Home ଜିଲ୍ଲା ପରିକ୍ରମା ଭଦ୍ରକ : ଖଣ୍ଡତଡା ଜୋନ୍‌ରେ ସାଳନ୍ଦୀ ବିକାଶ ମଂଚର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭଦ୍ରକ : ଖଣ୍ଡତଡା ଜୋନ୍‌ରେ ସାଳନ୍ଦୀ ବିକାଶ ମଂଚର ଗୁରୁତ୍ୱପୂର୍ଣ୍ଣ ବୈଠକ

47

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ବ୍ଲକ୍‌ର ଖଣ୍ଡତଡା ପଂଚାୟତ କାର୍ଯ୍ୟାଳୟ ଠାରେ ସାଳନ୍ଦୀ ବିକାଶ ମଂଚର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ସରପଞ୍ଚ ବିଶ୍ୱନାଥ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଖଣ୍ଡତଡା ପଂଚାୟତରେ ସାଳନ୍ଦୀ ନଦୀର ଅତୀତ ସ୍ଥିତ ଓ ବର୍ତ୍ତମାନର ଅବସ୍ଥା ସଂପର୍କରେ ନିଜ ଅନୁଭବ ଅତ୍ୟନ୍ତ ନିଖୁଣ ଭାବେ ବଖାଣିଥିଲେ । ଏହି ଅବସରରେ ସେ ଏହି ପଂଚାୟତର ୮୦ ଭାଗ ଲୋକ ଚାଷକୁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଥିବାବେଳେ ନଦୀ କୂଳବର୍ତ୍ତୀ ଜମି ଗୁଡିକରେ ପରିବା ଚାଷ କରି ଅନେକ ଲୋକ ଜୀବିକାର୍ଜନ କରୁଥିବାବେଳେ ଏହି ଚିରସ୍ରୋତା ସାଳନ୍ଦୀ ନଦୀ ଏବେ କେଉଁଠି ପୋତି ହୋଇପଡିଲାଣି ତ କେଉଁଠି ନାଳ ସଦୃଶ ହୋଇଥିବାବେଳେ କେନାଲ ଥାଇ ମଧ୍ୟ ସେଥିରେ ପାଣି ନଥିବାରୁ ଲୋକେ ଧୀରେ ଧୀରେ ଚାଷ ଛାଡିଦେଲେଣି ବୋଲି କ୍ଷୋଭର ସହ କହିଥିଲେ । ଏବଂ ଏଥିପାଇଁ ଏହି ମଂଚ ଏକ ଜନ ଆନ୍ଦୋଳନର ରୂପ ନେଉ ବୋଲି ଆହ୍ୱାନ ଦେଇ ଏଥିରେ ସ୍ଥାନୀୟ ପଂଚାୟତର ବହୁ ଲୋକ ସାମିଲ ହେବେ ବୋଲି ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଂଚର ସଦସ୍ୟା ନିରୁପମା ମହାନ୍ତି ସ୍ୱାଗତ ଭାଷଣ ମାଧ୍ୟମରେ ସାଳନ୍ଦୀ ପ୍ରଦୂଷଣର ମୁଖ୍ୟ କାରଣ ଓ ଏହାର ନିରାକରଣ ସଂପର୍କରେ ଅବଗତ କରାଇଥିଲେ । ଆବାହକ ପ୍ରତାପ ଚନ୍ଦ୍ର ପାଢୀ ସାଳନ୍ଦୀ ବିକାଶ ମଂଚ ଗଠନର ଉଦ୍ଦେଶ୍ୟ ଏବଂ ଏହାର ରୂପରେଖ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସାଳନ୍ଦୀ ନଦୀ ଭଦ୍ରକ ଜିଲାର ଜୀବନରେଖା ହୋଇଥିବାବେଳେ ତାହା ଆଜି କିଭଳି ଅବକ୍ଷୟମୁଖୀ ହୋଇପଡିଛି, ସେ ସଂପର୍କରେ ସୂଚନା ଦେଇଥିଲେ । ଏବଂ ଏହି ପ୍ରଦୂଷଣକୁ ରୋକିବା କ୍ଷେତ୍ରରେ ନଦୀ ସଂସ୍କାର ନିମନ୍ତେ ସରକାରଙ୍କର ବହୁ ଯୋଜନା କିଭଳି ଆଜି ପାଣିର ଗାର ହୋଇଛି, ତାହା ଉପସ୍ଥାପନ କରିଥିଲେ । ସାଳନ୍ଦୀ ନଦୀର ଜଳ ଯେଉଁଭଳି ଭାବେ ପ୍ରଦୂଷଣର କାୟା ବିସ୍ତାର କରୁଛି, ଏହା ଆଗାମୀଦିନ ପାଇଁ ଜନ ଜୀବନ ନିମନ୍ତେ ଏକ ସତର୍କ ଘଣ୍ଟି ହୋଇଥିବାବେଳେ ଅଳ୍ପ କିଛିବର୍ଷ ମଧ୍ୟରେ ଭଦ୍ରକ ଜିଲାବାସୀ ଉକ୍ତ କାରଣରୁ ଜଳସଂକଟ ସମସ୍ୟାର ସମ୍ମୁଖୀନ ହେବେ ବୋଲି ସତର୍କ କରାଇଥିଲେ ।

