଶେଖ ଇମତିଆଜ, ଶେଖ ମଇରାଜୁଦ୍ଦିନ, ଅବଦୁଲ ରହେମାନ, ମୁସଲିମ ଖାଁ, ଶେଖ ବୁଧିଆ, ଶେଖ ନିଆଜ, ହାଜୀ ଶେଖ ସଲାଉଦ୍ଦିନ, ଅନୱର ଶାହା, ମହେବୁବ ଖାଁ, ହାଜି ଅନୱର ହୋସେନ, ମିର୍ଜା ଏକ୍ରାମ ବେଗ, ଗୁଲ ମହମ୍ମଦ ଖାନ ପ୍ରମୁଖ ଉପସ୍ଥିତ ରହି ଶବେକଦର ପର୍ବକୁ ପରିଚାଳନା କରିଥିଲେ ।