କେବଳ ଚାଷ ନୁହେଁ, ସ୍ୱାସ୍ଥ୍ୟ, ପାନୀୟ ଜଳ, ବନ୍ୟା ଇତ୍ୟାଦି ବିଭିନ୍ନ ସମସ୍ୟା ଏଥିପାଇଁ ଦେଖାଦେବାର ସମ୍ଭାବନା ଥିବାରୁ ଏହି ବାର୍ତ୍ତାକୁ ଜିଲାର ପ୍ରତ୍ୟେକ ପଂଚାୟତରେ ପହଞ୍ଚାଇ ସମସ୍ତଙ୍କ ସହଯୋଗରେ ଏକ ଜନ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ନିକଟରେ ଏହାର ବିକାଶର ସ୍ୱର ପହଞ୍ଚାଇବାର ପ୍ରୟାସ ଆରମ୍ଭ ହୋଇଛି ବୋଲି ଆହ୍ୱାନ ଦେଇଥିଲେ । ମଂଚର ମିଡିଆ ସେଲ୍ ଅଧ୍ୟକ୍ଷ ସାମ୍ବାଦିକ ପ୍ରମୋଦ ରାୟ ଯୋଗଦେଇ ସାଳନ୍ଦୀ ନଦୀର ପୂର୍ବାବସ୍ଥା ଫେରାଇ ଆଣିବା ପାଇଁ ଜନ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦେଇଥିବାବେଳେ ମଂଚର ବରିଷ୍ଠ ସଦସ୍ୟ ସଂଜୀବ ମହାନ୍ତି ଓ ସଦସ୍ୟ ପ୍ରଦୀପ ବେହେରା ସାଳନ୍ଦୀ ନଦୀର ସଂସ୍କାର ଦିଗରେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବାର ସୂଚନା ଦେଇଥିଲେ । ଏହାପରେ ବୁଦ୍ଧିଜୀବୀ କରୁଣାକର ବାରିକ, ଉମାକାନ୍ତ ରଣା, ମହେନ୍ଦ୍ର ନାୟକ ନିଜର ମୂଳ୍ୟବୋଧ ଭିତ୍ତିକ ବକ୍ତବ୍ୟ ମାଧ୍ୟମରେ ସାଳନ୍ଦୀ ନଦୀର ଅତୀତର ଗୁଣଗାନ କରି ଜନସାଧାରଣଙ୍କର ଅନ୍ନଦାତା ଏହି ନଦୀର ସଂସ୍କାରର ଆବଶ୍ୟକତା ରହିଛି ବୋଲି କହିଥିବାବେଳେ ଏହି ଅଂଚଳର ଆଦର୍ଶ ଚାଷୀ ସୁବାଷ ପରିଡା ନିଜର ଅଭିବ୍ୟକ୍ତିରେ ସ୍ୱଅନୁପ୍ରାଣିତ ହୋଇ ଏହି ମଂଚରେ ବହୁ ସଂଖ୍ୟାରେ ସାମିଲ ହେବାର ଆବଶ୍ୟକତା ରହିଛି ବୋଲି ଭାବବିହ୍ୱଳ କଣ୍ଠରେ ସୂଚନା ଦେଇଥିଲେ । ଏହି ବୈଠକରେ ପଂଚାୟତର ସମସ୍ତ ରାଜସ୍ୱ ଗ୍ରାମରୁ ବୁଦ୍ଧିଜୀବୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଯୁବ କୃଷି କର୍ମୀ, ସ୍ୱୟଂ ସହାୟିକା ସଦସ୍ୟା, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସମେତ ଛୋଟବଡ ଚାଷୀମାନେ ଯୋଗଦେଇଥିଲେ । ଶେଷରେ ପ୍ରଦୀପ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.